Unknown

 

 

 

 

 

 

 

 

 

ପଲ୍ଲୀରେଣୁ

ଶ୍ରୀ ଚନ୍ଦ୍ରମଣି ଦାସ

 

ଶରତ ନିରୁକୁ ହଲାଇ ଦେଇ କହିଲା–ତୋ ଛବି ଅଙ୍କା ସରିଲା ନିରୁ ? ଦେଖିଲୁ ମୁଁ କେମିତି ସାଙ୍ଗେ ସାଙ୍ଗ କେଡ଼େ ସୁନ୍ଦର ଛବି କରିଦେଲି ।

 

ନିରୁ ରଙ୍ଗ ପେନ୍‌ସିଲଟା ଫୋପାଡ଼ି ଦେଇ କହିଲା–ଦେଖିବ ଏଇକ୍ଷିଣା ଶରତ ଭାଇ, ସବୁ କେମିତି ଟିକି ଟିକି କରି ଚିରି ଫୋପାଡ଼ି ଦେବି ! ତୁମେ ଠେଲି ଦେଲ-ଦେଖିଲ, ମୋ ଛବି ଉପରେ କେମିତି ପେନ୍‌ସିଲ ଗାରଟା ଟାଣି ହେଇଗଲା ।

 

ଶରତ ହସି ହସି କହିଲା–ଯେଉଁ ଛବିତ, ମାଙ୍କଡ଼ ପରି ହେଇଛି, ମୋ ପରି ଛବି କରି ପାରିବୁ ?

 

ନିରୁ ଆଖିରେ ଲୁହ ଢଳ ଢଳ ହୋଇ ଆସିଲା, ଛୋଟ ନାଲି ଓଠଟି ଥରାଇ କହିଲା–ମୋ ଛବି ଭଲ ନ ହେଲା ନାଇଁ, ତୁମକୁ କିଏ କହୁଛି ?

 

ଶରତ ଦେଖିଲା ଏଥର ନିରୁ ରାଗି ଗଲାଣି, ସେଇଠୁ ତାକୁ କୋଳ ଉପରକୁ ଆଉଜେଇ ପକାଇ ଲୁଗା କାନିରେ ଲୁହ ପୋଛି ଦେଇ ଗେଲ କରି କହିଲା-ଏଡ଼େ ଝିଅଟା ହୋଇ କାନ୍ଦୁଛୁ ନିରୁ, ତୋତେ ଲାଜ ମାଡ଼ୁ ନାହିଁ ।

 

ଏଇ ଟିକକ ଆଦରରେ ନିରୁ ମନ କୁଆଡ଼େ ବଦଳି ଗଲା । ପିନ୍ଧାକାନି ତଳେ ମୁହଁ ଲୁଚାଇ ଭାରି ଅଭିମାନରେ କହିଲା–ନିଜେ ଭାରି ଭଲତ, ସାନ ପିଲାଟିଏ ନା, ମୋ ଛବିରେ କିଏ ଗାର ପକାଇଲା !

 

ମୁଁ ଜାଣେ ନା ।

ଭାରି ସତ କଥା ଏକା । ନ ଜାଣିଲେ ନାଇଁ, ମତେ ଛାଡ଼, ମୁଁ ଯାଏଁ ।

 

ନିରୁ ଯେମିତି ତା କୋଳରୁ ଉଠିଛି, ସେମିତି ଜୋରରେ ଶରତକୁ ଠେଲି ଦେଇ ପଳାଇ ଯାଉଁ ଯାଉଁ କହିଲା–ଭଲ ହେଇଛି, ମୋ ମନକୁ ବେଶ୍ ପାଇଛି, ମୋ ଛବିରେ କାହିଁକି ଗାର ଟାଣିଲ-?

 

ଶରତ ଲୁଗା କାନିଟିକୁ ଟାଣି ଧରି ହସି ହସି କହିଲା–ଯାଉଛୁ କେଉଁଠିକି, ମୋ ଛବି ଦେଖି ଯା ।

 

ମୋ ଲୁଗା ଛାଡ଼, ମୁଁ ଯିବି ।

ନାଇଁ ତୁ ଆଗେ ଆ ।

 

ନିରୁ ହସି ହସି ଶରତ ପାଖରେ ବସିଲା । ଶରତ ତା ହାତକୁ ଧରି କହିଲା–ମୋତେ ଠେଲିଲୁ କାହିଁକି ? ଆଉ ଠେଲିବୁ ?

 

ନା’

ଆଉ ଦିନେ ?

ନା’

ମୋ ଛବି ଦେଖିଯା ?

ଇସ୍, ଯେଉଁ ଛବି ହେଇଥିବତ, ମାଙ୍କଡ଼ ପରି, ମୁଁ ଦେଖିବି ନାଇଁ ।

କଣ କହିଲୁ, ଦେଖିବୁ ନ ?

ହଁ ହଁ ଶରତ ଭାଇ ।

ଆଗେ ଆଖି ବୁଜ

ବୁଜିଲି ।

ଶରତ ଛବି ଖଣ୍ଡକ ତା ମୁହଁ ପାଖରେ ଧରି କହିଲା–ଏଥର ଖୋଲ ।

 

ନିରୁ ଆଖି ଖୋଲିଦେଇ କହିଲା–ଚିରି ଟିକି ଟିକି କରି ଦେବି ଜାଣିଥା । ତୁମେ ଭାରି ଦୁଷ୍ଟ ଶରତ ଭାଇ, ତୁମେ କାଲି ମୋତେ ଟାଣି କୋଡ଼ରେ ବସାଇଲ, ରାଣ ପକାଇ କହିଲ ଗେଲ କରିଦେ । ମୁଁ ଗେଲ କରିଦେଲି ବୋଲି କଣ ମୋର ଦୋଷ ହେଲା । ତୁମେ ସେହି ଛବି ଆଙ୍କିଛନା-। ବୋଉ ଦେଖିଲେ କଣ କହିବ ! ମୋ ରାଣ ଶରତ ଭାଇ, ଛିଣ୍ଡାଇ ପକା ।

 

ମୁଁ ଆଉ ଗେଲ ଛଡ଼ା କଣ କହୁଛି କି ? ନା ଜମାରୁ ଛିଣ୍ଡାଇବି ନାହିଁ, ଭାରି ସୁନ୍ଦର ଛବି-। ଛୁଟି ପୂରିଲେ କଟକ ଯିବି । ଡାକ୍ତରଖାନାରେ ମୋର କେତେ ସାଙ୍ଗଙ୍କୁ ଦେଖାଇବି ।

 

ନିରୁ, ଶରତ ସାଙ୍ଗରେ ଛଡ଼ା ମଡ଼ା କରି, ନା ଶରତ ଭାଇ, ମୋ ରାଣ, ଛିଣ୍ଡାଇ ପକାଇବ । କାହାକୁ ଦେଖାଇବ ନାଇଁ ।

 

ଶରତ ନିରୁର ନାଲ ଟୁଳୁ ଟୁଳୁ ଗାଲ ଦୁଇଟିକୁ ଟିପିଦେଇ କହିଲା–ଇସ୍, ଯେଉଁ ସୁନ୍ଦରତ, କିଏ ଦେଖିବାକୁ ଆସୁଚି କି ।

 

ନ ହେଲେ ନାଇଁ, ତୁମକୁ ଯିଏ ସୁନ୍ଦର ଦେଖା ଯାଉଛି ତା’ ପାଖକୁ ଛବି ଆଙ୍କି ପାଉନା, ମୁଁ ଯାଉଛି ଶୋଇବି ।

 

ଶରତ ତାକୁ ଟାଣି ଆଣି କହିଲା–ନା’ଲୋ–ନିରୁ, ମିଛରେ ସେମିତି କହିଲି ନା । ତୁ ଭାରି ସୁନ୍ଦର ।

 

ମୋତେ ଭୁଲାଉଛ ନା, ତୁମେତ ସତ କହିଛ । ମୁଁ ଜାଣିଛି ଯେ–

 

ଶରତ ତାକୁ ଅସ୍ତବ୍ୟସ୍ତ କରି ପକାଇ କହିଲା- କଣ ଜାଣିଛୁ କହ, ନଇଲେ...

 

କିଛି ଜାଣିନି, ମୋତେ ଛାଡ଼, ଉଁ ।

 

ଶରତ କହିଲା–ମୁଁ ତୋତେ ଆଉ ପାରିବିନି । ଛବିଟା ମୋ ସୁଟ୍‌କେଶରେ ଥୋଇ ଘରୁ ଆସେ, ତୁ ଛବି କରୁଥା, ଶରତ ଉଠି ଚାଲିଗଲା । ନିରୁ ଲୁଗାପଟା ସଜାଡ଼ି, ଦାଣ୍ଡ ଖୁଣ୍ଟକୁ ଧରି ହସି ହସି କହିଲା–ସବୁ ଜାଣେ ଯେ, ସବୁ ଜାଣେ, କହିବି ନାଇଁ ଜମାରୁ ।

 

ଶରତ ପଛକୁ ଅନାଇଁ ହସି ହସି କହିଲା-ହଉ ହଉ, ମୁଁ ଟିକିଏ ଘରୁ ଆସେ । ତୋ ମଜାଟା ଛଡ଼ାଇ ଦେବି ଯେ ।

 

ନିରୁ ତାଳିମାରି ହସିଲା ।

 

“ପୁରା ଯୌବନ ଆସିବାକୁ ଆଉରି କେତେ ବାକି, ତଥାପି ଜୀବନରେ କେତେ ଗୁପ୍ତ ରହସ୍ୟ ଆରମ୍ଭ ହୁଏ ଏଇଠୁ ।”

 

x x x x

 

ନିରାଟ ଖରା । ଚାରିଆଡ଼ ଶୂନ୍‌ଶାନ୍ । କୁଆ କୋଇଲିର ବି ରାବ ନାହିଁ । ତଳ ଘରୁ ଚୋଉ କର ଲେଉଟାଉ ଲେଉଟାଉ ଡାକିଲେ, ନିରୁ, ନିରୁ ?

 

ଦାଣ୍ଡ ମେଲାରୁ ହାତରେ ପେନ୍‌ସିଲଟା ଧରି ମା ପାଖରେ ବସି ପଡି ନିରୁ କହିଲା–କାହିଁକି ଡାକିଲୁ ବୋଉ ।

 

‘‘ତୋତେ ମୁଁ ଆଉ ପାରିବି ନାଇଁ । ପିଲା ସିନା କୁହାର ବୋଲର ହୁଅନ୍ତି, ସାଇଯାକ କଣ ଝିଅ ନାହାନ୍ତି, ତୋ ପରି କିଏ ଅମାନିଆ ହୋଇଛି ! ଏଗଡ଼ ବଡ଼ ଖରା, ସାପ ବି ଗାତ ରୁ ବାହାରୁ ନାହିଁ ।

 

କୁଆ କୋଇଲି ବି ଡାଳପତର ଛାଇରେ ଘାଲେଇ ପଡ଼ିଛନ୍ତି । ତୋ ଆଖିକୁ ଟିକିଏ ସୁଦ୍ଧା ନିଦ ଆସୁ ନାଇଁ ଲୋ ! ସାଇଯାକ ବୁଲିଆସି ଦେଖିଲୁ, ତୋ ପରି କେଉଁ ଝିଅଟା ଖରାବେଳଯାକ ଇମିତି ବହି ମେଲାଇ ବସିଛି । ଏଡୁଟିଏ ଆସି ହେଲୁଣି, ଆଉ କେଉଁଦିନେ ବୁଦ୍ଧି ହେବ ଶୁଣେ ।”

 

ନିରୂର ମୁହଁଟି ଶୁଖିଗଲା । ଆଖିରେ ଲୁହ ଟଳ ଟଳ କରି କହିଲା–ନାଇଁ ବୋଉ, ମୁଁ ତ ଖରାରେ କୁଆଡ଼େ ବୁଲିନି । ଦାଣ୍ଡ ପିଣ୍ଡାରେ ବସି ଗୋଟାଏ ଚିତ୍ର କରୁଥିଲି ପରା ! ଶରତ ଭାଇ ତ ମୋ ପାଖରେ ବସିଥିଲା, ଏଇକ୍ଷଣି ତାଙ୍କ ଘରକୁ ଯାଇଛି ।

 

ନିରୁର କାନ୍ଦ କାନ୍ଦ ମୁହଁ ଦେଖି ମା’ କୋଡ଼କୁ ଆଉଜେଇ ପକାଇ ଲୁଗାକାନିରେ ଲୁହ ପୋଛି ଦେଇ କହିଲେ–ଏଇ କଥାରେ ଆଖିରୁ ଲୁହ ଗଡ଼ି ପଡୁଛି ନା । ଶାଶୁଘରେ ଯାଇ କାହା କଥା କେମିତି ସହିବୁ ଲୋ । ମା’ଟା ତୋରି ଭଲପାଇଁ ମୁଁ କହୁଛି ପରା । ଦେଖିଲୁ, ମୁହଁ କେମିତି ଶୁଖି ରଙ୍ଗା ପଡ଼ି ଗଲଣି ।

 

ନାଇଁ ବୋଉ, କାଲିଠୁ ଆଉ ଛବି କରିବିନି । ଶତରଭାଇଟା ଭାରି ଦୁଷ୍ଟ । ଖରାବେଳେ ଆସି ଖାଲି କହୁଛି ଛବି ଆଙ୍କିବା, ଛବି ଆଙ୍କିବା । ଆଜି ଆସିଲେ ମୁଁ ବି ଜମାରୁ ପାଟି ଫିଟାଇବି ନାହିଁ ।

 

ମା’ ହସି ହସି କହିଲେ–ଛି ମା’ ସେ ତୋର ଭାଇ ପରା ! ତୋରି ଲାଗି ଦିନ ରାତି ଦଉଡ଼ି ଆସୁଛି । ତା’ ମାଆ ବାପ ଯଦି ଥାନ୍ତେ ସେ କାହିଁକି ଆସନ୍ତା । ଏତେ ସମ୍ପତ୍ତି ଥିଲେ କଣ ହେବ, ଯେତେହେଲେ ଦାଦି ଖୁଡ଼ୀ । ଗାଁ ଗୋଟାକରେ ପିଲା ଖଣ୍ଡେ । କଟକ ରାଇଜରେ ଯାଇ ପଢ଼ିଲାଣି, ତଥାପି ଗାଁରେ କାହାକୁ ଚିହ୍ନି ନାହିଁ । ଭଗବାନ ତାକୁ ଆଇଶ ଦେଇଥାନ୍ତୁ ଲୋ । ନିରୁ, ମୁଣ୍ଡଟା ଟିକିଏ ଚିପିଦେଲୁ ମା, ପୋଡ଼ା ମୁଣ୍ଡଟା କାହିଁକି ଧକ୍ ଧକ୍ ହେଉଛି ।

 

–ନିରୁ ମୁଣ୍ଡ ଚିପି ଦେଉଥାଏ ।

 

ଟିକିଏ ଗଲା । ମା’ କହିଲେ ଯା’ ଝିଅ, ଦିନ ଆସି ଗଲଣି, ପଖାଳ ଗଣ୍ଡିଏ ବାଢ଼ି ଖାଇଦେ । ଘର ଦୁଆର ଓଳାଇ ପକା । ପିଣ୍ଡା ଠଣାରୁ ଦୀପଟା ଆଣି ସଞ୍ଜବତୀ ଦି’ଟା ବଳି ଦେ । ମୁଁ ଯାଉଛି ବାଲିରୁ ସାରୁ ଦି’ବୁଦା ଖୋଳି ଆଣେ । ବେଳାବେଳି ଗଣ୍ଡାଏ ଭାତ ବସାଇ ଦେଲେ କାମ ସରିଯିବ । ବାପା ତୋର ଦଉଡ଼ି ଦଉଡ଼ି ଏଇକ୍ଷଣି ଆସୁଥିବେ ।

 

–ନିରୁ କହିଲା–ହଉ ବୋଉ ଯାଉଛି ।

 

ହାତ ଗୋଡ଼ ଧୋଇ ନିରୂ ହାଣ୍ଡିଶାଳକୁ ଦଉଡ଼ିଗଲା । ଅଧ ବେଲିରେ ଭାତ ଗଣ୍ଡିଏ ବାଢ଼ି, ତରକାରି ହାଣ୍ଡି ଦେଖି ଡାକିଲା–କଣ ଘେନି ଖାଇବି ବୋଉ, ତୁଣ ଯମାରୁ ରଖିନୁ ? ମୁଁ ଯମାରୁ ଖାଇବି ନାହିଁ ଯା–

 

–ମା’ ବିଛଣାରୁ ଉଠିପଡ଼ି କହିଲେ, ସୁନା ଝିଅଟା ପରା ! ଏତେ ଅଜଟ ଧଇଲେ ମୁଁ କଣ କରିବି କହିଲୁ ? ଏତେ ଟିକେ ବୋଲି ତୁଣ, ସେଥିରୁ କେତେ ରଖନ୍ତି । ଲୁଣ ଲଙ୍କାଟାଏ ଘେନି ପଖାଳ ଗଣ୍ଡାଏ ଖାଇଲି ପରା । ଏଠିକି ଆ, ଖଟା ଟିକିଏ ନେଇଯାଆ, ବାରିରୁ ଲଙ୍କାଟିଏ ଛିଣ୍ଡାଇ ଆଣି ଗଣ୍ଡେ ଖାଇ ଦେ । ମୁଁ କେଉଁଠୁ କଣ ଆଣିବି କହିଲୁ । ଆମେ କଣ ସାଇପଡ଼ିଶାଙ୍କ ପରି ବଡ଼ଲୋକ ହେଇଚେ ।

 

ନିରୁ କଥା ବୁଝିଲା । ଗଣ୍ଡେ ଖାଇ ଦେଇ ଘରଦୁଆର ଓଳାଇ ସଞ୍ଜବତୀ ବଳି ବସିଲା ।

 

ଦିନର ସଫା ଧଳା ପରଦା ଆସ୍ତେ ଉପରକୁ ଉଠିଗଲା । ରାତିର ଝାପ୍‌ସା କଳା ପରଦା ଆସ୍ତେ ତଳକୁ ଖସି ଆସିଲା । ଗହିର ପାରିର କେତେ ଲୋକଙ୍କ ଘରୁ ନାଲି ଛୋଟ ଆଲୁଅଟିମାନ ଜଳି ଉଠିଲା । ଗାଁ ସେମୁଣ୍ଡ ଭାଗବତ ଟୁଙ୍ଗିରୁ ଘଣ୍ଟା ଶଙ୍ଖ ବାଜିଲା । ବୋଉ ଡାକି କହିଲେ–ନିରୁ, ସଞ୍ଜବେଳା ଗଡ଼ିଗଲା, ଚଉରା ପାଖରେ ସଞ୍ଜ ଦେଇଆ । ନିରୁ ସଞ୍ଜବତୀ ଲଗାଇ ଲୁଗା ଉହାଡ଼ କରି ଚଉରା ପାଖକୁ ଆସିଲା । ଦୀପଟି ଥୋଇ, ଲୁଗା କାନି ବେକରେ ପକାଇ ତଳେ ମୁଣ୍ଡ ଲଗାଇଲା ।

 

ଶରତ ଘରଆଡୁ ଖୋଜି ଦେଖିଲା, ନିରୁ ଚଉରା ମୂଳେ ଦଣ୍ଡବତ କରୁଛି । ଚୁପ୍ ଚୁପ୍ ଆସି ତା ପଛଆଡ଼େ ଠିଆହେଲା । ଟିକିଏ ଗଲା, ନିରୁ ଉଠି ପଛ ଆଡ଼କୁ ଘୁଞ୍ଚି ଆସିଲାବେଳେ ଶରତ ଦେହରେ ବାଡ଼େଇ ହୋଇଗଲା । ଶରତ ତା ଦି’ହାତକୁ ଧରି ଫେଁ ଫେଁ ହୋଇ କହିଲା–ଆମ ନିରୁ ବହୁତ କଥା ଶିଖିଲାଣି ତ ! ଠାକୁର ପାଖରେ ଜଣାଉଥା, ଭଲ ବର ପାଇବୁ ଲୋ । ସେତେବେଳେ କଣ କହୁଥିଲୁ ? ଗାଁ ପିଲାଙ୍କୁ ଡାକି ଆଣିଛି । କଅଁଳିଆ ଆମ୍ବପତ୍ର ଅଣ୍ଟାରେ ବାନ୍ଧି ଏଇକ୍ଷିଣା କେତେ ଗୀତ ବୋଲି ନାଚିବେ । ମୋ ସାଙ୍ଗରେ ଆ ଦେଖିବୁ, ନୋଇଲେ ଜାଣିଥା–

 

ଅନ୍ଧାର ଭିତରେ ନିରୁର ମୁହଁଟି ଲାଜରେ ରଙ୍ଗା ପଡ଼ିଗଲା । ଟିକିଏ ବିରକ୍ତ ହୋଇ କହିଲା–ନା, ମୁଁ ଯିବିନାଇଁ ତୁମେ ମୋ ସାଙ୍ଗରେ ଆଉ ଲାଗିବ ନାହିଁ ।

 

ଶରତ ତା’ ମୁଣ୍ଡରେ ଓଢ଼ଣା ପକାଇ ଦେଇ କହିଲା–ନା, ମୋର ଦୋଷ ହେଇଛି, ତୁ ଆଉରି ଦଣ୍ଡବତ କର, ଭଲ ସୁନ୍ଦରିଆ ବର ପାଇବୁ ଯେ–

 

–ଡାକିବି ବୋଉକୁ ଶରତ ଭାଇ ? ମୁଁ ତୁମକୁ ଜମାରୁ ଆଉ କଥା କହିବି ନାହିଁ । ତୁମଲାଗି ମୁଁ ଖରାବେଳେ ଜମାରୁ ଶୋଇଲି ନାହିଁ । ସେଥିପାଇଁ କେତେ ଗାଳି ଖାଇଲିଣି । ତୁମ ସାଙ୍ଗରେ ଆଉ ଛବି କରିବିନି…

 

ଶରତ ତା’ ଢଙ୍ଗ ଦେଖିବା ପାଇଁ ତାକୁ ଛାଡ଼ିଦେଇ କହିଲା–ତୁ ମତେ ଖାଲି ସବୁବେଳେ ଗାଳି ଦେଉଛୁ; ମୁଁ ଆଉ ଜମାରୁ ତୁମ ଘରକୁ ଆସିବି ନାହିଁ । ଶରତ ଏକମୁହାଁ ହୋଇ ଚାଲିଲା ।

 

ନିରୁ ତାକୁ ଟିକିଏ ଅନାଇଲା । ସେ ଭାବିଲା, ସବୁଦିନ ପରି ଶରତ ଭାଇ କଣ ଆଜି ରାଗିବ ! କିନ୍ତୁ ଶରତ ନ ଫେରିବାରୁ ନିରୁର ମନଟି କଣ ହୋଇଗଲା । ତା ପଛେ ପଛେ ଦଉଡ଼ି ଯାଇ ଡାକ ପକାଇଲା-ଶରତ ଭାଇ-ଶତର ଭାଇ ମୋ ରାଣ, ଫେରିଆସ ।

 

ଶରତ କିଛି ନ ଶୁଣି ଆଗକୁ ଚାଲିଥାଏ । ନିରୁ ପଛରେ ଦଉଡ଼ି ଦଉଡ଼ି ଯାଇ ତା ପିନ୍ଧାକାନିକୁ ଟାଣି ଧରି କହିଲା–ମୋ ରାଣ ଶରତ ଭାଇ, ଫେରିଆସ, ମୁଁ ସେମିତି ମିଛରେ କହିଲି ନା, ତୁମେ ସତରେ ରାଗୁଛ ?

 

ଶରତ ଟିକିଏ ମିଛି ମିଛିକା ମୁହଁ ଶୁଖାଇ କହିଲା–ନା, ତୁ ମୋ ଉପରେ ରାଗୁଛୁ, ମତେ ଗାଳି ଦେଉଛୁ, ମୁଁ ଆଉ ତୁମ ଘରକୁ ଜମାରୁ ଆସିବି ନାହିଁ, ମତେ ଛାଡ଼େ, ମୁଁ ଯାଏ–

 

–ନାଇଁ, ନାଇଁ ଶରତ ଭାଇ, ତୁମ ଦେହ ଛୁଉଁଛି, ମୋ ଆଖି ଛୁଉଁଛି, ତୁମକୁ ଆଉ ଦିନେ କିଛି କହିବି ନାହିଁ, ତୁମେ ଆସ ।

 

–ତୁ ମୋ କଥା ଜମା ମାନୁନୁ, ମୁଁ ଯିବିନାଇଁ ଜମାରୁ ।

–ହଁ, ଶରତ ଭାଇ, ତୁମ କଥା ଏଥର ନିଶ୍ଚେ ମାନିବି ।

ମୋ ଦେହ ଛୁଁ ।

 

ନିରୁ ଶରତ ହାତକୁ ଧରି ପକାଇ କହିଲା, ତୁମ ଦିହ ଛୁଇଁ କହୁଛି, ଏଥର ତୁମେ ଯାହା କହିବ ନିଶ୍ଚେ ମାନିବି ।

 

–ସତ କହୁଛୁ ?

 

–ହଁ, ଥରେ କହିଲି ପରା । ଆଉ କେତେଥର କହିବି କି ? ଶରତ ନିରୁକୁ ନିଜ କୋଡ଼ଆଡ଼କୁ ଆଉଜେଇ ଆଣି କହିଲା–ତୋ କାନଦେଖା ।

 

ନିରୁ ହସି ହସି କାନ ଦେଖାଇଲା-ଶରତ ତା କାନ ପାଖରେ ଚୁପ୍ ଚୁପ୍ କହିଲା–କହ ମୁଁ ତୁମକୁ ବାହା ହେବି ।”

 

–ଚୁପ୍ ।

 

–ଚୁପ୍ କଣ ? ତୁ ପରା କହୁଛୁ ମୋ କଥା ମାନିବୁ ! ଫେର ମନା କରୁଛୁ ନା ? ତାହାହେଲେ ମତେ ଛାଡ଼ ମୁଁ ଘରକୁ ଯାଏ ।

 

–ନିରୁକୁ ଭାରି ଲାଜ ମାଡ଼ିଲା, ଏଣିକି ତେଣିକି ଦି’ ତିନିଥର ଅନାଇ କହିଲା–ହେଲେ ହେଲା ଯା ।

 

–ସେମିତି କହିଲେ ହବନାହିଁ, ତୁ କହ, ‘‘ମୁଁ ତୁମକୁ ବାହା ହେବି ।”

–ନିରୁ ଶରତ ପିନ୍ଧାକାନି ତଳେ ମୁହଁ ଲୁଚାଇ, କୁରୁ କୁରୁ ହସି କହିଲା–ବାହାହେବି ଯା ।

 

–ଶରତ ନିରୁକୁ ଯାବୁଡ଼ି ଧରି ଗେଲ କରିଦେଇ କହିଲା–ତୁ ସୁନାଝିଅ, ମୋ କଥା ମାନିବୁ–ଏଁ ।

 

–ନିରୁ କିଛି କହିଲାନି ।

 

–ଉପରେ ତରାଫୁଲଫୁଟା ଏଡ଼େ ବଡ଼ ଆକାଶ । ତଳେ ଗଛ ପତର ନଈ ନାଳ କେତେ କଣ । ତାରି ମଝିରେ ଛନ୍ଦ କପଟ ଶୂନ୍ୟ ଲଗାଲଗି ଦୁଇଟି ପ୍ରାଣୀ । ଯୌବନର ମୋହ ଆକର୍ଷଣ କାହିଁ କେତେ ଦୂରରେ । ଦେହ ମୁଣ୍ଡରେ ଉତ୍ତାଳ ଯୌବନର କାଉଁରି ପରଶ ଛୁଇଁନାହିଁ, ତଥାପି ଅବେଳଟାରେ ଜୀବନର ଏତେ ଗୁପ୍ତରହସ୍ୟ ଆରମ୍ଭ ହୁଏ କାହିଁକି ? ଯୌବନ ସମ୍ବନ୍ଧରେ ସବୁ କଥା ଜାଣିବାକୁ କୁତୁହଳ ଲାଗେ କାହିଁକି ?

 

–ଟିକିଏ ଗଲା । ନିରୁ କହିଲା–ଶରତ ଭାଇ, ଆସ ଆମ ଘରକୁ । ଦୁହେଁଯାକ ଆସିଲେ-

 

–ନିରୁବୋଉ ସେତେବେଳକୁ ଭାତ ଦି’ଟା ବସାଇ, ପରିବା କାଟୁଥିଲେ । ଶରତ ଆଗତୁରା ପଶିଯାଇ କହିଲା–ମାଉସୀ, ଶୁଣିଲଣି, ନିରୁ ମତେ କହୁଛି, ତୁମେ ଆମ ଘରକୁ ଆସିବ ନାହିଁ, ମୁଁ ତ କାଲିଠାରୁ ଜମାରୁ ଆସିବି ନାଇଁ ।

 

–ନିରୁବୋଉ ସାରୁ ଦି’ଟା କାଟୁ କାଟୁ ହସି ହସି କହିଲେ–ସେ ଓଲଟା କଣ ଜାଣିଛି ରେ-! ତୋ ଘର କିଏ, ତା ଘର କିଏ ?

 

–ନିରୁ ଦଉଡ଼ି ଯାଇ ବୋଉ ପାଖରେ ବସି କହିଲା–ନାଇଁ ବୋଉ, ମୁଁ ଜମାରୁ କିଛି କହୁନି । ମୋ ନାଁରେ ମିଛରେ ଖାଲି କହୁଛନ୍ତି, ଭାରି ମିଛୁଆ ଶରତ ଭାଇଟା ।

 

–ବୋଉ ହସିଲେ ।

 

–ଶରତ ତା ପାଖକୁ ଯାଇ ତା ହାତ ଧରି ଟାଣୁ ଟାଣୁ କହିଲା–ହଁ–ମୁଁ ମିଛୁଆ ହେଲେ ହେଲି, ଆ-ପିଲାଙ୍କ ଖେଳ ଦାଣ୍ଡରେ ଦେଖିବା ।

 

–ନିରୁବୋଉ ହସି ହସି କହିଲେ–ମୋ ବାୟାଟା ଆସି କଟକରେ ପଢ଼ିଲାଣି । ଛୁଆଙ୍କ ଢଙ୍ଗ ଯାଇନି, ତୁମ ଇସକୁଲ ଛୁଟି କେବେ ପୂରିବ କିରେ ?

 

–ମାଉସୀ, ଆଉ ଆଠଦିନ ରହିଲା । ମୁଁ ରବିବାର ଦିନ ଯିବି ।

ସୋମବାର କ୍ଲାସକୁ ଯିବାକୁ ପଡ଼ିବ ।

 

–ସତେ ନା, ଦିନଗୁଡ଼ାକୁ କୁଆଡ଼େ ଚାଲି ଯାଉଛି ମ ? ପୁଅଟି ଆସି ଯିବାକୁ ବସିଲାଣି, ଗଣ୍ଡେ ସୁଦ୍ଧା ଖାଇଲା ନାହିଁ । ନିରୁ ଲୋ–ଶରତ ଭାଇକୁ ତୋର କାଲି ସକାଳେ ଡାକି ଆଣିବୁ । ଆମ ଗରିବ ଘରେ କଣ ଖାଇବ ସେ !

 

ଶରତ ହସିଲା ।

ଦୁହେଁ ଯାକ ହାତ ଧରାଧରି ହୋଇ ଦାଣ୍ଡ ଆଡ଼କୁ ଆସିଲେ ।

 

ଚନ୍ଦ୍ର ଉଝୁଳା ରୂପାର ସଂସାର । ସୁଲୁସୁଲିଆ ପବନ ଗହିର ମଝିର ନିଛାଟିଆ ଭୂଇଁଟା ଉପର ଦେଇ କିଲିକିଲି ହୋଇ ଗାଁ ମଝିକୁ ଦଉଡ଼ି ଆସୁଥାଏ । ଉପରେ କୋଟି କୋଟି ତରା ଆଖିମିଟିକା ମାରି କାହା ସଙ୍ଗେ ଠରାଠରି ହଉଥାନ୍ତି । ଗୋଠଛଡ଼ା ଡାମରା କୁଆଟା ଏକାଟିଆ ହୋଇ ଆକାଶଟାଯାକ ଚହଳ ପକାଇ ଥାଏ । ନିରୁ ଶରତ ଦିହେଁଯାକ ପିଣ୍ଡା ଉପରେ ଯାଇ ବସିଲେ । ସେତେବେଳକୁ ଦାମା, ନରିଆ, ଚଇଁଆ, ହରି ନାୟକ ଝିଅ ସୁନି, ଗୋପୀ ପ୍ରଧାନ ଝିଅ ଗୁରୁବାରୀ, ମହନ ମିଶ୍ର ପୁଅ ମାଇଚିଆ ପୁନିଆ ବି ସେଠି ହାଜର ହୋଇଗଲେଣି । କାହା ହାତେ ଆମ୍ବ ଡାଳ, କାହା ଅଣ୍ଟାରେ କନିଅର ଡାଳ ପୁଳାଏ ।

 

ଶରତ ଏସବୁ ଦେଖି ଭାରି କୁତୁହଳ ହୋଇ କହିଲା–ଦାମା, ସେଦିନର ଶବରୀ ଗୀତଟା ଗାଇଲୁ । ଭଲକରି ନାଚ, ଦି’ପଇସା ଦେବି । ତା’ପରେ–

 

ଦାମା, ହରିଆ ମୁହଁ ପାଖରେ ଆମ୍ବଡ଼ାଳ ହଲାଇ ଗାଇଲା–

 

 

କାଇଁଚ ଆଗରେ କଳା କାଇଁଚ ଅଗରେ କଳା

କଳା ମଚମଚ କୋଇଲୀ ପରା, ଶବରୀଲୋ ।

ତୋର ମୋର ଭାବ ଅଛିଣ୍ଡା ପରା ।

 

ନରିଆ ଡେଇଁଉଠି ଗାଇଲା–

 

ବଣ ମଲ୍ଲୀ ଗୋଟି ଗୋଟି,

ବଣ ମଲ୍ଲୀ ଗୋଟି ଗୋଟି–

ଲକ୍ଷେ ନାରୀ ମଧ୍ୟେ

ମୋ ନାରୀ ଥିଲେଟି,

ସୋରିଷ ପରି ମୁଁ ଆଣିବି ଖୁଣ୍ଟି; ଶବରୀ ଲୋ !

 

ମହନା ପୁଅ ମାଇଚିଆ ପୁନିଆଟା ମୁଣ୍ଡରେ ଗାମୁଛାଟାକୁ ଓଢ଼ଣା ପକାଇ ମଝିକୁ ପଶିଯାଇ ବାହୁନି ଉଠିଲା–

 

“ଏଡ଼େ ନିଦାରୁଣ ହେଲେ ହେଲେହିଁ ଆଜି

ବାପା ସାଆନ୍ତ

ଉଛୁଳା ନଈକି ଫୋପାଡ଼ି ଦେଲେ ହେ

ବାପା ସାଆନ୍ତ’’–

 

ପୁନିଆର ଏ ବାହୁନା ଦେଖି ସମସ୍ତେ ହୋ ହୋ ହୋଇ ହସି ଉଠିଲେ । ନିରୁ ହସି ହସି ଶରତ କୋଳରେ ଦି ଥର ପଡ଼ି ଦି ଥର ଉଠିଲା । ଶରତ ଖୁବ୍ ଜୋରରେ ତାକୁ ଚିପିଧରି କାଖରେ ହାତ ମାରି କୁତୁକୁତୁ କରୁଥାଏ ।

 

ଇମିତି କେତେବେଳେ ଚାଲିଲା ! ଅଛିଣ୍ଡା ଗୀତ, ବେସୁରା ରାଗିଣୀ, ପିଲାଙ୍କ କୋଳାହଳରେ ବଉଳଗଛ ମୂଳଟି ଉଲସୀ ଉଠୁଥାଏ ।

 

ସଞ୍ଜୁଆ ତରା ବୁଡ଼ିଲା । ଜହ୍ନ କାହା ସଙ୍ଗରେ ଲୁଚକାଳି ଖେଳି କାଳିଆ ବଉଦ ପଛରେ ଲୁଚିଛପି ଯାଉଥାଏ । ଗାଁ ସେମୁଣ୍ଡ ମଶାଣି ଭିତରୁ ବିଲୁଆଗୁଡ଼ାକ ଭୁକି ଉଠିଲେ । ନଈ ଉପର କଲରା କିଆରୀ ପଲାରୁ ଆଲୁଅ ଲିଭିଲା । ଆସ୍ତେ ଆସ୍ତେ ଚାରିଆଡ଼ ନିଃଶବ୍ଦ ହୋଇ ଉଠିଲା । ଶରତର ଚାକର ଆସି ଡାକିଲା–ବଡ଼ ସାଆନ୍ତେ ଭାରି ଖପା ହଉଛନ୍ତି ବାବୁ, ଭାତ ଶୁଖିଗଲାଣି, ଖାଇବେ ଆସନ୍ତୁ ।

 

ଶରତ ନିରୁକୁ ଗେଲ କରି ଦେଇ କହିଲା–ଯା ନିରୁ, ତତେ ନିଦ ମାଡ଼ିବଣି ।

ନିରୁ ସୁନା ଝିଅଟି ପରି ମୁଣ୍ଡ ଟୁଙ୍ଗାରି ଘର ଆଡ଼କୁ ଆସିଲା ।

 

ବାପା ତାର ସେତେବେଳକୁ ଗଣ୍ଡେ ଖାଇ, ଅଗଣାରେ ଦଉଡ଼ିଆ ଖଟ ଖଣ୍ଡେ ପକାଇ ଗଡ଼ ପଡ଼ ହେଉଥାନ୍ତି । ନିରୁ ଘର ଭିତରକୁ ପଶିଯାଇ ଡାକ ପକାଇଲା–ବୋଉ, ବୋଉ, ଭୋକ କଲାଣି ଖାଇବାକୁ ଦେ ।

 

ବାପା ତାର ଅନାଇ କହିଲେ–କେଉଁଠି ଏତେବେଳ ଯାଏ ଥିଲୁ ମା ? ତୋତେ ଭୋକ ଶୋଷ ସୁଦ୍ଧା ହଉ ନାହିଁ ? ଆସିଲୁ ମୋ ପାଖକୁ ।

 

ନିରୁ ବାପାଙ୍କ ପାଖରେ ଯାଇଁ ବସିଲା ।

 

ବାପା ପିଠିରେ ହାତ ବୁଲାଇ କହିଲେ–ଝାଳରେ ଜୁଡୁ ବୁଡ଼ ହୋଇ ଯାଇଛି ମୋ ମାଆଟା, ଗାମୁଛାରେ ପୋଛି ହୋଇପଡ଼ ।

 

ନିରୁ ପୋଛି ହେଉ ହେଉ କହିଲା–ବାପା, ମୁଁ ପରା ଶରତ ଭାଇ ସଙ୍ଗେ ଖେଳ ଖେଳୁଥିଲି ।

 

ବାପା ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ନିରୁକୁ ପାଖରେ ବସାଇ ତା ପିଠିରେ ହାତ ବୁଲାଉ ବୁଲାଉ କେତେ କଣ ଭାବି ଯାଉଥାନ୍ତି । ଟିକିଏ ଛାଡ଼ି ଗୋଟାଏ ଲେଖା ଦୀର୍ଘ ନିଃଶ୍ୱାସ ବାହାରି ପଡୁଥାଏ । ଟିକିଏ ଗଲା, ବାପା ନିରୁକୁ ଆଦର କରି କହିଲେ–ଯା ଝିଅ, ବୋଉ ତୋର ଶୋଇ ପଡ଼ିଛି, ହାତରେ ଗଣ୍ଡେ ବାଢ଼ିଆଣି, ଖାଇ ଦେ । ସପ ପକାଇ ପିଣ୍ଡାରେ ଶୋଇପଡ଼ ।

 

ଦିନ ପରେ ଦିନ ଗଡ଼େ, ତାରି ଭିତରେ ନର ଅଜଣା ଆଶା, ମୋହମାୟାରେ ଦୁଇଟି ପ୍ରାଣ ଛନ୍ଦି ହୋଇ ପଡ଼େ । ମନର ବନ୍ଧନ ଦୃଢ଼ ହୁଏ ।

 

ଶନିବାର ଉପରବେଳା । ଶତର ଘର ଭିତରକୁ ପଶିଆସି କହିଲା–ମାଉସୀ, ମୁଁ କାଲି ସକାଳେ କଟକ ଯାଉଛି । ନିରୁ କାହିଁ ? ତାର ତ ଦେଖା ମିଳୁନାହିଁ, କୁଆଡ଼େ ବୁଲି ଯାଇଚି ?

 

ମାଉସୀ ଟିକିଏ ମୁହଁ ଶୁଖାଇ କହିଲେ–ସତରେ ଯିବୁ କାଲି ! କେଇଦିନ ହେଲା ମୋ ଘର ପୂରି ଉଠିଥିଲା । ଭଗବାନ ତୋତେ ଆଇଶ ଦେଇଥାନ୍ତୁ । ଆଉ କଣ ଛୁଟି ହେବନି, ଆଉ କେବେ ଆସିବୁରେ ! ଆଶା ଥିଲା ତୋତେ ସଙ୍ଗରେ ନେଇ ଭୁବନେଶ୍ୱର ଟିକିଏ ଯାଇଥାନ୍ତି । ସେତକ ବି ହେଲାନାହିଁ । ଆଉ ଯେବେ ଆସିବୁ, ସାଙ୍ଗହୋଇ ଯିବା ।

 

–ଶରତ କହିଲା–ମାଉସୀ, ଆଉ ଛ’ଟା ମାସ ପରେ ବଡ଼ଦିନ ଛୁଟି ହେବ, ମୁଁ ଆସିଲେ ଭୁବନେଶ୍ୱର ଯିବା । ନିରୁ କାହିଁ ?

 

–ବୋଉ ଡାକିଲେ ନିରୁ ନିରୁ, ତୋତେ ଶୁଭୁନାହିଁ କିଲୋ ! ପୁଅଟା ଆସି କେତେ ଖୋଜୁଛି, ନ ଶୁଣିଲା ପରି ସେଇ ଘରଟାରେ ବସିଛୁ ନା ।

 

–ନିରୁ ଟିକିଏ ଗମ୍ଭୀର କଣ୍ଠରେ କହିଲା–ନାଇଁ ମୁଁ ଯିବି ନାଇଁ, ସେ ତ କାଲି ଚାଲିଯିବେ….

 

ମଲା, ଆଉ ତୋ ସଙ୍ଗରେ ଖେଳିବାକୁ କଣ ବସିଥାନ୍ତା କି ?

ଶରତ ହସି ହସି ଆର ଘରକୁ ପଶିଗଲା ।

 

ନିରୁ ମୁହଁମାଡ଼ି ଶୋଇ ଖଣ୍ଡେ କାଗଜରେ କଣ ଲେଖୁଥାଏ । ଶରତ ତା’ଉପରକୁ, ଆଉଜିପଡ଼ି ବସି କହିଲା–କଣ ଲେଖୁଛୁ ନିରୁ ?

 

–ନାଇଁ ଶରତ ଭାଇ, ତୁମେ ଦେଖନା, ଟଣାଟଣି କଲେ ଛିଣ୍ଡାଇ ପକାଇବି ଜାଣିଥା–

–ଇମିତି କାହିଁକି ହଉଛୁ, ମୁଁ ତୋର କଣ କଲିକି ?

–ନିରୁ ଭାରି, ଅଭିମାନରେ କହିଲା–କଣ କଲି କି ? ତୁମେ ତ କାଲି ଚାଲିଯିବ..

 

–ଶରତ ତା’ ମୁହଁକୁ ଉଠାଇ ଗୋଟିଏ ଚୁମ୍ବନ ଦେଇ କହିଲା–ଏଇଥିପାଇଁ ରାଗୁଛୁ ? ମୁଁ ଫେରେ ଛୁଟି ହେଲେ ଆସିବି ଯେ–ତୁ କଣ ଲେଖୁଛୁ ଦେଖା ।

 

ନିରୁ ଛଡ଼ାମଡ଼ା କରି କହିଲା–ନା, ତୁମକୁ ଜମାରୁ ଦେଖାଇବି ନାହିଁ ।

 

–ଶରତର ଭାରି କୁତୁହଳ ହେଲା ଦେଖିବା ପାଇଁ । ନିରୁକୁ ଜୋରରେ କୋଡ଼ ଭିତରେ ରଖି ସେ ଖଣ୍ଡ ଛଡ଼ାଇ ଆଣିଲା ।

 

ଯେମିତି ଶରତ ସେଖଣ୍ଡକ ନିଜ ହାତକୁ ନେଇଛି, ନିରୁ ତା’ କୋଳରୁ ଜୋରକରି ଉଠି ଲାଜ ଲାଜ ହୋଇ ପଦାକୁ ପଳାଇ ଆସିଲା ।

 

–ଶରତ ଯେତେ ଡାକିଲା ଶୁଣିଲା ନାହିଁ । ତା’ପରେ ଶରତ ଲୋଚାକୋଚା କାଗଜ ଖଣ୍ଡକୁ ଫିଟାଇ ପଢ଼ିଲା ।

 

ଶରତ ଭାଇ,

 

ତୁମେ କାଲି କଟକ ଚାଲିଗଲେ ମୋ ମନ ଭାରି କଷ୍ଟ ହେବ । କଟକ ଯାଇ ମୋ ପାଖକୁ ରଙ୍ଗ ଡ଼ିବାଏ, ଖଣ୍ଡେ ଚିଠି ଦେବ । ମୋତେ ଆଜି ଭାରି କାନ୍ଦ ମାଡ଼ୁଛି, ମୋ ରାଣ ପକାଇ ଯା, କେବେ ଆସିବ । ସେଦିନ ମୋ କାନରେ କଣ କହିଥିଲ ? ତମେ ଆସିଲେ ମୁଁ ତୁ–ମ–କୁ....

 

ଶରତ ଚିଠି ଖଣ୍ଡକ ପଢ଼ୁ ପଢ଼ୁ ତା ମନଟା ଭାରି ଗୋଳେଇ ଘାଣ୍ଟି ହେଲା । ନିରୁଟି ସତରେ ତାକୁ କେତେ ଭଲ ପାଏ ! ତାର ମନ ହେଉଥାଏ ତାକୁ ସଙ୍ଗରେ ନେଇ ଯାଆନ୍ତା କି ? ତା’ପରେ ଶରତ ଉଠି ନିଜକୁ ଖୋଜିବାକୁ ଗଲା ବେଳକୁ ନିରୁ ଚୁପ୍‌କରି ଦୁଆର ପାଖରେ ହାତରେ କଲମଟା ଧରି କାନ୍ଥକୁ ଖେଞ୍ଚୁଛି । ଶରତକୁ ଦେଖି ଦଉଡ଼ି ପଳାଇ ଯାଉ ଯାଉ, ଶରତ ତା’ ଲୁଗାକାନିକୁ ଧରି ଟାଣି ଟାଣି ଘରକୁ ଆଣିଲା । କୋଳରେ ବସାଇ କେଡ଼େ ଆଦରରେ ତା’ର ପିଠି ଆଉଁସି ଦେଉ ଦେଉ କହିଲା–ତୋ ଚିଠି ମୁଁ ଜମା ପଢ଼ିନି, କଣ ଲେଖିଛୁ ଲେଖ । ନିରୁ ସେ କାଗଜ ଖଣ୍ଡକ ଛଡ଼ାଇ ନେଇ ଲୁଗା ଭିତରେ ଲୁଚାଇ ଦେଲା ।

 

ତହିଁ ଆରଦିନ ସକାଳ । ଶରତ ଭୋରରୁ ଉଠି ଦାଦି ଖୁଡ଼ୀଙ୍କୁ ଦଣ୍ଡବତ କିରି ନିରୁ ଘରକୁ ଆସିଲା । ନିରୁବୋଉକୁ ଦଣ୍ଡବତ କରି କହିଲା–ମାଉସୀ, ମୁଁ ଯାଉଛି, ଡେରି ହେଲେ ମଟର ଫେଲ୍ ହେବି ।

 

ନିରୁବୋଉ ଆଶୀର୍ବାଦ କଲେ ।

 

ନିରୁ ପିଣ୍ଡା ଖୁଣ୍ଟକୁ ଧରି ଠିଆ ହୋଇଥାଏ । ଶରତ ତା ପାଖକୁ ଯାଇ କହିଲା–ନିରୁ, ସୁନାଟି ପରା ! ମନ କଷ୍ଟ କରିବୁନୁ, ମୁଁ ଛୁଟିରେ ଆସିବି ଯେ–ମୁଁ ଯାଉଛି–ଏଁ !

 

ନିରୁ ଛଳ ଛଳ ଆଖିରେ ଲୁଗା କାନି ଭିତରୁ ଚାରିକଣିଆ ଖଣ୍ଡେ କାଗଜ ଶରତ ଉପର ପକେଟରେ ଗଳାଇ ପକାଇଲା ।

 

ଶରତ ଆଖିରେ ଲୁହ ଛଳ ଛଳ ହୋଇ ଆସିଲା । ଅନ୍ତରର କୋହ ଉଠିଲା । ଟିକିଏ ନୀରବ ରହି ବଡ଼ କରୁଣ ସ୍ୱରରେ ଡାକିଲା, ନିରୁ !

 

ନିରୁ ଲୁଗା କାନିରେ ଲୁହ ପୋଛି ଦେଇ ଖନ ଖନ କରି କହିଲା–ଶରତଭାଇ, ମୋ ରାଣ ପକାଇ ସତ କହ, ଆଉ କେବେ ଆସିବ ?

 

ଶରତ କହିଲା–ନିରୁ, ମୋ ରାଣ, ମୋ ସୁନାଟି ପରା, ଆଉ କାନ୍ଦେନା, ମୁଁ ଚାଲିଗଲା ପରେ ତୁ ଜମାରୁ ମନ କଷ୍ଟ କରିବୁନୁ । ତୁ ଯଦି ମନକଷ୍ଟ କରୁ, ତାହାହେଲେ ମୋ ମନରେ ଭାରି କଷ୍ଟ ହେବ, ପଢ଼ାପଢ଼ି ଜମାରୁ କରି ପାରିବି ନାଇଁ । ସବୁବେଳେ ତୋତେ ଭାବି କାନ୍ଦିବି । ତୁ ମନରେ ଜମାରୁ କଷ୍ଟ କରନା, ମୁଁ ବଡ଼ଦିନ ଛୁଟିରେ ନିଶ୍ଚୟ ଆସିବି । ସାଙ୍ଗହୋଇ ଭୁବନେଶ୍ୱର ଯିବା ।

 

–ନିରୁ କଥା କହି ପାରିଲାନି । ନିଜ ହାତରେ ନିଜେ ଲୁହ ପୋଛି ଶରତ କଥାରେ ମୁଣ୍ଡ ଟୁଙ୍ଗାରିଲା ।

 

ଦୁହେଁଯାକ ନୀରବ ଅନେକକ୍ଷଣ ।

 

ନିରୁବୋଉ ଗାଧୋଇ ଚଉରାରେ ପାଣି ଦେଉ ଦେଉ କହିଲେ, କିଲୋ ନିରୁ, ପୁଅଟାକୁ ଏତେବେଳଯାଏ ଅଟକାଇଛୁ କାହିଁକି କହିଲୁ ? କେତେ ବାଟ । ଖରା ଏଇକ୍ଷଣି ବାଘପରି ମାଡ଼ି ଆସିବ । ମଟର ନ ପାଇଲେ ଛୁଆଟାର ଅବସ୍ଥା କଣ ହେବ କହିଲେ ନ ସରେ । ଯା’ରେ ବାପ । ଖରା ମାଡ଼ି ଆସିଲାଣି । ମଉସା ପାଖକୁ ଚିଠି ଖଣ୍ଡେ ଲେଁଖା ଦେଉଥିବୁ ।

 

ଶରତ ଯେ ଅନେକ ବାଟ ଯିବ, ଏ ଧାରଣା ତାର ସେତେବେଳକୁ ନଥିଲା । ସେ ଚମକିପଡ଼ି ଦେଖିଲା ଖରା ଅନେକ ହେଲାଣି । ବେଳାବେଳି ନ ଗଲେ ମଟର ପାଇବା ଅସମ୍ଭବ । ସେଇଠୁ ସେ ନିରୁର ଛୋଟ ହାତଟିକୁ ଟାଣିଆଣି ଅତି ସରାଗରେ ଚୁମ୍ବନଟିଏ ଦେଇ କହିଲା–ନିରୁ, ମୋ ରାଣ, ଜମାରୁ ମନ କଷ୍ଟ କରିବୁନୁ । ମୋ ପାଖକୁ ବରାବର ଚିଠି ଦେବୁ । ମୁଁ ଯାଉଛି–ଏଁ ।

 

ନିରୁ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ମୁଣ୍ଡ ହଲାଇଲା ।

 

ଶରତ ତରତର ହୋଇ ଆଗକୁ ଚାଲିବାକୁ ଲାଗିଲା । ନିରୁ ପିଣ୍ଡା ଖୁଣ୍ଟକୁ ଧରି ଏକ ନୟନରେ ଅନାଇଁ ଛିଡ଼ା ହୋଇଥାଏ । ଶରତ ଯେ ଆଜି କଟକ ଯାଉଛି ଏକଥା ତା ଆଖି ଆଗରେ ନାଚି ନ ଉଠି କେତେ ଦିନର କେତେ ରହସ୍ୟ ଘଟଣା ଆଖି ଆଗରେ ଛବି ପରି ଗୋଟି ଗୋଟି ହୋଇ ନାଚି ଦଣ୍ଡକେ କୁଆଡ଼େ ଉଭେଇ ଯାଉଥାଏ । ତା’ ଅଜାଣତରେ ମଧ୍ୟ କେତେ ଟୋପା ଲୁହ ଆଖିରୁ ବୋହି ଆପେ ଆପେ ଶୁଖିଗଲାଣି ତାକୁ ଜଣା ନାହିଁ । କେତେବେଳେ ଗଲା, ବୋଉ ଘର ଭିତରେ କଣ କାମ କରୁ କରୁ ଡାକିଲେ–ନିରୁ, ଇଆଡ଼େ ଟିକିଏ ଆସିଲୁ । ନିରୁର ଚେତା ଆସିଲା । ଖୁବ୍ ଦୂରକୁ ଅନାଇ ଦେଖେ ଶରତ ଭାଇ ତାର ଅନେକ ଦୂରରେ ।

 

ନିରୁ ଆଖିର ସବୁ ଶକ୍ତି ଦେଇ ଅନାଇଲା, ଶରତ ଭାଇର ସେ ଗୋରା ତକତକ ଦେହ, ହସ ହସ ମୁହଁଟି ପୁଣି ଥରେ ଦେଖିନେବାକୁ । କିନ୍ତୁ ନିରୁର ସବୁ ଆଶା ବୃଥା ହେଲା । ଶରତ ଗଛ ପତର ଉହାଡ଼ରେ ଆସ୍ତେ ଲୁଚିଗଲା ।

 

ଯୌବନର ମୋହ ଆକର୍ଷଣ ମନରେ ପୂରା ଛୁଇଁନାହିଁ । ଅନ୍ତରର କେଉଁ ଛୋଟ ପରଦା କଣରୁ ବାହାରକୁ ଆସିବାକୁ ଉଙ୍କି ମାରୁଛି, ତଥାପି ଜଣକ ପାଇଁ ନିରୁର ଆଖିରୁ ଲୁହ ଝର ଝର ହୋଇ ବହି ପଡ଼ିଲା । ଅନ୍ତରରେ କେତେ କୋହ, କେତେ ବେଦନା ଧରି, ଘର ଆଡ଼କୁ ମୁହଁ ବୁଲାଇଲା ।

 

ଶ୍ୟାମସୁନ୍ଦରବାବୁ–ଶରତର ଦାଦା ।

 

ହରି ପ୍ରଧାନ ତା ଛ’ମାଣିଆ କିଆରିରେ ହଳ ବୁଲାଉ ବୁଲାଉ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ କହିଲା–ଏ ଯୁଗରେ ଆଉ ଧରମ ନାଇଁରେ ପରିଆ । ଦୁନିଆ ଓଲଟି ପଡ଼ିବା କଥା ଛଡ଼ା ଆଉ କଣ !

 

ପରିଆ କୋଡ଼ିରେ ଖତ ଏଣିକି ତେଣିକି ପକାଉଥିଲା, ଟିକିଏ ବନ୍ଦ କରି କହିଲା–କଣ ବୋଇଲେ ସାଆନ୍ତେ ?

 

–ନାଁ ରେ, କଣ କହିବି–ସେହି ଶାମବାବୁଙ୍କ କଥା–ଗାଁ ମୁରବୀ ଜମିଦାରଙ୍କ କଥା । ଧରମ ଆଉ ନାହିଁ, ବନ୍ଦର ସ୍ୱରୂପ ଓଲଟି ଯିବେ ରେ ଏଥର ।

 

ପରିଆ ଟିକିଏ ଗଳା ଖଙ୍କାରି ମୁରୁକିହସା ମାରି କହିଲା–କଣ କହିବି ସା’ନ୍ତେ । ଆପଣ ତ ବାପ ସମାନ । ଆପଣଙ୍କଠୁ ଅକଲ ଶିଖିଛି । ସାଆନ୍ତଙ୍କ କଥାଟା କାହିଁକି ମନକୁ ପାଇଲା ନାଇଁ ଜମାରୁ । ଧରମ କୁଆଡ଼େ ଯିବ ? ନିକିତି ଧରି ଦିନରାତି ବଇଚି । ଛୁଞ୍ଚି, ମାଛି ପରଖ ସେଠି । ଏ ଅନ୍ୟାୟ ସେଠି କଣ ସମ୍ଭାଳି ହେବ ? ସେଥିପାଇଁ ପରା ଭାଗବତରେ କହିଛି–

 

“ମରଣକାଳେ ବିପରୀତ ବୁଦ୍ଧି”

 

ଏ ପଦ କଣ ଅନ୍ୟଥା ହେବ ସା’ନ୍ତେ । ଜମାରୁ ନୁହେଁ । ଏ ପାଖର ସ୍ୱରୂପ ସେ ପାଖରେ ଉଇଁଲେ ବି ନୁହେଁ । ଏ ବା କିବା କଥା ।

 

–ଏ ଯୁଗରେ ଦିଅଁ ଦେବତା କୁଆଡ଼େ ପଥର ପାଲଟି ଗଲେଣି ରେ । ଆଚ୍ଛା କହିଲୁ, ସନା ମଳିକର କି ଦୋଷ ଭଲା ? ବାପ ମା ଛେଉଣ୍ଡ ଭାଇ ଭଉଣୀ ଦି’ଟା । ପାଟକ ଜାତି ହେଲେ କଣ ହେବ, ଖାନ୍ଦାନି ଘରପରି ଅକଲ । ଶାମବାବୁଙ୍କ ପୁଅ ମଦନ କଥା କିଏ ନ ଜାଣେ ? ଆଖପାଖ ଦଶଖଣ୍ଡି ଗାଁରେ ଡିବି ଡିବି ବାଜୁଛି । ଛି, ଛି, ମଣିଷ ପୁଣି ଧନ ଗର୍ବରେ ଇମିତି ହୁଅନ୍ତି ରେ ।

 

–ଏକଥା କଣ ମିଛ ? ସନା ଯାଇଛି ଶଙ୍ଖ ବଜାଇ ଆର ଗାଁକୁ । ପଲା ଭିତରେ ବଢ଼ିଲା ଭଉଣୀ ସୁନିଟି ଏକା । ସଞ୍ଜବେଳରୁ ଟିକିଏ ଗଡ଼ିଛି । ଏଡ଼େ ସାହସ କାହାର ହେବ । ସୁନି, ଭାଇ ଆସିବ ବୋଲି ଭାତ ଗଣ୍ଡା ବସାଇ ପରିବା କାଟୁଛି । ପଛରୁ–ଛି–ଛି ! କାନ ଫେର ୟା’ ଶୁଣିଲା । ଘୋର କଳିକାଳ । ମାଇକିନିଆ ଝିଅ, ବଳ କେତେ । ଛାଟିପିଟି ହୋଇ ପାଟି ତ କଲା, ଆଉ ତାର ଚାରା କଣ ?

 

–ସନା ଯେମିତି ଫେରିଛି ଦେଖିଲା–ଭଉଣୀ ମୁଣ୍ଡ ପିଟି ନହୁନୁହାଣ । ସବୁ କଥା ଶୁଣିଲା । ଘୃଣା, ରାଗରେ ତା’ ହୃଦୟ ଫାଟି ପଡ଼ିଲା । ଚାରିଆଡ଼ ତାକୁ ଅନ୍ଧାର ଦେଖାଗଲା । କାହାର ନ ହେବ ! ଯାହାର ଝିଅ ବୋହୂ ପିଲାପିଲି ଅଛନ୍ତି, ସେକଥା ସେ ଜାଣେ । ସନା ଭଳିଆ ଥଣ୍ଡା ପିଲାଟା ରାଗରେ ପାଚିଗଲା । ଛୋଟ ଜାତି ବୋଲି କଣ ତାର ମାନ ମହତ ନାଇଁ ।

 

ସେଇ କଥା ତ ! ଟାଣ ଟାଣ କରି ଯେମିତି ତାଙ୍କ ଦାଣ୍ଡ ଦୁଆର ମୁହଁରେ ଦି’ପଦ ଶୁଣାଇ ଦେଇଛି, ଆଉ ଯାଏ କୁଆଡ଼େ ? ବାପ କହିଲେ ପୁଅ ମୋର ଗୋଟିପଣ ତୁଳସୀ । ପୁଅଙ୍କ କଥା ତ ଛାଡ଼ । ନ୍ୟାୟ ବିଚାର ପାଇବ କଣ, ତା’ ବଦଳରେ ତା’ ପିଠି ସିଜିଲା, ମୁଣ୍ଡ ଫାଟିଲା । ଆହା ଯେଉଁ ବିକଳ ତାର, ପାଷାଣ ହେଲେ ତରଳି ଯିବ । ମଣିଷ ମନ ହେଇ କେମିତି ଏସବୁ କଥା ସହିଲା କେଜାଣି । ଏତିକି ନୁହେଁ, ଆଦେଶ ହେଲା–ଗାଁରୁ ନିଆଁ ପାଣି ମୂଳ ସବୁ ବନ୍ଦ । ମଣିଷ ସିନା ୟା କଲା, ଭଗବାନଙ୍କ ପାଖରେ କଣ ଏ ବିଚାର ଠିକ୍ ? ତା’ ପେଟ ଚାଖଣ୍ଡକ କଣ ୟାଙ୍କରି ଲାଗି ଅପୋଷା ରହିବ ! ଭଗବାନ ଯେତେବେଳେ ଜନମ ଦେଇଛନ୍ତି, ନିଶ୍ଚୟ–ଦାନା ଖଞ୍ଜିଛନ୍ତି । ମଣିଷର ଗର୍ବ ଆଉ କେତେଦିନ । ଏ କଣ ସୁନା ସିନ୍ଦୁକରେ ମୁଣ୍ଡ ରଖି ସବୁଦିନେ ବଞ୍ଚିବେ ?

 

–ପରିଆ ମୁଣ୍ଡରେ ଠେକା ବାନ୍ଧି ଫାଉଣ୍ଡାରେ ଖତ, ମାଟି ସଙ୍ଗେ ମିଶାଉ ମିଶାଉ କହିଲା–କାହିଁକି କଉଛନ୍ତି ସେକଥା ସା’ନ୍ତେ । ଯେ ତୁଳସୀ ସେ ତୁଳସୀ, ଯିଏ ବିଛୁଆତି ସେ ବିଛୁଆତି । ବଡ଼ ସାଆନ୍ତେ ଯଦି ବଞ୍ଚିଥାଆନ୍ତେ, ଏତେକଥା ମଣିଷ ପୁଣି ଶୁଣନ୍ତା । ଏତେ ଘଟଣା ପୁଣି ଗାଁରେ ଘଟନ୍ତା ! ଦୈବର ଏଟା ବଡ଼ ଅବୁଝାମଣା । କଳିକାଳରେ ଭଲଲୋକ ସବୁ ଯାଉଛନ୍ତି, ଯିଏ ପର ତଣ୍ଟି ଚିପିବ, ସେଇ ଲୁହା ସିନ୍ଦୂକରେ ମୁଣ୍ଡ ବାନ୍ଧି ରହୁଛି ।

 

–ସେ କଥା କହନା ରେ ପରିଆ–ସେ କଥା କହନା । ଜମିଦାର ବୋଲି ତାଙ୍କୁ କଣ ଲୋକେ ଭାବୁଥିଲେ ! ଠିକ୍ ଭାଇ ପରି । ଆପଦ ବିପଦରେ ବଡ଼ଭାଇ ପରି ଆଉ କିଏ ଠିଆ ହେବ-। ସେ ଗଲେ, ତାଙ୍କ ପଛେ ସ୍ତ୍ରୀ ଗଲେ । ଗାଁରୁ ଶିରୀ ତୁଟିଲା । ବାପ ବି ଯେମିତି ପୁଅ ବି ସେମିତି । ମାଛିକି ମ ବୋଲି କହିବ ନାହିଁ । ଗାଁରେ ଅଧେ ଲୋକଙ୍କୁ ଚିହ୍ନିଚି କି ନାଇଁ । ଭଗବାନ ତାଙ୍କୁ ଆଇଶ ଦେଇଥାନ୍ତୁ । ଦେଖନା ୟା’ଙ୍କ ଛତରା ପୁଅ ପରି କିଏ ହେବ । ଗୁଣ ଅର୍ଜିବା ପାଇଁ କେଉଁ ରାଇଜରେ ଯାଇ ପଢ଼ୁଛି । ତାର ମଙ୍ଗଳ ହେଉ, ସୁଖରେ ଘର କରୁ । ଦିନେ ସେହି ବାପ ମା’ଙ୍କ କୀର୍ତ୍ତି ଫେରାଇ ଆଣିବ ଯେ ! ଏଇ ପୋଡ଼ା ଦାଦି ଖୁଡ଼ୀ ତାକୁ ସଇଲେ ହେଲା । ଏ ଯୁଗରେ କାହାକୁ ବିଶ୍ୱାସ । ସମ୍ପତ୍ତି ଲାଗି ଯଦି... ହେ ଭଗବାନ ତା ନ ହେଉ ।

 

ସୂରୁଯ ଦେବତା ମୁଣ୍ଡ ଉପରକୁ ଆଇଲେ । ହରି ପ୍ରଧାନ ମୁଣ୍ଡ ଉପରକୁ ଦି’ଥର ଅନାଇଁ କହିଲା–ବେଳ ଗଡ଼ିଲାଣି, ଚାଲ ପରିଆ । କାଳିଆଟା ଶୋଷରେ ସଇଁ ସଇଁ ହେଲାଣି । କାଲି ଖତପକା ନାଇଁ, ଭୋରୁ ହଳ ଫିଟାଇ ଆଣିଲେ ଛ’ମାଣିଆଟା ସରିଯିବ । ଯାହା ଶୁଣିବା, ଯାହା ଦେଖିବା, ଉପାୟ କରିବାକୁ ଆମର ଚାରା କଣ । ଧରମ ଥିଲେ ସବୁ ବୁଝିବ ।

 

ଖରା ତେଜ କମେ, ରାସ୍ତା ଘାଟରେ ମଣିଷ ଯିବା ଆସିବା କରନ୍ତି । ନିରୁଟି ବାଁ ହାତରେ ପାଣି ନୋଟିଏ, ଡାହାଣ ହାତରେ ପହଁରାଟିଏ ଧରି ଦାଣ୍ଡକୁ ଆସେ । ପାଣି ନୋଟାଟି ଚଉରା ଉପରେ ରଖିଦେଇ, ପହଁରାଟି ଧରି ଦାଣ୍ଡପିଣ୍ଡା, ବଉଳ ମୂଳ, ଚଉରା ପାଖ ଧଇଁସଇଁ ହୋଇ ଓଳାଇ ଦିଏ । ମା’ ଘରଆଡୁ ଡ଼ାକନ୍ତି–କିଲୋ ନିରୁ, ତୁ ଏଡ଼େ ଅମାନିଆଟା ? ମୁଁ କହୁଛି ପରା ଆଉ ଟିକିଏ ଯାଉ, ଏତେ ଦିନ ଥାଉଁ ତୋର ଓଳିଆଓଳି ଲାଗିଛି ? ନିରୁ ଶଙ୍କିଗଲା ପରି କହେ–ମୋର କେତେ କାମ ମାଆ । ଦାଣ୍ଡ ଓଳାଇବି, ବଉଳ ଫୁଲ ତୋଳିବି, କଅଁଳା ବାଛୁରୀକି କାଣ୍ଡିଆକୁଣ୍ଡା, ଗୋଳି ପିଆଇବି, ଫୁଲ ଗୁନ୍ଥିବି, ସଞ୍ଜବତୀ ବଳିବି, ବେଳାବେଳି କାମ ନ ସରିଲେ କେମିତି ହବ ମା’ ।

 

ମା’ମନେ ମନେ ଭାବନ୍ତି, ନିରୁଟି ମୋର କେଡ଼େ କୁହାର ବୋଲର, ଲକ୍ଷ୍ମୀଟି ମୋର । ହେ ଭଗବାନ, ତା କପାଳ ଭଲ ହେଉ । ଶରତକୁ ଘେନି ତା ସରଳ ଜୀବନଟି ସୁଖରେ କଟିଯାଉ । ଶରତ କଥା ଭାବୁ ଭାବୁ ତାଙ୍କ ଦେହ ଥରି ଉଠେ । ଆଖି ବୁଜି ହୋଇପଡ଼େ । ଆଖିକଣରୁ ଦି’ଧାର ଲୁହ ଗଡ଼ି ପଡ଼େ । ଦଣ୍ଡେ ନୀରବ ରହନ୍ତି । ଅନ୍ତର ଭିତରୁ ଗୋଟାଏ ଦୀର୍ଘ ନିଶ୍ୱାସ ବାହାରି ଆସେ–କାନ୍ଥରେ ମୁଣ୍ଡ ଲଗାଇ କହନ୍ତି–ହେ ଭଗବାନ, ତୁ ଭ-ର-ସା ।

 

ନିରୁଟି ଗୁଣୁ ଗୁଣୁ ହୋଇ ଗୀତ ଗାଇ ସବୁଆଡ଼ ଓଳାଇଦିଏ । ଅଗଣା କୂଅରୁ ନୋଟି ନୋଟି କରି ପାଣି ଆଣି ଚାରିଆଡ଼େ ଛିଞ୍ଚି ଦିଏ । ନିରୁର ହାତ ବାଜି ଛୋଟ ଚାଳ ଘରଟି ଛବିଟି ପରି ଦେଖାଯାଏ । ମଥୁରି ଅଜା ସେଇବାଟେ ଗାମୁଛା ପିନ୍ଧି ହାତରେ ବାଡ଼ି ଧରି ପୋଖରୀପଣି ଗଲାବେଳେ ଥଟ୍ଟା କରି କହନ୍ତି–ହଇହୋ ନିରୁବୋଉ, ତୁମ ଝିଅଟିକୁ ମତେ ବାହା କରିଦିଅ । ଇମିତିକା ଟୋକାବର ଆଉ ପାଇବ ନାଇଁ । ନିରୁର ମତେ ରାଜି । କାଲି ମୋତେ ଚୁପ୍ ଚୁପ୍ କରି କହୁଥିଲା ପରା ବାହା ହବାକୁ ।

 

ନିରୁ ଭାରି ଚିଡ଼ିମିଡ଼ି ହୋଇ କହେ–ଦେଖିଲୁ ବୋଉ, ଏ ଅଜା ବୁଢ଼ାଟା କେମିତି ମୋ ସାଙ୍ଗରେ ଲଗେଇଛି । ଏଇକ୍ଷିଣା ପାଣି ଫୋପାଡ଼ିବି ଯେ…. ।

 

ମଥୁରି ଅଜା ତାଙ୍କ ପାକୁଆ ପାଟିରେ ହସ ଫୁଟାଇ କହନ୍ତି, କଣ କହିଲୁ ଟୋକି ? ମୁଁ ବୁଢ଼ା ? ଭେଣ୍ଡିଆ ବର ଆଉ କିଏମ !

 

ମା’ ଦାଣ୍ଡ ପିଣ୍ଡା ଖୁଣ୍ଟା ପାଖରେ ଠିଆ ହୋଇ କହନ୍ତି, କଲ୍ୟାଣ କର ତାକୁ । ସୁରୁଖୁରୁରେ ଘର କରୁ ।

 

ମଥୁରି ଅଜା ହସି ହସି କହନ୍ତି–ନିରୁଟି ବେଶ୍ ଝିଅଟିଏ ହେବ । ତା ରୂପ ଦେଖି ତ ସତରଗଣ୍ଡା ଟୋକା ନିଆଁକୁ ଡେଇଁବେ । ମୁଁ ଖାଲି କଲ୍ୟାଣ କରୁଛି, କେମିତି ଝିଅ ବାହା ହେବ, ବୁଢ଼ା ଖିରିପିଠା ଖାଇବ । କିଲୋ ନିରୁ, ମୁଁ ପରା ଥରେ କହିଲି ମତେ ଚଞ୍ଚଳ ମଙ୍ଗିଯା’ କାଲି ବାହାଘର କରିଦେବା ।

 

ନିରୁ ଫୁଲଡ଼ାଲାଟି ଥୋଇ ଦେଇ, ମଥୁରି ଅଜାଙ୍କ ହାତ ବାଡ଼ିକୁ ଧରି ଏଣେ ତେଣେ ଟାଣି ପକାଏ । ଅଜା ହାଉଳି ହୋଇ କହନ୍ତି–ଛାଡ଼ ଛାଡ଼, ତତେ ମୁଁ ଆଉ ପାରିବି ନାହିଁ, ଏହା କହି କହିବା ବାଡ଼ିଖଣ୍ଡ ଧରି ହରି ମଳିକ ବାଉଁଶବାରି ଆଡ଼କୁ ପୋଖରୀପାଣି ବସି ଯାଆନ୍ତି ।

 

ମା’ଘର ଭିତରକୁ ଯାଆନ୍ତି । ନିରୁ ଫୁଲ ଚାଙ୍ଗୁଡ଼ିଟି ଧରି ବଉଳଫୁଲ ଗୋଟି ଗୋଟି ସାଉଣ୍ଟୁ ଥାଏ । ତା’ ଅଜାଣତରେ ମୁଣ୍ଡରୁ ଲୁଗା ଖସିଯାଏ । ପବନଟା ନିରୁର ଘନ ଚିକଣ ବାଳ ଭିତରେ କଣ ଖୋଜି, କିଲ୍ କିଲ୍ ହୋଇ ଛାତି ଭିତରେ କି ଗୁପ୍ତ ଧନର ସନ୍ଧାନ କଲାବେଳେ ଖୁବ୍ ଜୋରରେ କଚାଡ଼ି ହୋଇ ପଡ଼େ । ଭୟରେ ହାଉଳା ହୋଇ ଲୁଗାକୁ ଠେଲି ଗଳାଇ ଯିବାବେଳେ ନିରୁକୁ ଭାରି ସୁଲୁସୁଲୁ ଲାଗେ । ସେ ତରତର କରି ଛାତି ଉପରକୁ ଲୁଗାଟା ଟେକିଲାବେଳେ, ନିରୁକୁ ଭାରି ଲାଜ ମାଡ଼େ । ଆଖି ଦୁଇଟି ବୁଜି ହୋଇ ଆସେ ।

 

ଏଇ କେଇଦିନ ହେଲା ତା’ ଦେହ ମୁଣ୍ଡରେ ଶୀଘ୍ର ଶୀଘ୍ର ଯେଉଁ ପରିବର୍ତ୍ତନ ହେଉଛି, ସେକଥା ତାକୁ ଭାରି ଅଡୁଆ ଅଡୁଆ ଲାଗୁଛି । ସେ ଭାବେ–ଆଉ ଦି’ମାସ ପରେ ଶରତ ଭାଇ କଟକରୁ ଆସିଲେ ଏସବୁ ଦେଖି କଣ ଭାବିବେ । ସେ ତ ଦେଖି ଯାଇଛନ୍ତି ଏସବୁ ମୋର କିଛି ନ ଥିଲା । ସେ ପ୍ରଥମେ ଯେତେବେଳେ ଆସି ମୋ ପାଖକୁ ଦଉଡ଼ି ଆସିବେ, ସେତେବେଳେ ଏ ସବୁ ଦେଖି ମୋତେ ଚିହ୍ନିପାରିବେ କି ନାହିଁ କେଜାଣି ? ସେ ବା କେଉଁ ମୁହଁରେ ଏସବୁ ତାଙ୍କୁ ଦେଖାଇବ-। କ୍ଷଣକ ମଧ୍ୟରେ ଆକାଶ ପାତାଳ କେତେ କଣ ଭାବି ଯାଏ । କିନ୍ତୁ ଏହି ଭାବନା ମଝିରେ ଗୋଟିଏ ଛୋଟ ଭାବନା ଆନନ୍ଦରେ କୁଦା ମାରେ । ଭାବୁ ଭାବୁ ଦେହ ଶୀତେଇ ଉଠେ । ଶରତ ପାଇଁ ସେ ଯେମିତି କେତେ କଷ୍ଟରେ ଏସବୁ ତିଆରି କରି ରଖିଛି । ଶରତ ଭାଇ ଆସିଲେ, ଏସବୁ ତାର ଦେଖି ବଡ଼ ବିସ୍ମିତ ହେବେ । ଏହିକଥା ଭାବି ତା ମନ ଆନନ୍ଦରେ କୁରୁଳି ଉଠେ । ଗୋଟାଏ ଅଜଣା ସୁଖ ଆଶାରେ ମନଟା ଛଟପଟ ହୁଏ । ଇମିତି କେତେ କଣ ଭାବି ଶେଷରେ ଠିକ୍ କରେ–ଶରତ ଭାଇ ପ୍ରଥମେ ମୁରୁକିହସା ମାରି ଯେତେବେଳେ ଆସି ତା ପାଖରେ ଠିଆ ହେବେ, ଗୋଡ଼ଠାରୁ ମୁଣ୍ଡଯାକେ ଅନାଇ ସବୁ ନୂଆକଥା ଦେଖି ହସ ହସ ମୁହଁରେ ତା’ ଆଖି ସଙ୍ଗରେ ଆଖି ମିଳାଇବାକୁ ଚେଷ୍ଟା କରିବେ, ସେତେବେଳେ ସେ ଆଦୌ ତାଙ୍କ ମୁହଁକୁ ଚାହିଁବି ନାହିଁ । ନିରୁ ନିରୁ ବୋଲା ଡାକି ତା’ ହାତଟିକୁ ତାଙ୍କ ଆଡ଼କୁ ଟାଣିନେଲାବେଳେ ସେ ମିଛିମିଛିକା ଟାଣି ହେବ–ଲାଜ କରିବ । ଶରତ ଭାଇ ଭାରି ହସି ହସି କହିବେ, କିଲୋ ନିରୁ, କେଉିଁଦିନଠୁଁ ଏତେ ଲାଜ କରି ଶିଖିଲୁଣି ମ ? ବାଃ, ଖାସା ବୋହୁଟିଏ ହେବତ ! ଏକଥା କହି, ମୁଁ ଯେ ମାଇକିନିଆ ଝିଅ, ଯୌବନର ପ୍ରଥମ ପାହାଚରେ, ସେକଥା ସେ କିଛି ନ ଭାବି ଜୋର କରି ତା ହାତକୁ ଧରି ତାଙ୍କ ଛାତି ଉପରକୁ ଆଉଜାଇ ପକାଇବେ । ସେତେବେଳେ ତା’ର ଆଉଜି ପଡ଼ିବାକୁ ଭାରି ଇଚ୍ଛା ଥିଲେ ସୁଦ୍ଧା ଟିକିଏ ଭିଡ଼ି ମୋଡ଼ି ହୋଇ ଚାରିଆଡ଼କୁ ଦି’ଥର ଅନାଇଁ ତାଙ୍କ ଛାତି ଉପରକୁ ଆଉଜି ରହିବ-। ସେ ବଡ଼ ଆଦରରେ ତା’ ମୁହଁଟିକୁ ଉଠାଇ କେଡ଼େ ସରାଗରେ ଚୁମ୍ବନଟିଏ ଦେଲାବେଳେ ସେ ଆଖି ଫିଟାଇ ତାଙ୍କ ମୁହଁକୁ ଚାହିଁବ ନାହିଁ । ଖାଲି ମୁରୁକି ହସିବ । ଶରତ ଭାଇ ହସି ହସି ଗାଲରେ ଗୋଟିଏ ଛୋଟ ଚାପୁଡ଼ା ମାରି କହିବେ–ଇସ୍, ଲାଜ ହେଉଛି ନା-! ମୋରି ପାଖରେ ? ଗାଲ ଟିପି ଦେଲେ ଦୁଧ ବାହାରିବ, ଆର ପୁଣି ଗୋଟେ ଲାଜ ?

 

ଇମିତି ସ୍ୱପ୍ନରାଇଜରେ ବୁଲି କେତେ କଣ ଭାବି ଯାଏ । ଫୁଲ ସାଉଁଟା କେତେବେଳେ ବନ୍ଦ ହୁଏ ତାକୁ ଜଣା ଯାଏନା । ଆଖି ଦୁଇଟି କାହା ଉଦ୍ଦେଶ୍ୟରେ କାହିଁକି ଗହିର ପାରିରେ, ଯେଉଁଠି କୁଆ କି ବଣି ଉଡ଼ିଗଲେ ଅଦୃଶ୍ୟ ହୁଅନ୍ତି, ସେଇଠି ମିଶିଯାଏ । ସେ ଯେ କେଉଁ ସୁଖ ପାଇଁ ଏତେ ଭାବୁଛି, ସେକଥା ମନରେ ତାର କଳ୍ପନା ଆସେ ସତ, କିନ୍ତୁ ଠିକ୍ କଳ୍ପନା ନୁହେଁ–ଝାପ୍‌ସା କୁହୁରି ପରି ।

 

ଇମିତି କେତେ ସମୟ ଯାଏ । ବୋଉ ହାଣ୍ଡିକୁଣ୍ଡେଇ ଧୋଇ ସଞ୍ଜବତୀ ବଳି, ପୋଖରୀପାଣି ଯିବାବେଳେକୁ ଡାକନ୍ତି–କିଲୋ ନିରୁ, ଏତେ ଫୁଲ ଆମର କଣ ହେବ କି ? ନିରୁର ଚେତା ପଶେ । ଗହିର ପାରିରୁ ଆଖି ଦୋ’ଟି ଫେରି ଆସେ ଫୁଲ ଚାଙ୍ଗୁଡ଼ିଟାକୁ । ତାର କେତେ ସୁଖ ଭାବନା ଦଣ୍ଡକରେ ସବୁ ଗୋଳମାଳ ହୋଇଯାଏ । ଫୁଲ ଚାଙ୍ଗୁଡ଼ାକୁ ଅନାଇଁ ତାକୁ ଭାରି ଲାଜ ମାଡ଼େ, ଯିଏ ଦେଖିବ କହିବ କଣ ? ଦି’ଘଣ୍ଟା, ହେବ ଫୁଲ ସାଉଁଟି ଅଧମୁଠା ଫୁଲ ସହିତେ ହେବ ନାଇଁ । ବୋଉ ପୁଣି ଥରେ ଡାକି ଦେଇ ଚାଲିଯାନ୍ତି । ନିରୁ ଆଉ ନବସି ଉଠି ଠିଆହୁଏ । ଫୁଲ ଡାଲାଟି ଲୁଗା କାନି ତଳେ ଘୋଡ଼ାଇ ଭାଗବତ ଘରକୁ ଯାଏ ।

 

ଚାରିଆଡ଼େ ସଞ୍ଜ ଲାଗେ । ନିରୁ ସଞ୍ଜବତୀ ଲଗାଇ ଲୁଗାକାନି ତଳେ ଦୀପଟି ଉହାଡ଼ କରି ଚଉଁରା ପାଖକୁ ଆସେ । ଲୁଗା କାନିଟିକୁ ଓଲଟାଇ ବେକରେ ପକାଇ ବୃନ୍ଦାବତୀଙ୍କ ପାଖରେ ମୁଣ୍ଡ ଲଗାଇ କହେ–ହେ ମା ବୃନ୍ଦାବତୀ, ତୋ ପାଦତଳେ ମୁଁ ଆଶା ନେଲି । ମୋ ଦୁଃଖ କଥା ତୁ ବୁଝିବୁ । ଅନ୍ତରରୁ ଗୋଟାଏ ଦୀର୍ଘ ନିଶ୍ୱାସ ବାହାରି ଆସେ । ପୁଣି ଠିଆ ହୋଇ କାହା ଉଦ୍ଦେଶ୍ୟରେ ହାତ ଦୋ’ଟି ତୋଳି ଦଣ୍ଡବତ କରେ ।

 

ଦିନ ପରେ ଦିନ, ମାସ ପରେ ମାସ କଟେ ।

 

ସବୁଦିନ ପରି ଗୋଟାଏ ଚାନ୍ଦିନୀ ରାତି । ଆକାଶର ଧଳା କଳା ବଉଦ ଦେହରେ ଜହ୍ନ ତାର କେଉଁ ମାନସୀ ସାଙ୍ଗରେ ଥଟ୍ଟାତାମସା ଖେଳି କିଲ୍‌କିଲ୍‌ ହୋଇ ବଉଦର ପଣତ ତଳେ ଲୁଚି ଛପି ଯାଉଥାଏ । ଆକାଶର କୋଟିଏ ତରା–ଓକି, ଏ ଦୃଶ୍ୟ ଦେଖି ଆଖିମିଟିକା ମାରି ଠରାଠରି ହେଉଥାନ୍ତି । ଝରକା ବାଟ ଦେଇ ଜ୍ୟୋସ୍ନା ଶରତ କୋଠରୀକୁ ଅଧେ ଆଲୁଅ କରି ଦେଇଥାଏ ।

 

ପରୀକ୍ଷା ସମୟ । ହଷ୍ଟେଲର ସିବୁ ପିଲା ଯିଏ ଯାହା ରୁମ୍‌ରେ‌ ବସି ପାଠ ପଢ଼ିବାରେ ବ୍ୟସ୍ତ । ଶରତ ବହି ଖଣ୍ଡେ ଧରି ଝରକା ପାଖ ଟେବୁଲଟା ଉପରେ ପକାଇ ପଢ଼ୁଥାଏ । ରାତି ପାହିଲେ ପରୀକ୍ଷା । ସବୁ ବିଷୟ ମନେ ରଖିବାକୁ ହେବ । ପୁଣି ଡାକ୍ତରୀ ପାଠ । କିନ୍ତୁ ଗୋଟାଏ ବିଷୟ ଭଲ କରି ମନେ ରଖିବାକୁ ଆରମ୍ଭ କରି ଶେଷକଲା ବେଳକୁ ଦେଖେ–ତାର କିଛି ମନେ ରହିନାହିଁ, ମଝିରେ ସବୁ ଗୋଳମାଳ ହେଇଯାଇଛି ।

 

ନିଜେ ଟିକିଏ ବିରକ୍ତ ହୁଏ । ଝରକା ବାଟେ ପବନ ଆର ପାଖକୁ ଦଉଡ଼ି ଗଲାବଳେ ଝରକା ରେଲିଂ ବାଜି ଗୋଟାଏ କରୁଣ ସ୍ୱର ବାହାରେ । ଶରତ ଝରକା ବାଟ ଦେଇ ଚାହେଁ ଚାନ୍ଦ ଧଉଳା ଏଡ଼େବଡ଼ ଆକାଶକୁ । ସବୁଦିନ ପରି ଏ ଜହ୍ନଟାର ସେହି ଲୁଚକାଳି ଖେଳ, ତରା ସଖିଙ୍କର ସେହି ଆଖି ଠରାଠରି ମୁରୁକି ହସା । ଶରତର ମନଟା କେମିତି କେମିତି ହୁଏ । ଆଖି କୋଣରେ ଟିକିଏ ଲୁହ ଆସେ । ଇମିତି କେତେବେଳେ ଯାଏ, ଝରକା ବାଟ ଦେଇ ପୁଝାରୀ କି ଚାକରଟା ଚାଲିଗଲେ, ଶରତ ଚମକି ପଡ଼େ । ଏତେଗୁଡ଼ାଏ ବହି ତାକୁ ଥରେ ଗଡ଼ାଇ ନେବାକୁ ହେବ, ନଚେତ୍ ସର୍ବନାଶ ।

 

ଲଣ୍ଠନ ଆଲୁଅଟା ଭଲ କରି ତେଜି ଦିଏ, ପକେଟରୁ ସିଗାରେଟ ଡିବାଟା କାଢ଼ି ଗୋଟାଏ ସିଗାରେଟ ଲଗାଏ । ତା’ପରେ ଖୁବ୍ ମନ ଦେଇ ବହିଟାକୁ ଆରମ୍ଭ କରେ । ଦୁଇପୃଷ୍ଠା, ପାଞ୍ଚପୃଷ୍ଠା, ଦଶପୃଷ୍ଠା ଇମିତି ପଢ଼ି ପତ୍ରଗୁଡ଼ିକ ଓଲଟାଇ ଚାଲିଥାଏ । କେତେବେଳେ ଯେ ତା’ପତ୍ର ଲେଉଟା ବନ୍ଦ ହୁଏ, ଆଖି ଦୁଇଟି ସ୍ଥିର ହୋଇଯାଏ । ସେ ଜାଣି ପାରେନା, ବାହାରେ କେଉଁଠି କଣ ହେଉଛି, ସେ ଶବ୍ଦ କାନରେ ପଡ଼େନା । ଇଂରାଜୀ ବହି ପତ୍ରଟି ତାକୁ ଦେଖାଯାଏ–ବଙ୍କାଟଙ୍କା ଅକ୍ଷରରେ ଲେଖା କେତୋଟି ଓଡ଼ିଆ ଧାଡ଼ି । ସେ ଖୁବ୍ ଆଗ୍ରହରେ ପଢ଼େ ।

 

ଶରତ ଭାଇ,

 

ତୁମେ ଚାଲିଗଲେ ମୋ ମନ ଭାରି କଷ୍ଟ ହେବ, କାନ୍ଦ ମାଡ଼ିବ । ମୋ ରାଣ ପକାଇ ଯା’ କେବେ ଆସିବ । କଟକରୁ ଆସିଲାବେଳେ ଗୋଟାଏ ରଙ୍ଗଡ଼ିବା, ସରୁ ମୋଟ ତୁଳି ଦୁଇ ତିନିଟା ଆଣିବ । ସେ ଦିନ ମୋ କାନରେ କଣ କହି ଯାଇଥିଲ ? ତୁମେ ଆସିଲେ ଯାଇ ସେ–କ-ଥା ।

 

ଶରତ ଥରେ ପଢ଼େ, ଦୁଇଥର ପଢ଼େ, ତଥାପି ତାର ମନ ବୋଧ ହୁଏ ନାହିଁ । ପୁଣି ଆଉ ଥରେ ଆରମ୍ଭ କରେ । ଇମିତି କେତେ ଥର ଯେ ପଢ଼େ ତାକୁ ଜଣାଯାଏ ନା । ପଢ଼ୁ ପଢ଼ୁ ସେଥିରେ ଦେଖାଯାଏ ଝାପ୍‌ସା ଗୋଟାଏ ଛବି । ଠିକ୍ ନିରୁ ମୁହିଁ ପରି । ଶରତ ଭାବେ ଏ ତ ଠିକ୍ ନିରୁ ମୁହଁ ନୁହେଁ । ଆଉ କାହାର ବୋଧହୁଏ । କିନ୍ତୁ ସନ୍ଦେହ ହୁଏ–ଏ ତ ନିଶ୍ଚୟ ନିରୁର ମୁହଁ । କେବଳ ପରିବର୍ତ୍ତନ ଘଟିଛି ସିନା । ମନେ ମନେ ଠିକ୍ କରେ, କିଏ ଜାଣେ ଏଇ କେଇଟା ମାସ ଭିତରେ ସେ ନିରୁର ପରବିର୍ତ୍ତନ ହୋଇ ନ ଥିବ !

 

ଛବିଟା ଆଉରି ଟିକିଏ ସଫା ହୋଇ ବାରି ହୋଇଯାଏ । ଛୋଟ ଛୋଟ ଗୋଲାପି ଅଧରଟି ଥର ଥର ହେଲାପରି ତାକୁ ବୋଧହୁଏ । କାହିଁ କେତେ ଦୂରରେ ଗୋଟାଏ କ୍ଷୀଣ ଶବ୍ଦ ଶୁଣାଯାଏ । କିଏ ଯେମିତି ବଡ଼ ପାଟି କରି ଡାକୁଛି–ଶରତ ଭାଇ ? ଶରତ ଭାଇ ?

 

ଶରତ ଦେହଟା କେତେବେଳୁ ଯେ ଗରମ ହୋଇ ବରଡ଼ା ପତର ପରି ଥରୁଛି, ସେକଥା ସେ ଜମା ଜାଣି ନାହିଁ । ଛବିଟାକୁ ଭଲ କରି ଚାହିଁ ଦେଖିଲା–ଆଖିରେ ଲୁହ, ଅଧର ଥର ଥର । ସେ ପାଗଳ ପରି ଠିଆ ହୋଇ ନିରୁର ଅଧରକୁ ଚୁମ୍ବନ ଆଶାରେ ଛାତିରେ ଭିଡ଼ି ଧରିବାକୁ ବାହୁ ମେଲାଇଲା ବେଳକୁ କେହି କୁଆଡ଼େ ନାହିଁ । ଶୂନ୍ୟ-ମହାଶୂନ୍ୟ । ଶରତ ସ୍ୱପ୍ନ ରାଇଜକୁ ଉଠିଲା ପରି ଚମକି ପଡ଼ି ଘରର ଚାରିଆଡ଼, ତଳକୁ ଚାହେଁ । କେହି କୁଆଡ଼େ ନାହିଁ । କେବଳ ତା’ ଦେହଟା ବରଡ଼ା ପତର ପରି ଥରୁଛି । ଝାଳ ବାହାରି ଗେଞ୍ଜିଖଣ୍ଡ ଜୁଡୁ ବୁଡୁ । ଶୋଷରେ ତଣ୍ଟି ଅଠା ଅଠା । କୋଠରୀଟା ଭାରି ମାଡ଼ି ମାଡ଼ି ପଡୁଛି । ଆଗରେ ଥୁଆ ହୋଇଥିବା ଛବି ଖଣ୍ଡକୁ ଚାହେଁ । କାହିଁ ? ଛବି ଫବିତ କିଛି ନାହିଁ । ନିରୁର ଚିଠି ଖଣ୍ଡକ କଣ କୁଆଡ଼େ ଉଡ଼ିଗଲା ? ଆଗରେ ଖାଲିତ ଗୋଟାଏ ଶୁଷ୍କ ଇଂରାଜୀ ବହି । ତାହାହେଲେ କଣ ସେ ପାଗଳ ହୋଇ ଯାଇଛି, ନା ସ୍ୱପ୍ନ ।

 

ଶରତ ଚଟିଟା ଗୋଡ଼ରେ ପୂରାଇ ବାହାରକୁ ଆସିଲା । ସେତେବେଳକୁ ହଷ୍ଟେଲର ଦୁଇ ତିନିଟା ରୁମ୍ ଛାଡ଼ିଦେଲେ ବାକି ତକରୁ ଆଲୁଅ ଲିଭିଗଲାଣି । ବାହାରର ଗୋଳମାଳ ଏକବାରକେ ବନ୍ଦ । ବାରଣ୍ଡାରେ ଟିକିଏ ଠିଆ ହୋଇ ଏଣେ ତେଣେ ଅନାଉଛି, ପୁଝାରୀ ଆସି ଡାକିଲା–ବାବୁ, ଏଇକ୍ଷିଣା ବାରଟା ବାଜିବ । ଆଉ ଅଧଘଣ୍ଟା ପରେ ଆଲୁଅ ପାଣି ସବୁ ବନ୍ଦ ହେବ-। ମୁଁ ଦୁଇ ତିନିଥର ଡାକି ଫେରିଗଲିଣି, ଚଞ୍ଚଳ ଆସ ବାବୁ ମୁଁ ବଢ଼ାବଢ଼ି କରୁଛି ।

 

ଶରତର ଦେହଟା ଝୋଲା ମାରିଲା ପରି ଲାଗୁଥାଏ । ମନ ବି ଭାରି ବ୍ୟସ୍ତ ହେଉଥାଏ-। ପୁଝାରୀ ପୁଣି ଆସି ଡାକିଲା–ଆସ ବାବୁ ? ଖାଇବା ଯାଗାରେ ଶରତ ଯାଇ ବସିଲା, କିନ୍ତୁ ଖାଇବାକୁ ଆଦୌ ଇଚ୍ଛା ହେଲା ନାହିଁ । ଅଳ୍ପ ଗଣ୍ଡାଏ ଖାଇ, ଦୁଧ ଟୋପାଏ ପିଇ, ଶୋଇବା ଘରକୁ ଆସିଲା । ଆଗପରି ଘରଟା କେମିତି ମାଡ଼ି ମାଡ଼ି ପଡୁଛି । କେଇ କୁଆଡ଼େ ନାଇଁ । ବହିପତ୍ର, ହାଡ଼ କେଇଖଣ୍ଡ ଏପାଖ ସେପାଖ ହୋଇ ଥୁଆ ହୋଇଛି । ଘରଟା ଶୂନ୍‌ସାନ୍ । ଦଣ୍ଡେ ପହରକରେ ପବନ ଘର ଭିତରେ ପଶି ବହିଗୁଡ଼ାକ ସଙ୍ଗରେ ଯାହା ଖେଳ ଲଗାଇଛି ସେତିକି । ଶରତ ଚେୟାର ଉପରେ ଟିକିଏ ବସିଲା, ତାର କେତେରକମ ଭାବନା କୂଳ ଅକୂଳ,ଆକାଶ ପାତାଳ ନ ମାନି ଧାଇଁବାକୁ ଲାଗିଲା । ଦଣ୍ଡକେ କେତେ ଭାବନା ଆସି ପୁଣି ମିଳାଇ ଯାଏ–ସମୁଦ୍ରରେ ଉଠୁଥିବା ଗୋଟାକ ପରେ ଗୋଟାଏ ତରଙ୍ଗ ପରି । ଇମିତି କିଛିସମୟ ଗଲା । ଶରତ ଠିକ୍ କଲା–କାଲି ନିଶ୍ଚୟ ନିରୁ ପାଖକୁ ଖଣ୍ଡେ ଚିଠି ଲେଖିବ । ତା’ପରେ ସେ ବିଛଣାରେ ଯାଇ ଶୋଇଲା । ବିଛଣାଟା ତାକୁ ଭାରି ଗରମ ଗରମ ଲାଗୁଥାଏ । ଏପାଖ ସେପାଖ ହୋଇ କେତେବେଳେ ଯେ ନିଦ ଆସିଗଲା ସେ ଜାଣି ପାରିଲା ନାହିଁ ।

 

ଭୋର ପବନର କଅଁଳ ହାତ ବାଜି ଶରତର ନିଦ ଭାଙ୍ଗିଯାଏ । ମନରେ ଅନ୍ୟ କିଛି ନ ଭାବି ମୁହଁ ହାତ ଧୋଇ ଖାତା ପେନସିଲ ଧରି ପରୀକ୍ଷା ହଲକୁ ବାହାରେ ।

 

ବାରଟା ବାଜିଲେ ପରୀକ୍ଷା ଦେଇ ସବୁ ପିଲା ହଷ୍ଟେଲକୁ ଫେରନ୍ତି । ପରୀକ୍ଷାରେ କିଏ କେମିତି ଫଳ କରିଛି, ସେହିକଥା କଥାବାର୍ତ୍ତା ହୋଇ ଘଣ୍ଟାଏ ବିତେ, କାହାର ମୁହଁ ଶୁଖେ, କାହାର ବା ଭବିଷ୍ୟତ ଉଜ୍ଜ୍ୱଳ ଆଶାରେ ମନ କୁରୁଳି ଉଠେ ।

 

ଗୋଟାଏ ବାଜେ, ଦୁଇଟା ବାଜେ ଶରତ ବହିପତ୍ର ରଖି ଦେଇ ଚିଠିଲେଖା କାଗଜ ଖଣ୍ଡେ ଧରି ଝର କଲମଟାକୁ ଦି’ଥର କାମୁଡ଼ି ଆରମ୍ଭ କରେ–

 

ମେଡ଼ିକାଲ ହଷ୍ଟେଲ

ତା ୧୬-୮-୩

 

ସ୍ନେହର ନିରୁ,

 

ଆଗେ ମୋର ସ୍ନେହଭରା ଚୁମ୍ବନଟିଏ ଗ୍ରହଣ କରିବୁ । ମୁଁ ଭଲକରି ଜାଣେ, ଅନେକ ଦିନରୁ ତୋ ପାଖକୁ ଚିଠି ନ ଦେଇଥିବାରୁ ତୁ ରାଗିଥିବୁ । ସେଇଟା ମୋର ଦୋଷ । ଖବର କାଗଜରେ ପଢ଼ିଥିବୁ ମେଡ଼ିକାଲ ଧର୍ମଘଟ କଥା । ସେଇଥିପାଇଁ ମୁଁ ଏତେଦିନ ଯାଏ ଯାଇ ପାରିନାହିଁ । ପରୀକ୍ଷା ଆଉ ତିନି ଚାରିଦିନ ପରେ ଶେଷ ହୋଇଯିବ । ମୁଁ ଏଇ ଆଠଦିନ ମଧ୍ୟରେ ନିଶ୍ଚୟ ତୋ ପାଖରେ ପହଞ୍ଚିବି । ମୋ ରାଣ, ସତ କହିବୁ ନିରୁ, ତୁ କଣ ମୋତେ ସବୁବେଳେ ଭାବୁଛୁ ? କାଲି ତୋତେ ସପନ ଦେଖିଲି, ତୁ କେଡ଼ୁଟିଏ ହୋଇଯାଇଛୁ । ମୋ କୋଡ଼ରେ ବସି ମୋ ବେକ ଚାରିପଟେ ହାତ ବୁଲାଇ କେତେ କଣ କହୁଛୁ । ସତ କହୁଛି ଲୋ, ସପନଟା ଭାଙ୍ଗିଗଲା ପରେ ମନଟା ମୋର ଭାରି କଷ୍ଟ ହେଲା–କାନ୍ଦ ମାଡ଼ିଲା । ମୋତେ ଆଜି ଖାଇବାକୁ ବି ଭଲ ଲାଗୁନାହିଁ । ତୁ ଏ ଚିଠି ପାଇ ଶୀଘ୍ର ଚିଠି ଦେବୁ । ତୋର ଯାହା ଦରକାର, ଫେରନ୍ତା ଡାକରେ ଲେଖିବାକୁ ଭୁଲିବୁ ନାହିଁ । ମାଉସୀ ଓ ମଉସାଙ୍କୁ ମୋର ପ୍ରଣାମ ଜଣାଇଦେବୁ । ମାଉସୀଙ୍କୁ କହିବୁ, ମୁଁ ଗଲା ସଙ୍ଗେ ସଙ୍ଗେ ଭୁବନେଶ୍ୱର ଯିବା । ମୋ ରାଣ । ମୋ ଲାଗି ମନ କଷ୍ଟ କରିବୁ ନାହିଁ । ବିଦାୟ ନେଲି ।

 

ତୋର

‘ଶରତ’ ଭାଇ

 

ଶରତ ଚିଠି ଖଣ୍ଡକ ଲେଖିସାରି ପୁଣି ଥରେ ପଢ଼ିଲା । ସୁଟକେଶରୁ ଅତର ବାହାର କରି ଦୁଇ ତିନି ବୁନ୍ଦା ପକାଇ, ନେଳିଆ ଲଫାପାରେ ଗୋଲ ଗୋଲ କରି ଠିକଣା ଲେଖି ମୁଦି ଦେଲା । ଚାକରକୁ ଡାକି କହିଲା–ଏ ଚିଠି ଖଣ୍ଡ ହୁସିଆରରେ ନେଇ ଡାକଘରେ ପକାଇ ଦେଇ ଆ’ସ ?

 

–ଯାଉଛି ଆଜ୍ଞା !

 

x x x x

 

ଦୁଇଦିନ ପରେ–

 

ବେଳ ରତ ରତ ହେଉଛି । ବାପା ବୋଉ ହାତ ଧୋଇ ଅଗଣା ଖଟିଆ ଉପରେ ବସି ଗାମୁଛାରେ ଗୋଡ଼ ପୋଛୁ ପୋଛୁ ଡାକିଲେ–ନିରୁ ? ନିରୁ ? କୁଆଡ଼େ ଗଲୁ କିଲୋ !

 

ନିରୁ ଆରଘରେ ବହି ପଢ଼ୁଥିଲା । ବାପାଙ୍କର ପାଟି ଶୁଣି ତରତର କରି ବହିଟାରେ ଚିହ୍ନ ଦେଇ ଆସି କହିଲା–କାହିଁକି ଡାକିଲ ବାବା ? ବାପା ହସି ହସି କହିଲେ–ତୋର ଗୋଟଏ ଜିନିଷ ଆଣିଛି, ନବୁ । ମୋତେ କଣ ଦବୁ କହ ? ନିରୁର ମୁହଟି ସତେଜ ହୋଇ ଉଠିଲା । ଆଗ୍ରହ ଆଉ ଆନନ୍ଦରେ କହି ଉଠିଲା–ଦିଅ ବାବା, ଆଗେ ଦିଅ ?

 

ବାପା ନିରୁର ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲେ । ନିରୁର ପିଠିରେ ହାତ ମାରି କହିଲେ–ଯା’ ମୋ ଉପର ପକେଟରେ ଖଣ୍ଡେ ଚିଠି ଅଛି । କାଗଜପତ୍ର ଖେଳାଇବୁନୁ, ଥିର କରି ଆଣିବୁ ।

 

ନିରୁ ତରତର ହୋଇ ପକେଟରୁ ଲଫାଫା ଖଣ୍ଡକ ନେଇ ଆର ଘରକୁ ପଳାଇ ଗଲା । ଶରତ ଭାଇ ଦେଇଛି, ଏହି କଥା ଦେଖି ତା’ ଦେହ ଶୀତେଇ ଉଠୁଥାଏ । ଚିଠିଟା ପଢ଼ିସାରି ଆଉ ଥରେ ପଢ଼ିଲା ବେଳକୁ ତା’ଭାବନା ସ୍ଥିର ହୋଇଗଲା । ଲଜ୍ଜା ଆଉ ଆନନ୍ଦରେ ମୁଣ୍ଡ ତଳକୁ ନଇଁ ପଡ଼ିଲା । ଶରତ ଭାଇ କେମିତି ଜାଣିଲା–ମୁଁ ଏଡୁଟିଏ ହୋଇଗଲିଣି ବୋଲି, ଚିଠିରେ କଣ ସେ ତାଙ୍କ ପାଖକୁ ଲେଖିବ । ଇମିତି ଉଛୁଳା ଭାବନା ଦଣ୍ଡକେ କେତେ ଆସି ପୁଣି କୁଆଡ଼େ ମିଳାଇ ଯାଉଥାଏ ।

 

ଘରଟା ଅନ୍ଧାର କିଟି କିଟି । ନିରୁ ଶରତର ଚିଠି ଖଣ୍ଡକ ହାତରେ ଧରି, କଳ୍ପନାରେ ତାର ଛବି ଦେଖୁ ଦେଖୁ କେତେବେଳେ ଯେ ଦେହ ମୁଣ୍ଡରୁ ଏକବାରକେ ଲୁଗା ବାହାରି ତଳେ ଲୋଚା କୋଚା ହୋଇ ପଡ଼ିଛି, ତାକୁ ଜମାରୁ ଜଣାନାହିଁ । କେତେବେଳେ ପରେ ‘ପୁନି’ ବିଲେଇଟା ଘର ଭିତରକୁ ପଶି ଘରର ଏ କଣ ସେ କଣ ବୁଲି ଆସି, ଗୋଟାଏ ନୂଆ ଜିନିଷ ଦେଖିଲା ପରି ତା’ ମୁହଁକୁ କଟମଟ କରି ଚାହିଁ ମିଆଁଉ ମିଆଁଉ ବଡ଼ ଜୋରରେ ହେଲା । ନିରୁ ତାକୁ ହୁରୁଡ଼େଇ ଦେଲା ବେଳକୁ ଦେଖେ, ତା’ ଦେହ ମୁଣ୍ଡରେ ଜମା ଲୁଗା ନାହିଁ । ତା’ ଛାତିଟା ଧପ୍ ଧପ୍ ହୋଇ ପଡ଼ିଲା । ବୋଉ କି ବାପା ଏ ଅବସ୍ଥାରେ ଦେଖିଥିଲେ କଣ ଭାବିଥିବେ । ପୁଣି ହାତରେ ଚିଠି । ତାକୁ ଭାରି ଡର ମାଡ଼ିଲା । ଲୁଗାଟା ସଜାଡ଼ି ବାହାରକୁ ଆସି ଦେଖେ, ସଞ୍ଜବେଳ ଗଡ଼ିଗଲାଣି । ସାଇରେ କେହି ନାହାନ୍ତି । ତରତର କରି ଚିଠିଟାକୁ ଅଣ୍ଟାରେ ଗୁଞ୍ଜି ଦେଇ ସଞ୍ଜବତୀ ଲଗାଇ, ଘରଦୁଆର ମୁହଁରେ, କୂଅ ପାଖରେ, ବତୀ ଥୋଇ ଚଉରା ପାଖକୁ ଆସିଲାବେଳକୁ ଦାଣ୍ଡଦୁଆର ମୁହଁରେ ମା’ ଭେଟିଯାଇ କହିଲେ–କିଲୋ ! ଏତେବେଳଯାଏ ସଞ୍ଜ ଦେଇ ନଥିଲୁ ନା ? ରାତି ଆସି ଘଡ଼ିଏ ହେଲାଣି ?

 

ନିରୁ ଟିକିଏ ଶଙ୍କିଯାଇ କହିଲା–ତୁ ଡିଆସିଲିଟା କେଉଁଠି ରଖିଗଲୁ, ମୁଁ ଖୋଜି ଏଇକ୍ଷିଣା ପାଇଲି, ମୁଁ କଣ କରିବି । ମା’ କିଛି ନ କହି ଚାଲିଗଲେ । ସେଦିନ ନିରୁ ହୃଦୟର କେତେ ଗୋପନଭରା କଥା ବୃନ୍ଦାବତୀଙ୍କ ପାଖରେ ଜଣାଇ ଘରକୁ ଫେରିଲା ।

 

ମା’ ଭାତ ଗାଳି ତରକାରୀ ରାନ୍ଧିଲାବେଳେ ନିରୁ ତା’ ପାଖରେ ଠିଆହୋଇ କହିଲା–ବୋଉ, ଶରତଭାଇ ପରା ଚିଠି ଦେଇଛି, ସେ ଆସିଲେ ଭୁବନେଶ୍ୱର ଯିବାକୁ, ତୁ ଯିବୁ ନା ?

 

ବୋଉ ଟିକିଏ ବିସ୍ମିତ ହୋଇ କହିଲେ–ଆଜି ଚିଠି ଦେଇଥିଲା ? ଡାକ ପିଅନର ତ ଆଜି ବାରି ନୁହେଁ । କିଏ ଚିଠି ଆଣିଲା ?

 

–ବାପା ଆଣିଥିଲେ ପରା !

 

–ବୋଉ ଚୁଲିକି ଜାଳ ପେଲି ଦେଉ ଦେଉ କହିଲେ–ଦେଖାଯାଉ, କଣ ହେଉଛି । ଦର୍ଶନ କରିବାରେ ତ ମୋର ଭାରି ଇଚ୍ଛା । ହାତରେ ତ ପଇସା ପତର ଗୋଟିଏ ନାହିଁ । ଲିଙ୍ଗରାଜଙ୍କ ଇଚ୍ଛା ଶରତ କେବେ ଆସିବ ?

 

ଆଉ ସାତ ଆଠଦିନ ଭିତରେ । ବୋଉ ନୀରବ ରହିଲେ । ନିରୁ ସେଠାରେ ଆଉ ଠିଆ ନ ହୋଇ ଚାଲିଗଲା । ଖାତାରୁ ଖଣ୍ଡେ ଚିରି ଚିଠି ଲେଖିବାକୁ ଆରମ୍ଭ କଲା–

 

ଚଣାହାଟ

ତା ୨୦-୮-୩୮

 

ଶରତ ଭାଇ,

 

ମୋର ନମସ୍କାର ଗ୍ରହଣ କରିବ । ତୁମର ସ୍ନେହର ଚିଠି ଖଣ୍ଡି ପାଇଛି । ତୁମ ଉପରେ ମୁଁ ଭାରି ରାଗିଛି ଶରତଭାଇ ! ମୋ ପାଖକୁ କାହିଁକି ଚିଠି ଦେଲ ? ମୁଁ ତମର କିଏ କି ? ଗାତ ନା ଚୁଲି । ଏତେ ଦିନ ହେଲା ଗଲଣି, ଚିଠି ଖଣ୍ଡେ ଦେବାକୁ କଣ ତୁମକୁ ବେଳ ମିଳେ ନାହିଁ । ନା ଶରତ ଭାଇ, ତୁମେ ମୋତେ ଜମାରୁ ଭଲ ପାଅନା । ନଚେତ୍ କଣ ଖଣ୍ଡେ ଚିଠି ଦିଅନ୍ତ ନାହି ? ହଁ କାହିଁକି ବା ଦେବ, ତୁମର ସେଠି କେଉଁକଥା ଉଣା କି ? ସେଠିତ ମୋ ପରି କେହି ଅସୁନ୍ଦରୀ ନାହାନ୍ତି ? ଦିନ ରାତି ଦେଖିବାକୁ ଦଉଡୁଥିବ । ମୋ ପାଖକୁ ଚିଠି ଦେବାକୁ ବେଳ କାହିଁ ? ରାଗରେ ଚଠି ଦେବାକୁ ମନ ହେଉନଥିଲା, ତୁମେ କି ମନ୍ତର ଜାଣ କେଜାଣି, ତୁମ ଚିଠିଖଣ୍ଡ ପଢ଼ି ମୋର କେତେ ଦିନର ପର୍ବତ ପରି ଗଦା ହୋଇଥିବା ରାଗ ଅଭିମାନ ସେହି ମୁହୂର୍ତ୍ତରେ କୁଆଡ଼େ ଉଭେଇଗଲା । ମୁଁ ଆଜି ଚିଠି ଦେଲି–ଆଠଦିନ ମଧ୍ୟରେ ଯଦି ତୁମେ ନ ଆସ, ତାହାହେଲେ ମୁଁ ଆଉ କେବେ ତୁମ ପାଖକୁ ଚିଠି ଦେବିନାହିଁ କି କଥା କହିବି ନାହିଁ । ତୁମେ ସେଠି ରହି ଭାରି ଚଗଲା ହୋଇଗଲଣି । ଚିଠିରେ କଣ ଲେଖିଛ ? ମୁଁ ତାର କି ଉତ୍ତର ଦେବି ? ମୁଁ ତୁମକୁ ଦିନ ରାତି ଭାବୁଛି କି ନାହିଁ ତୁମେ କେମିତି ଜାଣିବ ? ଲେଖିଛ–ମୁଁ କେଡ଼ୁଟିଏ ହୋଇ ଯାଇଛି ବୋଲି, ତୁମେ କଣ ଛୋଟିଆ ହୋଇଛ କି ? ଗାଳି ଦେଇ ଚିଠି ଲେଖିଛି ବୋଲି ରାଗିବ ନାହିଁ, ମୋ ରାଣ । ବୋଉ, ବାପା ତୁମକୁ ଆଶୀର୍ବାଦ ଜଣାଇଛନ୍ତି । ଆସିଲେ ନିଶ୍ଚୟ ଭୁବନେଶ୍ୱର ଯିବା । ମୋ ପାଇଁ ଦୁଇ ତିନିଟା ତୂଲି ଆଣିବ । ଚିଠି ଖଣ୍ଡ ପଢ଼ି କାହାକୁ ଦେଖାଇବ ନାହିଁ । ମୋତେ ଭାରି ଲାଜ ମାଡ଼ୁଛି । ବିଦାୟ ନେଲି, ରାଗିବ ନାହିଁ ।

 

ତୁମର

‘ନିରୁ’

 

ନିରୁ ଚିଠିଖଣ୍ଡ ପୁଣି ଥରେ ପଢ଼ିଲା । ହାତରେ ଚଠିଖଣ୍ଡ ଧରି ବାରି ଆଡ଼କୁ ଗଲା । ମଲ୍ଲୀ ଗଛରୁ ଦୁଇ ତିନିଟା ଫୁଲ ତୋଳି ସେ ଚିଠି ଭିତରେ ପୂରାଇ ଲଫାପାଟି ବନ୍ଦ କରିଦେଲା । ସେ ରାତିଟାଯାକ ନିରୁକୁ ଆଉ ନିଦ ନାହିଁ । ଆଉ ଆଠଦିନ ପରେ ଶରତ ଭାଇ ଆସିବ । ପ୍ରଥମ ଦେଖାରେ ଶରତ ତାକୁ କଣ କହିବ, ସେ ପୁଣି କଣ କହିବ ଏଇ ଭାବନାରେ ତା ମନ ନାଚି ଉଠୁଥାଏ ।

 

ଆଠଦିନ ପରେ ପୁଣି ଗୋଟିଏ ଗୋଧୂଳି ସନ୍ଧ୍ୟା । ସେଦିନ ରଘୁ ମିଶ୍ରଙ୍କ ଝିଅ ସାବ ପୁଆଣି ହୋଇ ଯାଉଥାଏ ବୋଲି ସାଇଟାଯାକ ଚହଳ ପଡ଼ି ଯାଇଥାଏ । ଗାଁ ଗୋଟାକର ଖାଉଡ଼େ ଝିଅ ଯାଇଁ ତାଙ୍କରି ଘରେ ରୁଣ୍ଡ । ସାବଟି ଭାରି ସୁନ୍ଦର ଆଉ ମେଳାପି । ସେଇଥିପାଇଁ ସବୁ ଝିଅଙ୍କ ଆଖିରେ ଲୁହ । ସାବ କାନ୍ଦି କାନ୍ଦି ହାଲିଆ । ତାକୁ ଆଜି କେତେଦିନର ପରିଚିତ ପୋଖରୀ ତୁଠ, ସାଥି ଭଉଣୀଙ୍କ ମେଳ, ପିଲାଟି ଦିନରୁ ଅତି ସାଥି ବଉଳ ମୂଳକୁ ବି ଛାଡ଼ିଯିବାକୁ ହେବ । ତା’ ଦୁଃଖରେ ଯେମିତି ସମସ୍ତେ ଦୁଃଖୀ । ସାବ ଆଜି ସାଥି ଛାଡ଼ି ଯାଉଛି, ଏଥିପାଇଁ ବଉଳଗଛ କାନ୍ଦୁଛି–ଅଜସ୍ର ବଉଳଫୁଲିଆ ଲୁହ ଢାଳି । କଇଁପୋଖରୀ ତାକୁ କାଲିଠାରୁ ଦେଖିବ ନାଇଁ ବୋଲି ଦୁଃଖରେ ମୁଣ୍ଡ କଚାଡ଼ି କାନ୍ଦୁଛି–ସାବ, ତୁ ଯାଆନା, ମୁଁ ଆଉ ଦେହ ଧରି ଏଠି ରହିପାରିବି ନାହିଁ । ଗଛ ପତର ବି ମର୍ମର ସ୍ୱରରେ କାନ୍ଦି କହୁଛନ୍ତି–ଆମେ କାଲିଠାରୁ ଅନ୍ଧ ହେବୁ ଲୋ ! ତୋ ରୂପ ଆଉ ଆଖିରେ ପଡ଼ିବ ନାଇଁ । ଏ ତ ଗଲା ଗଛ ପତରଙ୍କ କଥା, ତା ଅନ୍ତରର ସାଙ୍ଗ ଶଇଳ, କୁମି, ଇନ୍ଦ, ଅଗଣି, ଗୌରି ଗୌରୀର ବି ମନର ଅବସ୍ଥା କହିଲେ ନ ସରେ । ସମସ୍ତଙ୍କ ଆଖିରେ ଲୁହ । ମୁହଁ ସବୁରି ଶୁଖି ଝାଉଁଳି ପଡ଼ିଛି । ସାବର ଆଜି ଯେଉଁ ଅବସ୍ଥା, ସମସ୍ତଙ୍କର ଯେ ଦିନେ ସେଇ ଅବସ୍ଥା ହେବ, ସେଇକଥା ଭାବି ସବୁରି ମନ ମଉଳି ଯାଇଛି । କିନ୍ତୁ ନିରୁ, ତା ଦୁଃଖରେ ଦୁଃଖି ହେଲେ ସୁଦ୍ଧା ତା ଅନ୍ତରରେ ଆନନ୍ଦର ଢେଉ ଖେଳୁଛି । ଶରତଭାଇ ଆଜି ଆସିବ ।

 

ସନ୍ଧ୍ୟା ହେଲା । ରଘୁ ମିଶ୍ରଙ୍କ ଦୁଆରେ ଶଙ୍ଖ ବାଜି ଉଠିଲା । ଗଉଡ଼ ସବାରି ଉଠାଇଲେ-। ସାବର ସେ ସମୟର କରୁଣ କାନ୍ଦରେ ଗଛ ପତର ବି ତରଳିଯିବ । ଯିଏ ଯାହା ଆଖିରେ ଲୁଗାଦେଇ ଏକ ନୟନରେ ଅନାଇଁଥାନ୍ତି । ଗଉଡ଼ ଗୁଡ଼ାକ କିଛି ନ ମାନି ସବାରି ଉଠାଇ ଗହିର ମଝିଦେଇ ସିଧା ସଳଖିଲେ ମାଳପୁର ।

 

ନିରୁ ପିଣ୍ଡା ଖୁଣ୍ଟକୁ ଧରି ବାଟକୁ ଅନାଇ ଥାଏ । କେତେବେଳେ ଶରତଭାଇ ଆସିବ, ଏଇ ଆଶାରେ ତା ମନ ଛଟପଟ ହେଉଥାଏ । ଗୋଟାଏ ଆଲୁଅ ଦେଖିଲେ ନିରୁ ଭାବେ ଏଇ ନିଶ୍ଚୟ ଶରତ ଭାଇ, କିନ୍ତୁ କିଏ ଜଣେ ଲୋକ ସେଇ ବାଟ ଧରି ଚାଲିଥାଏ, ସେ ଶରତଭାଇ ନୁହେଁ-

 

ସଞ୍ଜୁଆ ପହର ଗଡ଼ିଲା । ତା’ପରେ ଦୂରରେ ଗୋଟିଏ ସଫା ଆଲୁଅ ଦେଖାଗଲା, ବୋଧହୁଏ ଟର୍ଚ୍ଚ ଆଲୁଅ । ନିରୁର ଛାତିଟା ଆନନ୍ଦରେ ଉଠୁଥାଏ ପଡୁଥାଏ । ସେ ଭାବୁଥାଏ–ଏ ନିଶ୍ଚୟ ଶରତ ଭାଇ । ଆଲୁଅ ଆଉ ଟିକିଏ ପାଖକୁ ଆସିଲା । ଦୁଇଜଣ ଲୋକ ବାରି ହୋଇଗଲେ-। ଜଣେ ବାବୁ, ଅନ୍ୟ ଜଣେ ବୋଝିଆ ବୋଧହୁଏ । ଆଉରି ଟିକିଏ ନିକଟ ହେଲାରୁ ନିରୁର ଆଉ କିଛି ସନ୍ଦେହ ରହିଲା ନାହିଁ । ସେ ନିଶ୍ଚୟ ଶରତ ଭାଇ । ଘର ଭିତରକୁ ପଶିଯାଇ ଝରକା ବାଟେ ଅନାଇଁଥାଏ । ଦୁଇଜଣ ଲୋକ ତାଙ୍କରି ଦୁଆର ମୁହଁରେ ଅଟକିଲେ । ଶରତ କହିଲା–ତୁ ଏଠି ଠିଆ ହ, ମୁଁ ଆସୁଚି । ହାତରେ କଣ ଧରି ଘର ଭିତରକୁ ଆସିଲେ । ମା ସେତେବେଳେକୁ ପିଣ୍ଡାରେ କି କାମ କରୁଥାନ୍ତି । ଶରତ ନଇଁପଡ଼ି ଦଣ୍ଡବତ କରି କହିଲା–ମାଉସୀ, ସବୁ ଭଲତ, ନିରୁ କାହିଁ ? ମା’ ଉଠିପଡ଼ି କୁଣ୍ଢାଇ ପକାଇଲେ । ଆନନ୍ଦରେ ତାଙ୍କର ଆଉ ସୀମା ରହିଲା ନାହିଁ । ବାଇଆଣୀ ପରି ହୋଇ ଡାକ ପକାଇଲେ–ନିରୁ, ନିରୁ, ତୋ ଭାଇ ଆସିଲାଣି । ନିରୁ ଲାଜରେ ଆଦୌ ଆସିଲା ନାହିଁ ।

 

ଶରତ କହିଲା–ନିଅ ଏ ମିଠାଇ ନିରୁକୁ ଦେବ । ସେ ମୋ ପାଖକୁ ଆଜି ନ ଆସୁ, ମୁଁ କାଲି ସକାଳେ ଆସେ । ତା ମଜା ବୁଝିବି ଯେ ।

 

ନିରୁର ଆନନ୍ଦରେ, ଗର୍ବରେ ଛାତି ଫୁଲି ଉଠୁଥାଏ । ମନ ହେଉଥାଏ ଲାଜ ନ କରି ଦଉଡ଼ି ଯାଇ ତାଙ୍କୁ ଖୁବ୍ ଜୋରରେ କୁଣ୍ଢାଇ ପକାଇ କହନ୍ତା–ଶରତ ଭାଇ, ତୁମେ ଏତେ ଦିନଯାଏ କେଉଁଠି ଥିଲ ? କିନ୍ତୁ କାହିଁକି ଦଉଡ଼ି ଆସିବାକୁ ତା ପାଦ ଆଗକୁ ପଡ଼ିଲା ନାହିଁ । କଥା କହିବାକୁ ତୁଣ୍ଡ ଫିଟିଲା ନାହିଁ । ସେଇ ଘର ଭିତରେ ଚୁପ୍ ହୋଇ ଠିଆ ହୋଇଥାଏ ।

 

ଶରତ ଆଲୁଅ ମାରି ଚାଲିଗଲା । ନିରୁ ଝରକା ପାଖରେ ଅନାଇ ଥାଏ । ଆଜି ଶରତର ଗୋରା ତକତକ ଗୋଡ଼ ଉପରେ ପୁଣି ଜରିଧଡ଼ିଆ ଲୁଗା ନିରୁକୁ ଆଉରି ସୁନ୍ଦର ଦେଖା ଯାଉଥାଏ ।

 

ବୋଉ ପୁଣି ଡାକି କହିଲେ–ଏଁ ବୁଦ୍ଧି ଶୁଖୁଛି, ଏତେ ଡାକିଗଲା । ତା ପାଖରେ ତୋର ଲାଜ କଣ ଲୋ ।

 

ତହିଁ ଆର ଦିନ–

 

–ମାଉସୀ, ଭୁବନେଶ୍ୱର ଯିବା ନା ? କାଲି ସୋମବାର । ଆଜି ରାତିରୁ ବାହାରି ଗଲେ ଭାରି ସୁବିଧା ହୁଅନ୍ତା । ବଳଦ ଗାଡ଼ିଟା ଠିକ୍ କରିଛି, କଣ କହୁଛ ମାଉସୀ ?

 

–ନିରୁବୋଉ, ଟିକିଏ ରହିଯାଇ କହିଲେ–ବଇଶାଖ ମାସ ସୋମବାର ପରି ଆଉ ଭଲ ଦିନ କ’ଣ ଅଛି ? ମଉସା ତୋର ଆସନ୍ତୁ । ପଇସା ପତ୍ର କଥା କଣ କହୁଛନ୍ତି ।

 

–ନା ମାଉସୀ, ପଇସାପତ୍ର କଥା ତୁମେ କିଛି ଧରିବ ନାହିଁ । ତାହାହେଲେ ତୁମେ ମୋତେ ପର କରି ଦେଉଛ–ନୁହେଁ ?

 

–ନିରୁବୋଉ ହସି ହସି କହିଲେ–ପାଗଳା ପୁଅଟା, ତୋ ଇଚ୍ଛା ଯାହା ତୁ କର ।

–ମାଉସୀ, ନିରୁ କୁଆଡ଼େ ଗଲା ?

–ଛୋପରି ହେଉଛି ସେ, ଦେଖେ ସେହି ଘରେ କଣ କରୁଥିବ ।

 

ନିରୁ ନାଲିଧଡ଼ିଆ ଲୁଗା ଖଣ୍ଡିଏ ପିନ୍ଧ ଦୁଆର ମୁହଁରେ ଠିଆ ହୋଇଥାଏ । ତା’ପାଦ ଆଗକୁ ମାଡ଼ି ପଡୁଥାଏ ଶରତ ପାଖକୁ ଦଉଡ଼ି ଯିବାକୁ । କିନ୍ତୁ କାହିଁକି ଗୋଡ଼ ଆଗକୁ ପଡ଼େନା । ଲାଜ ଆଉ ଆନନ୍ଦରେ ମନଟା ଦବି ଯାଏ !

 

ଶରତ ଗୋଡ଼ ଟିପି ଟିପି ଯାଇ ହଠାତ୍ ଦୁଆର ମୁହଁରେ ଠିଆ ହୋଇଗଲା । ନିରୁ ଚମକି ପଡ଼ି ପଛକୁ ଟିକିଏ ଘୁଞ୍ଚିଯାଇ ମୁହଁ ତଳକୁ ମାଡ଼ି ଠିଆ ହୋଇ ରହିଲା ।

 

ଶରତ ଆଉ କିଏ ଭାବି ତରତର ହୋଇ ଫେରି ପଡୁଥିଲା । ପଛରୁ କିଏ ମଧୁର କଣ୍ଠରେ ଡାକିଲା–ଶରତ ଭାଇ ?

 

ଶରତର ଭାବନା ବଦଳିଗଲା । ଫେରିପଡ଼ି ଦୁଆର ମୁହଁରେ ଠିଆ ହେଲା । ନିରୁ ସେମିତି ମୁହଁ ତଳକୁ ପୋତି ଠିଆ ହୋଇଥାଏ । ନିରୁର ରୂପ, ତାର ଘୋର ପରିବର୍ତ୍ତନ ଦେଖି ଶରତର କେତେ ଭାବନା କ୍ଷଣକେ ଆସି ପୁଣି କୁଆଡ଼େ ମିଳାଇ ଯାଉଥାଏ । ଶରତର ଇଚ୍ଛା ହେଉଥାଏ–ତା ପାଖକୁ ଯାଇ ଦୁଇହାତରେ ଯାବୋଡ଼ି ଧରି ପଚାରନ୍ତା–କାହିଁକି ଲାଜ କରୁଥିଲୁ ? କିନ୍ତୁ ଗୋଟାଏ ଅଜଣା ଭୟରେ ତାର ଗୋଡ଼ ଦୁଆର ବନ୍ଧ ଡେଇଁ ଭିତରକୁ ପଡ଼ିଲା ନାହିଁ । ତା ପାଖକୁ ଯାଇ ଯାବୋଡ଼ି ଧରିବା ତ ଦୂରର କଥା ।

 

ଶରତ ନୀରବ–ନିରୁ ନୀରବ । ଦୁହେଁ ଦୁହିଁଙ୍କ ବିଷୟରେ କେତେ ଯେ କଣ ଭାବୁଥାନ୍ତି ତାର ଠିକଣା ନାହିଁ ।

 

ଭାବନା ଭିତରେ କୁହୁକର ଜାଲ ବୁଣା । ୟା’ ଜାଲରେ ସେ, ତା ଜାଲରେ ଇଏ ପଡ଼ି ଛଟପଟ । ବେଳେ ବେଳେ ଜାଲଟା ଏକାଠି ଯୋଡ଼ି ହୋଇଯାଏ । ସେତିକିବେଳେ ଦୁହେଁ ଦୁହିଁଙ୍କ ଗୁଣ ଗାଇ ଆତ୍ମହରା ।

 

ଇମିତି କେତେବେଳ ବିତିଗଲା । ନିରୁ ଲୁଗା କାନିଟାକୁ ମୋଡୁ ମୋଡୁ କହିଲା–ଠିଆ ହୋଇଛ କାହିଁକି ? ଏଠିକି ଆସି ବସୁନା, ଶରତ ଭାଇ !

 

ଶରତ ଯନ୍ତ୍ର ଚାଲିଲା ପରି ତା ପାଖରେ ଯାଇ ବସିଲା । ଦୁହେଁ ଦୁହିଁଙ୍କୁ ଲଗାଲଗି ହୋଇ ବସିବାକୁ ମଝିରେ ହାତେ କି ଦି’ହାତ ତଫାତ୍ । ତଥାପି ଦୁହେଁ ଦୁହିଁଙ୍କର ପବନର ପରଶ ପାଇ ଥରି ଉଠିଲେ । କଲିଜାଟା ଧପ୍ ଧପ୍ ହେଲା ।

 

ଶରତର ପିନ୍ଧାକାନିଟା ସଉପ ଉପରେ ବିଛାଡ଼ି ହୋଇ ପଡ଼ିଥାଏ । ନିରୁ ଶରତର ପିନ୍ଧା କାନିଟିକୁ ଉଠାଇ ନେଇ କୁଞ୍ଚ କରୁ କରୁ ନରମ ଗଳାରେ କହିଲା, ଭୁବନେଶ୍ୱର ଯିବାକୁ ବୋଉ କ’ଣ କହିଲା ? ଶରତର ମନରେ ଗୋଟାଏ ଭୟ ମିଶା ଆନନ୍ଦର ତୋଫାନ୍ ଖୁବ୍ ଜୋରରେ ବହୁଥାଏ । ସେହି ପ୍ରବଳ ଝଡ଼ରେ ନିରୁ ପାଇଁ ବାଧା ବିଘ୍ନର କେତେ ବଡ଼ ବଡ଼ ଗଛ ଯେ ଭାଙ୍ଗି ଚୁରମାର ହୋଇ ଯାଇଥାଏ ତାର ଇୟତ୍ତା ନାହିଁ । ପ୍ରଥମେ ଶରତକୁ ନିରୁର କଥାଟା ସପନ ପରି ଲାଗିଲା । ପରେ କଣ ଗୋଟାଏ ଶୁଣିଲା ପରି ଉତ୍ତର ଦେଲା, ମାଉସୀତ କହିଲେ–ଆଜି ଯିବାକୁ, ତୁ ଯିବୁନା ନିରୁ ?

 

–ନିରୁ ମୁଣ୍ଡ ହଲାଇଲା ।

 

ତା’ପରେ ନିରୁ ଲାଜ ଲାଜ ହୋଇ କେତେ କଣ ପଚାରୁଥାଏ । ଶରତ କଣ ତାକୁ ଉତ୍ତର ଦେଉଥାଏ ତାର ଖିଆଲ ନାହିଁ, ସେ ଖାଲି ମିଳାଉଥାଏ ଆଗ ନିରୁ–ଆଉ ଆଜି–କେତେ ଫରକ । ଠିକ୍ ଆକାଶ ପାତାଳ ପରି । ନିରୁ କଥା କହିଲାବେଳେ ଶରତ ଭାରି କଣେଇ କଣେଇ ଚାହୁଁଥାଏ–ନିରୁର ସେହି ଛୋଟ ଛୋଟ ଫିକା ଅଳତା ଅଧରକୁ; ଭସାଣିଆ ଆଖି ଦୁଇଟି, ଆଉ ନାଲ ଟୁହୁ ଟୁହୁ ଗାଲ ଦୁଇଟିକୁ । ସେ ନିରୁକୁ କେତେ ସିନେମା ଛବି ସାଙ୍ଗରେ ତୁଳନା କଲା, ହେଲା ତ ନାହିଁ ! ଦେବୀ ସାଙ୍ଗରେ–ନା, ତାଙ୍କ ପରି ବି ନୁହେଁ । ଦୁନିଆରେ ସବୁଠାରୁ ବେଶି ସୁନ୍ଦର ନିରୁ । ବେଳେ ବେଳେ ନିରୁ ଏପାଖ ସେପାଖ ହେଲେ, ତାର ଉନ୍ନତ ବକ୍ଷ ଦୁଇଟି ଶରତର ଆଖିରେ ପଡ଼େ । ଶରତ ଆତ୍ମହରା ହୋଇ ନିଜକୁ ନିଜେ ଭୁଲିଯାଏ । ମନହୁଏ ନିରୁକୁ ଧରି ପକାଇ ବଡ଼ ଆଦରରେ ପଚାରନ୍ତା–ନିରୁ ନିରୁ, ଏ କଣ ତୋର ! କିନ୍ତୁ ଜିଭ ପଇଟେ ନାହିଁ ।

 

କେତେ ସମୟ ଇମିତି କଟିଲା । ନିରୁ ମଧ୍ୟ ଶରତକୁ କଣେଇ ଅନାଉଥାଏ । ଶରତର ରୂପ ଦେଖି ତାର ଛାତି ଉଲସି ଉଠୁଥାଏ । ମନ ହଉଥାଏ ପଚାରନ୍ତା–ଶରତ ଭାଇ ଚିହ୍ନି ପାରୁନା ? ତୁମ ପାଇଁ କେତେ କଷ୍ଟରେ–

 

କଳ୍ପନାର ସମୟ କଳ୍ପନାରେ କଟିଲା ଅନେକକ୍ଷଣ । ନିରୁ ଶରତର ଭାବ ଭଙ୍ଗି ଦେଖି ସବୁକଥା ବେଶ୍ ବୁଝି ସାରିଲାଣି । ଶରତ ମନରୁ ସେ ଭୟ ଧାରଣାଟା କମାଇ ଦେବା ପାଇଁ ହସି ହସି କହିଲା, ଶରତ ଭାଇ, ଇମିତି କାହିଁକି ପାଗଳଙ୍କ ପରି ହଉଛ ! ମୋ ଆଡ଼କୁ ଏତେ ଚାହୁଁଛ କାହିଁକି ? ମତେ ଡର ମାଡ଼ୁଛି, ଆଗ କଥା ତୁମର କୁଆଡ଼େ ଗଲା ?

 

ଶରତ ଏତେଗୁଡ଼ାଏ କଥାର କି ଉତ୍ତର ଦେବ । ସେ ବିଚଳିତ ହୋଇ ନିରୁର ହାତଟିକୁ ଆଣି ନିଜ ହାତ ଭିତରେ ରଖିଲା । ଇମିତି ପରଶତ ସେ କେବେ କେଉଁଠୁ ପାଇନାହିଁ । ଆଜକୁ ଦି’ବର୍ଷ ତଳେ କେତେ ସେ ନିରୁକୁ କୋଡ଼ରେ ବସାଇଛି, ସେତେବଳେ ତ ଏ ପରଶ ତାର ନଥିଲା-। ବିଜୁଳିର ସରଶ, ନା ତା’ଠାରୁ ଆହୁରି କିଛି ଗୋଟାଏ ବଡ଼ ପରଶ ପାଇଲାପରି ତା ଦେହଟା ଥରି ଉଠିଲା ।

 

ନିରୁ ଶରତର ମୁଖ ଭଙ୍ଗି ଦେଖି ମୁରୁକି ମୁରୁକି ହସୁଥାଏ । ସେ ମନେମନେ ଠିକ୍ କଲା–ଶରତ ପାଖରେ ତାର ଗୋଟାଏ ଲାଜ କଣ ! ପାଖକୁ ଲାଗି ଆସି କହିଲା–ଶରତ ଭାଇ, କଣ ଭାବୁଛ ? ଶରତର ଇଚ୍ଛା ଥାଏ, ତାକୁ ଛାତିରେ ଚାପିଧରି ଗେଲ କରି ଦିଅନ୍ତା, କିନ୍ତୁ ହାତଟା ଉଠିଲା ନାହିଁ–ମନଟା ଦବିଗଲା । ଶରତ ଆଉ କିଛି ନ କହି ଠିଆ ହୋଇ କହିଲା–ନିରୁ, ମୁଁ ଯାଉଛି–ଏଁ, ରାତିରେ ଭୁବନେଶ୍ୱର ଯିବା ।

 

ନିରୁ ଦୁଷ୍ଟାମୀ ହସି ହସି କହିଲା–ଥରେତ କହିଲି ଯିବାକୁ, କେତେଥର ପଚାରୁଛ ! ମୋର ତ କେଦାରଗୌରୀ ଦେଖିବାର ଭାରି ଇଚ୍ଛା ।

 

ଶରତ ହସି ଦେଇ କହିଲା–ସତେ !

 

ଖଣ୍ଡିଆ ଖାବଡ଼ା ଧୂଳି ରାସ୍ତା । କେତେ ଆଙ୍କ ବାଙ୍କ ଧରି କେତେ ଶାଖା ପ୍ରଶାଖା ମେଲି କୁଆଡ଼େ ଯେ ଶେଷ ହୋଇଛି ତାର ଠିକ୍ ନାହିଁ । ତାରି ଦେହରୁ ଗୋଟିଏ ଶାଖା ବଙ୍କା ସଳଖ ହୋଇ ପଡ଼ିଛି ଭୁବନେଶ୍ୱର । ରାମ ଭୋଇ ମୁଣ୍ଡରେ ଗାମୁଛା ଖଣ୍ଡିଏ ପକାଇ ବଳଦ ଲାଙ୍ଗୁଡ଼ରେ ହାତମାରି ରାଗିଣୀ ଛାଡ଼ିଛି–

 

ରାମ ଲଇକ୍ଷଣ ବେନି ଭାଇଟିରେ

ବନେ ଗଲେ ମୃଗ ମାରି–

ସୀତା ରହିଥିଲା ଏକାକୀ କୁଟୀରେ

ରାବଣ ତ ନେଲା ହରି ରେ–ଏ ।

 

ଟିକିଏ ଗଲା । ବଉଳା ଲାଙ୍ଗୁଡ଼ରେ ହାତ ମାରୁ ମାରୁ ପୁଣି ଗାଇଲା–

 

ପୋହଳା ମାଳ ଦି’ ସରି

ପୋହଳା ମାଳ ଦି’ ସରି

କୁନି ମା’ ଯଦି ଜୀବନେ ଥାଆନ୍ତା

ଆସିଥାନ୍ତା ଦେଖି ହରଗଉରୀ–ରେ–ଏ

 

ଏ ପଦକ ଗାଇଲାବେଳେ ତା କଣ୍ଠ ଦରଦି ହୋଇ ଉଠୁଥାଏ । ଯେମିତି କେତେ ଦିନର ଦୁଃଖ ଏହି ପଦକରେ ତାର ବାହାରି ପଡୁଛି । କିଏ ଜାଣେ ତା ମନରେ କେତେ ଦୁଃଖ, କେତେ କଷ୍ଟ । ସମସ୍ତଙ୍କ ମନରେ କିଛି ନା କିଛି ଦୁଃଖ ରହିବାହିଁ ବୋଧହୁଏ ବିଶ୍ୱର ନିୟମ ।

 

ଡାଆଣିଆ ଖରା ତାଳଗଛ ମଥା ଉପରକୁ ଉଠିଲା ବେଳକୁ ଗାଡ଼ିଖଣ୍ଡ ଯାଇ ଭୁବନେଶ୍ୱରରେ ପହଞ୍ଚିଲା । ଧର୍ମଶାଳାରେ ସମସ୍ତେ ରହିଲେ । ନିରୁ ବାପା ତା ବୋଉ, ନିରୁ, ଶରତ ମୁହଁ ହାତ ଧୋଇ ଜଳଖିଆ ଖାଇ ସାରିଲା ବେଳକୁ ଦେଉଳରେ ଘଣ୍ଟା ବାଜି ଉଠିଲା । ସମସ୍ତେ ତରତର ହୋଇ ଦର୍ଶନକୁ ବାହାରିଗଲେ । ନିରୁବୋଉ ଲୁଗାକାନି ଓଲଟାଇ ବେକରେ ପକାଇ ଦିଅଁ ପାଖରେ ମୁଣ୍ଡ ଲଗାଇଲେ । ବାପା ଆଖି ବୁଜି ଠିଆ ହୋଇଥାନ୍ତି । ନିରୁ ଆଉ ଶରତ, ଦୁହିଁଙ୍କ ଆଖିରେ ଲୁହ ଛଳ ଛଳ । ଲିଙ୍ଗରାଜଙ୍କ ଉପରେ ଦୁହିଁଙ୍କର ଆଖି । ବେଳେ ବେଳେ ନିରୁ ଶରତକୁ ଟିକିଏ ଅନାଇ ହସିଦିଏ, ଶରତ ମୁଣ୍ଡ ତଳକୁ ପୋତିଦିଏ ।

 

ଦର୍ଶନ କରି ସେଦିନ ସମସ୍ତେ ଫେରିଲେ ।

 

ତହିଁ ଆରଦିନ ଉପର ବେଳା । ନିରୁ ବାପା ଓ ବୋଉ ଦେଉଳ ଚାରି ପାଖରେ ବୁଲି ଗଣେଶ ମନ୍ଦିର ପାଖରେ ବସି ଅଛିଣ୍ଡା ଗପରେ ରତ । ନିରୁ ଦେଉଳରେ ଅଙ୍କା ହୋଇଥିବା ଚିତ୍ରଗୁଡ଼ିକ ତନ୍ନ ତନ୍ନ କରି ବୁଲି ଦେଖୁଥାଏ । ଶରତ ଧର୍ମଶାଳାରୁ ପଞ୍ଜାବୀଟା ପିନ୍ଧି ଆସି କହିଲା–ନିରୁ ଆ–କେଦାରଗୌରୀ ଦେଖିଯିବା । ନିରୁ ଟିକିଏ ଏପାଖ ସେପାଖକୁ ଅନାଇଲା–କାଳେ ମା’ କ’ଣ ଭାବିବେ । ଶରତ ପୁଣି ଥରେ ଡାକିଲା । ବୋଉ କହିଲେ–କିଲୋ, ତୋ କାନରେ ପଥର ପଡ଼ିଲାଣି କି ! ଯାଉନୁ ଦେଖି ।

 

ନିରୁ ଲାଜ ଲାଜ ହୋଇ ପଛେ ପଛେ ଚାଲିଲା ।

 

ଆଗରେ କେଦାରଗୌରୀ ମନ୍ଦିର । ପାଖରେ ଗୋଟିଏ ଛୋଟ ଝରଣା । ଶରତ ନିରୁର ହାତକୁ ଚିପିଦେଇ କହିଲା–କେଦାରଗୌରୀ କଥା ଜାଣିଛୁ ନିରୁ ?

 

ନିରୁ କହିଲା–ହଁ, ମୁଁ ଭଲ କରି ଜାଣିଛି ଯେ–

 

–ଆଚ୍ଛା, ଗୌରୀ କେଦାରକୁ ଯେମିତି ଭଲ ପାଉଥିଲା, ତୁ ମତେ ସେମିତି ଭଲ ପାଉ-?

 

ନିରୁ କିଛି କହିଲାନି, ମୁଣ୍ଡ ଟୁଙ୍ଗାରିଲା ।

 

ଶରତର ଆନନ୍ଦରେ ଛାତିଟା ପୁରି ଉଠୁଥାଏ । ନିରୁକୁ ହଲାଇ ପକାଇ କହିଲା–ନିରୁ, ଏଠି ଯେମିତି କେଦାରଗୌରୀ ମନ୍ଦିର ହୋଇଛି, ଆମେ ମଲେ ସେମିତି ଏଠି ‘ଶରତ–ନିରୁ’ ମନ୍ଦିର ହେଲେ ଭଲ ହୁଅନ୍ତା, ନୁହେଁ ? ନିରୁ ରାଗିଯାଇ ଶରତର ହାତକୁ ଛିଞ୍ଚାଡି ଦେଇ କହିଲା–ସେ “କାଳ” କଥାଗୁଡ଼ା ମୋ ଆଗରେ କହିବ ନାହିଁ, ଯା ।

 

ଶରତ ତାକୁ ଆଦର କରି କହିଲା–ନା ଲୋ, ମୁଁ ସେମିତି ଗେଲରେ କହିଲି ନା-ଆ, ସେ ପଥର ଉପରେ ବସିବା ।

 

ପିଲାଦିନର ଲଗାଲଗି ହୋଇ ବସିବା–ଆଉ ଆଜି ଲଗାଲଗି ହୋଇ ବସିବା କେତେ ଫରକ–କେଡ଼େ ରହସ୍ୟ । ଶରତର ହାତ ମୁଠା ଭିତରେ ନିରୁର ପାପୁଲିଟି ଥରୁଥାଏ ।

 

ସୂର୍ଯ୍ୟଦେବ ଆଉ ଅଳ୍ପସମୟ ପରେ ଧରାରୁ ବିଦାୟ ନେବେ ବୋଲି ଦୁନିଆଟା ଯାକ ଚହଳ ପଡ଼ି ଯାଇଥାଏ । ଖଣ୍ଡ ବଉଦ ପଶ୍ଚିମ ଆକାଶରେ ନାଲି ନେଳି ଗାଲିଚା ପାରି, ସୁନା ଝରିରେ ପାଣି ଆଣିବା ପାଇଁ ଦଉଡୁଥାନ୍ତି । ପବନଟା କେଉଁଠି ଶୋଇ ପଡ଼ିଥିଲା କି କ’ଣ, ନିଦବାଉଳାରେ ତରତର ହୋଇ ଫୁଲ ବାସନା ଧରି କିଲିକିଲି ହୋଇ ଦଉଡୁଥାଏ ସେଇଆଡ଼କୁ । ଆକାଶରେ କେତେ ଜାତିକା ପକ୍ଷୀ ବିଦାୟ ସଙ୍ଗୀତ ଗାଇବା ପାଇଁ ଡକା ଡକି ହେଉଥାଆନ୍ତି ।

 

ଦୁହେଁଯାକ କେତେ କଣ ଗପସପ ହେଉ ହେଉ ଶରତ ଡାକିଲା–ନିରୁ ? ଶରତର ଦେହଟା ଥରୁଥାଏ ।

 

ନିରୁ ଥରି ଥରି କହିଲା–ଉଁ ।

ଆଉ କାହା ପାଟିରେ କଥା ନାହିଁ ।

 

ସୂର୍ଯ୍ୟଦେବ ଦୁନିଆର ଉତ୍ସବ ସାରି, ପାହାଡ଼ ଉହାଡ଼କୁ ଢ଼ଳି ପଡ଼ିଲେ । ଶରତ ଗୋଟାଏ ଯନ୍ତ୍ର ପରି ନିରୁକୁ ଛାତି ଉପରକୁ ଆଉଜେଇ ଆଣି ଖୁବ୍ ଜୋରରେ ଚାପି ଧରିଲା । ନିରୁର ଆନନ୍ଦ ଆଉ ଉତ୍ତେଜନାରେ ଆଖି ଦୋ’ଟି ବୁଜିଗଲା । ଦେହ ଶିତେଇ ଉଠିଲା ।

 

ତା’ପରେ–ତା’ପରେ-ଯୋଡ଼ିଏ ଗର ଥର ଥର ଓଠ ଭିତରେ ଆଉ ଯୋଡ଼ିଏ ଛୋଟ ଗୋଲାପି ଓଠ ମୁଦିଗଲା ।

 

ଦୁନିଆର ଝାପ୍‌ସା କଳା ପରଦା ପଡ଼ିଲା । ଉତ୍ତାଳ ଯୌବନର ଅଜଣା ପରଦା ଉପରକୁ ଉଠିଗଲା । ହୃଦୟ ହୃଦୟରେ ମିଶିଗଲା ।

 

ତହିଁ ଆରଦିନ ସମସ୍ତେ ଘରକୁ ଫେରିଲେ ।

 

ଚେମେଇ ପଧାନ ମାଇପ ଗଡ଼ିଆ ତୁଠରେ ବାଲିମୁଠା ପକାଇ ତା ପିତ୍ତଳ ଖଡୁ ମାଜୁ ମାଜୁ ଆଗ ପଛକୁ ଦି’ଥର ଅନାଇଁ କହିଲା, ଶୁଣିଲଣି ନୟନ ବୋଉ, ଛି ଛି, କାଳ ଫେର ଇମିତି ହେଲା ! କେଉଁଠି କିଛି କହିବ ନାଇଁ ଗୋ ! ଯିଏ ଯିମିତି କରୁଛି ତାର ଫଳ ସେ ସେମିତି ପାଇବ । ଆମର ଯାଏ କେତେ ଆସେ କେତେ ।

 

ନୟନ ବୋଉ ଗୋଡ଼ ଘସା ବନ୍ଦ କରି ତା ନାଲିଆ ଦାନ୍ତକୁ ନିକୁଟି ଆବାକାବା ହୋଇ କହିଲା–କ’ଣ କିହେ, କହି ଅଧା କଲ, କାହିଁକି ମ ସଇ !

 

–ମଲା, ତମେ କ’ଣ ଅଜଣା ଘର ଚାଉଳର ଭାତ ଖାଉଛ ନା କ’ଣ ମ ! ଏତେ କଥା ଘଟୁଛି, ତମ କାନରେ ଟିକିଏ ସୁଦ୍ଧା ପଢ଼ି ନାହିଁ । ମଲାମ ଅଲିଅଳ ! ଏଇ ଯେଉଁ ମାଷ୍ଟର ଝିଅ ନିରୁ, ତମ୍ବାତାର ପରି ଟୋକୀ ଖଣ୍ଡେ, ତାର ଫେର୍ ଏତେ ଗୁଣ ! ଚୁପସଇତାନି ଭାରି ଖଣ୍ଡେ ଏକା । ଗାଁ ଗୋଟାକରେ ଖାଉଡ଼େ ଝିଅ, ତା’ପରି ଗୋଟାଏ କିଏ ? ଜମିଦାରଙ୍କ ପୁଅ ଶରତ ସାଙ୍ଗରେ ପରା ଦିନରାତି ଅଣ୍ଟୁନାହିଁ, ଦେଖୁନା, କାଲି ପରା ଭୁବନେଶ୍ୱର ଯାଇଥିଲେ । ଯିଏ ବେଶ୍ୟାଗିରି କରିବ ତାର ଲାଜ କ’ଣ ମ ! ବାପ ମା’ ତ ସେମିତି, ନଇଲେ ବାଘଘରେ ମିରିଗ ନାଟ ହୁଅନ୍ତା ପୁଣି ।

 

ପାଖରେ ସଦା ମାହାନ୍ତି ମାଇପ ପାଚିଆଟାରେ ଶାଗ ଧୋଉ ଧୋଉ ଆଖି ତରାଟି କହିଲା–କ’ଣ କହୁଛ ବଉଳ ! ଚୁପସଇତାନିର ଏତେ ଗୁଣ ! ଏଇଥିପାଇଁ ଭଲ ବୋଲି ଗାଁ ଯାକ ହୁରି ପଡ଼ିଛି ! ଧରମ ନ ସହୁ ଇମିତି କଥା ।

 

ଚେମା ମାଇପ ଆହୁରି ଟିକିଏ ପାଖକୁ ଘୁଞ୍ଚିଯାଇ ତା’ କାନ ପାଖରେ ଫୁସୁରୁ ଫୁସୁରୁ କରି କହିଲା–ମଲା, ସେଦିନ ପରା ଦୁମୁଦୁମା ଖରାବେଳଟାରେ ନିଜ ଆଖିରେ... । ଛି ଛି ! ନିଜ ଆଖିକୁ ପରତେ ଯିବ ନାଇଁ ତ, ଆଉ କାହା କଥାକୁ ପରତେ ଯିବ ପୁଣି ?

 

ଏ ତ ଗଲା ପୋଖରୀ ତୁଠ କଥା ।

 

ସନ୍ଧ୍ୟା ଗଡ଼ି ଗଲାଣି । ଶାମ ମିଶ୍ରଙ୍କ ଦାଣ୍ଡ ପିଣ୍ଡାରେ ଚାରି ପାଞ୍ଚ ଜଣ ବୁଢ଼ା ବସି ଗପସପ ହେଉଥାନ୍ତି । ହରି ସିଶ୍ରେ ଚିଲମଟାକୁ ଖୁବ୍ ଦମେ ଟାଣି ନେଇ ସଦା ମହାନ୍ତି ହାତକୁ ଦେଉ ଦେଉ କହିଲେ, ଶୁଣିଲେଣି ହେ–ସଦା ଭାଇ ! ଏ କଳିକାଳରେ ଆଉ ଏ ଗାଁରେ ରହି ହେବନାଇଁ, ଘୋର ଅତ୍ୟାଚାର, ଏ ଯୁଗରେ ପୁଣି ସବୁ ବେହଦ କଥା ମଣିଷ ଶୁଣିଲା । ଛି ଛି ଏଇ ମାଷ୍ଟର ଝିଅଟା ହୋ । ଗାଁର ନାଆଁ ପାଣି ପକାଇଲା । କେଉଁ ପାଟକରେ ଇମିତି ନାହିଁ । ମହାନ୍ତି ଘରେ କେଉଁଠି ବଢ଼ିଲା ଝିଅ ସାଙ୍ଗରେ ଭେଣ୍ଡିଆ ଟୋକାଟା ଏକାଠି ରାତି ରାତି କଟାଉଛି, ଭୁବନେଶ୍ୱର ଯାଉଛି । ନିଆଁ ପାଖରେ ଘିଅ ନ ତରଳି କ’ଣ ରହେ ।

 

ସଦା ମହାନ୍ତି ଦନେଇ ପୁହାଣି ହାତକୁ ବଢ଼ାଇ ଦେଇ କହିଲା, ମିଶ୍ରେ ଯାହା କହନ୍ତି ଖାଣ୍ଟି କଥା । ଏ କଥା କ’ଣ ମିଛ । ଆମ ଘର ମଣିଷ ତ ଦି’ଆଖିରେ ଦେଖିଛି କାଲି ରାତିରେ କହୁଥିଲା । ସବୁ କଥା ତ ହାଟରେ ପଡ଼ି ବାଟରେ ଗଡ଼ଗଡ଼େଇଲାଣି, କଣ କହୁଛ ମିଶ୍ରେ ?

 

–ମଲା, ଏଥିରେ ଆଉ ସନ୍ଦେହ ଅଛି । ଏ ପଇତାରେ ଗଣ୍ଠି ଥିବା ଯାକେ ଆଉ ମିଶ୍ରେ ତା’ ଘରେ ପତର ପକାଉଛନ୍ତି । ଧରମ ଛାଡ଼ି ଅଲଗା ହୋଇଯିବ । ଜମିଦାରଙ୍କୁ ସେଇକଥା ମୁଁ ଆଜି କହି ଦେଉଛି । ଯଦି ସେଠି ତାଙ୍କର ବିବାହ କରେଇବାର ଇଚ୍ଛା, ତାହାହେଲେ କରି ଦିଅନ୍ତୁ, ନ ହେଲେ ଗାଁ ଟାରେ ପିଲାପିଲି ନେଇ ଆଉ ବେଶ୍ୟାଗିରି କାମ ମଣିଷ କେତେଦିନ ଦେଖିବ ।

 

ଦନେଇ ପୁହାଣି କହି ଉଠିଲା–ତା’ ସତ, ନନା ଯାହା କହୁଛନ୍ତି ଠିକ୍ କଥା । ନନା ନ ଥିଲେ ତ ଏ ଗାଁରୁ ଶିରୀ ତୁଟି ଯାଆନ୍ତାଣି ।

 

ଇମିତି ଦାଣ୍ଡରୁ ଗଡ଼ିଆ ତୁଠ ପରିଯନ୍ତେ କେତେ କଥା ।

 

ଇମିତି ଥୋକେ ଥାଆନ୍ତି । କ୍ଷଣକରେ ମିଛକୁ ସତ, ସତକୁ ମିଛ କରି ରାଷ୍ଟ୍ର କରିବାକୁ ସୁଖ ପାଆନ୍ତି । କୁଳଭୁଆସୁଣୀ ନାଁରେ ମିଛ କଥା ଉଠାଇ ଦାଣ୍ଡର ଭିକାରୁଣୀ କରି ଛାଡ଼ନ୍ତି । ନ ଦେଖିଲା କଥା ନ ଶୁଣିଲା କଥା ସତ ବୋଲି ଦାଣ୍ଡ ବଜାରରେ ହାଟ ବସାଇ ପାରନ୍ତି ।

 

ଭୁବନେଶ୍ୱରରୁ ଏମାନେ ଯେଉଁଦିନ ଫେରିଲେ, ତହିଁ ଆରଦିନ ଉପରବେଳା । ଶରତ ହାତରେ ଖଣ୍ଡେ ଚିଠି ଧରି ଆସି କହିଲା, ମାଉସୀ, ନିରୁ, ରାତି ଅନିଦ୍ରା ହୋଇ ଶୋଇଛି ନା କ’ଣ । ମୁଁ କାଲି ସକାଳୁ କଟକ ଯିବି, ମୋର ଜଣେ ବନ୍ଧୁ ଭାରି ଜିଗର କରି ଲେଖିଛନ୍ତି–ତାଙ୍କ ବଡ଼ ଭଉଣୀଙ୍କର ବିବାହ । ମୁଁ ନ ଗଲେ ନ ଚଳେ । ଏଇ କଥା କହି ଆର ଘରକୁ ପଶିଗଲା ବେଳକୁ ନିରୁ ନିଘୋଡ଼ ନିଦରେ ଶୋଇଛି । ଶରତ ଚୁପ୍ ଚାପ୍ ଯାଇ ତା’ ଗୋଡ଼ରେ ସଲସଲ କଲା । ନିରୁ ଚମକି ପଡ଼ିଲା ପରି ଉଠି ବସି ପଡ଼ିଲା ?

 

ତା’ପରେ ଶରତ ହସି ହସି କହିଲା, ରାଣୀଙ୍କର ନିଦ ଭାଙ୍ଗିବ ନାହିଁ ନା କଣ । ଏଇ ଦେଖ, ମୋର ଜଣେ ବନ୍ଧୁ ଚିଠି ଦେଇଛନ୍ତି ତାଙ୍କ ବଡ଼ ଭଉଣୀ ରେଖାର ବିବାହ ଘର, ନ ଗଲେ ନ ଚଳେ । ମୋ ପାଇଁ ମନ କଷ୍ଟ କରିବୁ ନାହିଁ ଜାଣିଲୁ–ଶରତ ବଡ଼ ଆଦରରେ କହିଲା ।

 

ଏତିକିବେଳେ ବୋଉ ଆରଘରୁ ଡାକି କହିଲେ–ଆଜି ଗଲେ ଆଉ କେବେ ଫେରିବୁ ରେ ।

 

ଶରତ ନିରୁ ସାଙ୍ଗରେ କଥା ବନ୍ଦ କରି କହିଲା–ବେଶୀ ଦିନ ନୁହେଁ–ଚାରି ପାଞ୍ଚଦିନ ଲାଗିବ । ପରୀକ୍ଷା ଫଳଟା ବି ବୁଝି ଆସିବି । ଆମ ଘରେ ଯେଉଁ କାଣ୍ଡ ଘଟିଛି ଶୁଣିଲଣି ମାଉସୀ ?

 

ନିରୁ ବୋଉ ଚାଞ୍ଚୁଣୀଟା ଧରି ତା’ ପାଖରେ ଠିଆ ହୋଇ କହିଲେ, କଣ କିରେ ବାପ ?

 

ଶରତ ଟିକିଏ ବିଦ୍ରୂପ ହସ ହସି କହିଲା–ଏମାନଙ୍କୁ କିଏ ମଣିଷ କଲା ମାଉସୀ, ବାପା ବୋଉ ଯଦି ଆଜି ଥାଆନ୍ତେ, ଏଇ ଦାଦୀ ଖୁଡ଼ୀ ପୁଣି ମୋ ମନ ଉପରେ ବାଧା ଦିଅନ୍ତେ ! ମୁଁ କହିଲି–ବଡ଼ ଡାକ୍ତରୀ ପଢ଼ିବାକୁ ପାଟଣା ଯିବି । ଆଉ ଦି’ଟା ବର୍ଷ ଲାଗିବ । ବେଶୀ ବି କିଛି ଖର୍ଚ୍ଚ ଲାଗିବ ନାହିଁ । ମୁଁ ଯେଉଁ ବନ୍ଧୁଙ୍କ ବିବାହ ଘରକୁ ଯାଉଛି ସେ ପାଟଣାରେ ରହନ୍ତି, ତାଙ୍କରି ଘରେ ରହିଲେ ବି ଚଳନ୍ତା । ଏଇକଥା କହିଲାରୁ ଖୁଡୀ ମୁହଁ ଫଡ଼ଫଡ଼ କରି କହିଲେ–ପଢ଼ିବାକୁ କଣ କିଏ ମନା କରୁଛି ! ଧନ ହେଲେ ତ ହୁଏ । ଦାଦୀ ବି କହିଲେ ଆଉ ପାଠ ଆମର କଣ ହେବ । ବଡ଼ ଡାକ୍ତରୀ ନ ପଢ଼ା ହେଲେ ନାହିଁ । ଯେତିକି ହେଲା ସେତିକି,ସେଇଥିରେ ଡାକ୍ତର ହୁଅ ।

 

ନିରୁ ଆବାକାବା ହୋଇ ଶରତ ମୁହଁକୁ ଅନାଇଁଥାଏ । ଶରତ ପୁଣି କହିଲା–ୟାଙ୍କର ମତଲବ କଣ ଜାଣ ମାଉସୀ ? ତାଙ୍କ ପୁଅ ମୂର୍ଖ ହେଲେ ଆଉ ମୁଁ ପାଠ ପଢ଼ିଲି । ଏଥିରେ କଣ ମୋର ଦୋଷ ହେଲା । ଟଙ୍କା ନ ଥିବ କାହିଁକି, ଏଡ଼େ ବଡ଼ ଜମିଦାରୀରେ ମୋର କଣ ଭାଗ ନାହିଁ-। ମୋର କିଏ ଖାଉଛି ? ଧରି ବସିଲେ ମୁଁ ଏଇକ୍ଷିଣା କଣ କରି ଦିଅନ୍ତି, କିନ୍ତୁ ମୁଁ ସେମିତି ନୁହେଁ ମାଉସୀ ! ସେ ସମ୍ପତ୍ତି ବାକି ସବୁ ଖାଇଲେ ବି ମୋ ମନରେ କଷ୍ଟ ନାହିଁ । ଯାହା ପଢ଼ିଛି, ସେତିକିରେ ମୋ ପେଟ ଅପୋଷା ରହିବ ନାହିଁ । ଆଉ ଥରେ ପଚାରିବି, ଯଦି ମନା କରନ୍ତି ତାହାହେଲେ ତାଙ୍କର ମୋର ଦେଖା ଏତିକି । ଏ ଗାଁରେ ମୋ ପାଦ ପଡ଼ିବ ନାହିଁ ଏ ଜୀବନରେ ।

 

ନିରୁବୋଉ ଜିଭ କାମୁଡ଼ି ପକାଇ କହିଲେ–ଛି, ଛି, ଏଇ କଥା ଗୁଡ଼ାକ ମନରେ ଧରୁଛୁ ! ପାଗଳା ପୁଅଟା, ଏ ବୁଦ୍ଧି ଆଉ ଦିନେ ଧରିବୁ ନାଇଁ-ଛି, ନିରୁବୋଉ ଇମିତି କେତେ କଣ କହି ଚାଲିଗଲେ । ଶରତ ସେଇଠି କାହାକୁ କିଛି ନ କହି ବସି ପଡ଼ିଥାଏ ।

 

ନିରୁ ଶରତକୁ ହଲାଇ ଦେଇ କହିଲା–ମୋ’ଠାରେ ଲୋଭ ଥିଲେ ସିନା ହୁଅନ୍ତା ? ତୁମେ ତ ଚାଲିଯିବ ଶରତ ଭାଇ, ଆଉ ମୁଁ । ହଁ, ତୁମେ ଯା’–ମତେ କଣ ଯିବାକୁ ବାଟ ନାହିଁ କି ? କଇଁପୋଖରୀ ହୁଡ଼ାକୁ ଗଲେତ... ଶରତ ତା’ପାଟି ଧରି ପକାଇ କହିଲା–ମୋ ଦେହ ଛୁଇଁ କହ, ଆଉ ଦିନେ ଇମିତି କଥା କହିବୁ ନାହିଁ । କହିଲେ ଜାଣିଥା । ମୁଁ ସିନା କହିଲି ତାଙ୍କ ମୁହଁ ନ ଚାହିଁବାକୁ, ତୋତେ କଣ ଜୀବନରେ କେବେ ଛାଡ଼ି ପାରିବି ନିରୁ !

 

ନିରୁ ମୁରୁକି ହସି ବଡ଼ ଅଭିମାନରେ କହିଲା–ତୁମ ଦୟା ଶରତ ଭାଇ । ଶରତ ତା’ ହାତ ପାପୁଲିକୁ ଆଉଁସୁଥାଏ ।

 

ସଞ୍ଜ ବୁଡ଼ିଲା । ଶରତ କହିଲା–ତୁ ଥା’ ନିରୁ ? ମୋ ପାଖକୁ ଚିଠି ଦେବୁ–ଏଁ ।

 

ଶାମବାବୁ କଚେରି କାମ ସାରି ମୁହଁ ହାତ ଧୋଇ ଚଉତରା ଉପରେ ବସିଥାନ୍ତି । ଚଉରା ତଳେ ଦି’ ତିନି ଜଣ ମଳିକ ବେକରେ ଗାମୁଛା ପକାଇ ହାତଯୋଡ଼ି କି ଆପତ୍ତି କରୁଥାନ୍ତି । ଏତିକିବେଳେ ହରି ମିଶ୍ରେ ହାତରେ ବେତ ବାଡ଼ିଟାକୁ ହଲେଇ ହଲେଇ ଚଉତରା ପାଖରେ ପହଞ୍ଚିଲେ । ଶାମବାବୁ ତାଙ୍କ ଅନ୍ତରଙ୍ଗ ବନ୍ଧୁ ମିଶ୍ରଙ୍କୁ ଦେଖି ଓଳଗି ହୋଇ ଡାକ ପକାଇଲେ–ଦୀନା, ଦୀନା, ସତରଞ୍ଜିଟା ଆଣିବୁଟି ଚଞ୍ଚଳ । ସତରଞ୍ଜି ଆସିଲା । ଖିଲପାନ ଆସିଲା । ଭଲ ମନ୍ଦ କେତେ ଗପ ଚାଲିଥାଏ । ୟା’ ଭିତରେ ଆଉ ଦି’ ତିନିଜଣ ଖୁସାମତିଆ ବୁଢ଼ା ବି ଆସି ସେଠି ଯୋଗ ଦେଲେଣି ।

 

ହରି ମିଶ୍ରେ କଥା କହୁ କହୁ ଆରମ୍ଭ କଲେ–ଗୋଟାଏ କଥା କହିବାକୁ ମନ ହେଉଛି ଶାମବାବୁ, କିନ୍ତୁ–

 

–ଏଁ–ଏଁ ମୋ ପାଖରେ ଆପଣଙ୍କର କଣ ଲୁଚା ଛପା କଥା ।

 

–ଆଚ୍ଛା ତୁମ ଶରତ ଘରକୁ ଆସିଲେ ତାଙ୍କୁ ଏଣେ ତେଣେ କାହିଁକି ଛାଡ଼ୁଛ ଶୁଣେ ? ଭାରି ଚୁପ୍ ସଇତାନିଆ ଟୋକା ସେ । ଆପଣଙ୍କର ତ ଦି’ ଦି’ଟା ପୁଅ, ପାଠ ନ ପଢ଼ିଲେ କଣ ହେବ, ତାଙ୍କ କେଉଁ ଗୁଣକୁ ସେ ଟୋକା ସରି । ଆପଣଙ୍କ ପୁଅ ମଦନଟି, ଏଡ଼େ ସୁନ୍ଦର ବୁଦ୍ଧି, ପୁଣି ଦଶହାତରୁ ଦେଖିଲେ ଦଣ୍ଡବତ କରିବ । କି ପାଠ ପଢ଼ୁଛି କେଜାଣି, ଯେମିତି ସାତ ପୁରୁଷଙ୍କୁ ଉଦ୍ଧାର କରି ପକାଇବ । ଦେଖିଲେ ବି ଗୋଟା ଦଣ୍ଡବତ କରିବ ନାହିଁ । ମୋର ଯଦି ଇମିତି ଗୋଟାଏ ପୁତୁରା ଥାନ୍ତା, ତା ମୁହଁ ଚାହାନ୍ତି ନାହିଁ । ଆପଣ ତାକୁ, ଫେର ପଇସାପତ୍ର ଦେଉଛନ୍ତି ପଢ଼ିବାକୁ ! ତା ବାପ ତୁମର ଯେଉଁ ଉପକାର କରିଥିଲାନା, ପରକୁ ଦେଇ ଦେଇ କରଜ କରିଥିଲା ଫୋସଡ଼େ । ତୁମେ ବୋଲି ଶାମବାବୁ ସବୁ କାମ ତୁଳେଇ ନେଉଛ, ଆଉ କିଏ ପାରନ୍ତେ ନାହିଁ । ତା’ ପୁଅକୁ ପୁଣି ପାଠ ପଢ଼ାଇବାକୁ ଟଙ୍କା ଦେଉଛ ! ଦେଖିବ ରୁହ ଶାମବାବୁ, ମୁଁ ଯେଉଁ ସବୁ ଖବର ପାଉଛି, ତୁମେ ଯଦି ଆଗରୁ ସାବଧାନ ନ ହୁଅ, ତାହା ହେଲେ ତୁମର ସେ ସର୍ବନାଶ କରିବ–ଜାଣିଥା ।

 

ଏକାଥରକେ ଏତେଗୁଡ଼ାକ କଥା କହିସାରି ମିଶ୍ରେ ଥକାହୋଇ ବସି ପଡ଼ିଲେ । ଆଉ ସମସ୍ତେ ତାଙ୍କ ମୁହଁକୁ ଅନାଇଁଥାନ୍ତି ।

 

ଶାମବାବୁ ବଡ଼ ଅବା କାବା ହୋଇ ତାଙ୍କ ହାତକୁ ଧରି ପକାଇ କହିଲେ–କଣ ମିଶ୍ରେ, କଥା କଣ !

 

–ଆଉ କଥା କଣ, ସେ ଏ ଗାଁରେ ବେଶ୍ୟାପଡ଼ା ଖୋଲିଛି । ମଦନ ମାଷ୍ଟରଙ୍କ ବଢ଼ିଲା ଝିଅ ସଙ୍ଗରେ ତାର କି କଥାବାର୍ତ୍ତା । ଦିନ ରାତି ତା’ରି ଘରେ । ଭୁବନେଶ୍ୱର ନେଇ ଯାଉଛି । ଏ ଗାଁଟା କଣ ବେଶ୍ୟାପଡ଼ା ନା କଣ । ମଦନ ମାଷ୍ଟର ୯ ଟା ଟଙ୍କା ଦରମା ପାଇବ, ତାର ପୁଣି ଏତେ ଦିମାକ । ମଣିଷ ଦେଖିଲେ କଥା କହୁ ନାହିଁ । ତା’ ଘରେ ଏତେ ଧନ ସମ୍ପତ୍ତି କେଉଁଠୁ ଆସିଲା । ସବୁ ଏ ଟୋକାର ଫିକର । ଲୁଚାଇ ସବୁ ନେଇ ଦେଉଛି–ଜାଣିଲ ?

 

ଶାମବାବୁ ଦାନ୍ତ ରଗଡ଼ି କହିଲେ–ଏଁ, କଣ କହୁଛ ମିଶ୍ରେ, ମୋ ସ୍ତ୍ରୀ ଏହିକଥା କେଉଁ ଦିନଠୁ କହୁଛନ୍ତି, ମୁଁ ଶୁଣି ନଶୁଣିଲ ପରି ରହିଛି ।

 

–ତୁମ ପରି ତ ସେ ଆଉ ହୋଇ ନାହାନ୍ତି ? ଖାଣ୍ଟି ମଣିଷ ସେ–ବୁଝିଲ ? ତାଙ୍କରି କଥା ମାନ, ନଚେତ ତୁମ ଜୀବନର ଆଶା ରଖନା । ଯଦି ପିଲା ଦୁହିଁଙ୍କର ମଙ୍ଗଳ ଚାହଁ, ତାହାହେଲେ ଏହି ଦିନଠୁ ଉପାୟ କର, ନୋହିଲେ....

 

ଶାମବାବୁ ଦାନ୍ତ କାମୁଡ଼ି କହିଲେ–ଆସୁ ସେ ଏଥର ଦେଖିବି !

 

ହରି ମିଶ୍ରେ ଜିଭ କାମୁଡ଼ି ପକାଇ କହିଲେ–ଚୁପ୍ କର, ସେଥିରେ କିଛି ଫଳ ହେବ ନାହିଁ-। ତାର ଉପାୟ ମୁଁ କହୁଛି–ଚାଲ ।

 

ଶାମବାବୁଙ୍କ ଶୋଇବା ଘରକୁ ଦୁହେଁ ଉଠି ଗଲେ । ବାବୁଙ୍କ ସ୍ତ୍ରୀ ଥାଳିଆଟିରେ ପାନ ତାଙ୍କ ପାଖରେ ଥୋଇ ଦେଇ ମୁହଁ ଶୁଖାଇ କହିଲେ–ଏ କଣ ଆମର ଶୁଣିବା ଲୋକ । ମୁଁ ସେଦିନ ଠାରୁ କହୁଛି ପରା ! ଟୋକା ପଢ଼ିଲା ବୋଲି ସିନା, ତା’ ଆଖି ଆଜି ଫିଟିଲା ।

 

ମିଶ୍ରେ ହସି ହସି କହିଲେ–ଥୟ ଧର । ମୁଁ ଯଦି ଥିବି କିଛି ହେବ ନାଇଁ, ପାଦରେ କଣ୍ଟା ବାଜିବ ନାହିଁ । ଏଇଟା ତ ସାମାନ୍ୟ କଥା । ବୁଝିଲେ ଶାମବାବୁ, ମୁଁ ଭଲକରି ଜାଣେ ଶରତ ସେ ଟୋକୀ ଛଡ଼ା ଆଉ କାହାକୁ ବାହା କରିବ ନାହିଁ । ମୁଁ ଗୋଟା ଉପାୟ କହିବି, ଯଦି କରିବ, ତାହାହେଲେ ସେ ଟୋକା ଆଉ ଏ ଗାଁ ମାଡ଼ିବ ନାହିଁ । ଆଗେ ଶରତକୁ ଲେଖ, ତା’ ବାହାଘର ନିରୁ ସାଙ୍ଗରେ ଆସନ୍ତା ବଇଶାଖରେ ହେବ ବୋଲି ଏ ଦୁଇଦିନ ହେଲା ଠିକ୍ ହୋଇଛି । ଆଉ ପଢ଼ିବା ଠିକ୍ ନୁହେଁ । ପାଟଣା ଯାଇଁ ସେଠାରେ ଡ଼ାକ୍ତରୀ ବ୍ୟବସାୟ ଆରମ୍ଭ କରୁ । ଏ ଚିଠି ସେ ଯେମିତି ପାଇବ, ସେ ବଡ଼ ଖୁସି ହୋଇଯିବ । ତା’ପରେ କିଛିଦିନ ଗଲାରୁ ଦୁଃଖ କରି ଲେଖିବ, ନିରୁ ବାପା ବିବାହ କରିବାକୁ ମଙ୍ଗିଲା ନାଇଁ । ଅନ୍ୟ ସଙ୍ଗରେ ତାର ବିବାହ ହୋଇ ଯାଇଛି । ଏଇଥିରେ ସେ ପାଗଳ ହେବ, ନଇଲେ ସେ ସେଇଆଡ଼େ ବିବାହ କରି ରହିବ ।

 

ହରି ମିଶ୍ରେ ଏତକ କହିସାରି ଗୁମ୍ ହୋଇ ବସି ରହିଲେ । ଶାମବାବୁ ତାଙ୍କୁ କୁଣ୍ଢାଇ ପକାଇ କହିଲେ–ଠିକ୍ କହିଛ ମିଶ୍ରେ, ଏ ବୁଦ୍ଧି ଆଉ କାହା ମୁଣ୍ଡରୁ ବାହାରନ୍ତା ? ହରି ମିଶ୍ରେ ଟିକିଏ ମୁରୁକି ହସି ଠିଆ ହୋଇ କହିଲେ–ଯାଉଛି ଶାମବାବୁ । ପରିବା ପତର ଘରେ କିଛି ନ ଥିଲା, ପଇସାପତ୍ର କେଉଁଠୁ ଯୋଗାଡ଼ କରେ ।

 

ଶାମବାବୁ ଖଟ ଉପରୁ ଉଠି ପଡ଼ି କହିଲେ–ଏ କଣ ତୁମ ଘର ନୁହେଁ ? ଅଣ୍ଟାରୁ ଦୁଇ ଟଙ୍କା ବାହାର କରି ତାଙ୍କ ହାତରେ ଗୁଞ୍ଜି ଦେଇ କହିଲେ–ନିଅ, ଖର୍ଚ୍ଚବାର୍ଚ୍ଚ ତୁମ ପୁଅ କରିବ । ମୁଁ ଚାକର ହାତରେ ପରିବାପତ୍ର ପଠାଇ ଦେଉଛି–ଯା’ନ୍ତୁ ।

 

କଟକରେ ବିଭୂତି ବାବୁଙ୍କ ଭଉଣୀର ବିଭାଘର ବଡ଼ ଆଡ଼ମ୍ବରରେ ଶେଷ ହେଲା । ଗୁରୁବାର ଦିନ ପରୀକ୍ଷା ଫଳ ବାହାରିବ ବୋଲି ଶରତ ଓ ବିଭୂତି ଦୁହେଁଯାକ ଦୁଇଖଣ୍ଡ ସାଇକଲରେ ମେଡ଼ିକାଲ ଆଡ଼େ ଯାଇଥାନ୍ତି । ବିଭୂତି ସାଇକଲଟା ରଖିଦେଇ ଅଫିସ୍ ଭିତରକୁ ପଶିଯାଇ ଶରତର ପାଶ୍ କଥା ପଚାରିବାରୁ ନାରଣ ବାବୁ କହିଲେ–ସେ ତ ଭଲ ପିଲାଟା । ତା’ର ପାଶ୍ କରିବାରେ କ’ଣ ସନ୍ଦେହ ଥିଲା । ପ୍ରଶଂସା ସହିତ ପାଶ୍ କରିଛି । ଗଲା କୁଆଡ଼େ ? ଶରତ ପଛଆଡୁ ହସିହସିକା ଯାଇ ଦଣ୍ଡବତ କଲା । କେତେ ଗପସପ କଲା ପରେ ଦୁଇବନ୍ଧୁ ବସାକୁ ଫେରିଲେ । ବାଟରେ ଡାକପିଅନ ଦେଖି ଡାକ ପକାଇଲା–ଶରତବାବୁ, ଆପଣଙ୍କର ଚିଠି ଆଉ ଟଙ୍କା ଆସିଛି ।

 

ଶରତ ଚିଠି ଖଣ୍ଡକ ନେଇ ଆଗେ ଦେଖିଲା–ନିରୁ ଦେଇଛି କି ନାହିଁ । କିନ୍ତୁ ଭଲ କରି ଦେଖି ହତାଶ ହେଲା । ଏ ନିରୁ ହାତର ଅକ୍ଷର ନୁହେଁ । ତା’ପରେ ଚିଠି ଖଣ୍ଡକ ପକେଟରେ ରଖି ମନିଅର୍ଡରଟା ଦେଖିଲା ବେଳକୁ ପାଞ୍ଚଶ ଟଙ୍କା । ପ୍ରଥମେ ବଡ଼ ଅବା କାବା ହୋଇଗଲା । ପାଞ୍ଚଶ ଟଙ୍କା କିଏ ପଠାଇଲା ! ଶେଷରେ ନିଜ ଦାଦାର ଦସ୍ତଖତ ଦେଖି ବଡ଼ ବିସ୍ମିତ ହୋଇ ଟଙ୍କା ଗଣି ନେଲା । ତା’ପରେ ଚିଠି ଖୋଲି ପଢ଼ିଲା ।

 

ଚଣାହାଟ

ଗୁରୁବାର

 

ଶ୍ରୀମାନ୍ କଲ୍ୟାଣୀୟ ଶରତ,

 

ମୋର ଓ ତୋ ଖୁଡ଼ୀର ଆର୍ଶୀବାଦ ଗ୍ରହଣ କରିବୁ । ତୋ ଖୁଡୀକୁ ଚାରିଦିନ ଜର ହୋଇ ଛାଡ଼ି ଯାଇଛି । ତୁ ଶୁଣି ଖୁସି ହେବୁ ଯେ, ଏହି ଚାରିଦିନ ଜରରେ ତୋ ଖୁଡ଼ୀ ପାଗଳ ପରି ହୋଇ ତୋ ବାହାଘର ଦେଖି ଯିବ ବୋଲି ଦିନ ରାତି ମୁଣ୍ଡ କଚାଡ଼ିଲା । ମୁଁ ଓ ଗାଁର ପାଞ୍ଚଜଣ ଭଦ୍ରଲୋକ ମିଶି ମଦନ ପଟ୍ଟନାୟକଙ୍କ ଝିଅ ନିରୁଟିକୁ ଠିକ୍ କଲୁ । ମୋ ମନ ବି ମାନିଛି, ବେଶ ପିଲାଟିଏ । ମହାପ୍ରସାଦ ନିର୍ବନ୍ଧ ଏହି ମାସ ୭ ତାରିଖ ଦିନ ହେବ । ବର୍ତ୍ତମାନ ବିବାହ ଘର ନାହିଁ । ଆସନ୍ତା ବଇଶାଖକୁ ରହିଲା । ମୋ ବାପାଟା ପରା, ଆଉ ଅବୁଝା ହୁଅ ନାହିଁ । ଏ ଯୁଗରେ ବେଶି ପଢ଼ି ବି ଲାଭ କଣ ? ଆଜି ୫୦୦ ଟଙ୍କା ପଠାଇଲି । ତୁ ଶୀଘ୍ର ପାଟଣା ଯାଇ ସେଠାରେ ବୁଲାବୁଲି କରି ବ୍ୟବସାୟ କର ।

 

ଖୁଡ଼ୀ ଆସିବାକୁ ଭାରି ଜିଗର ଲଗାଉଥିଲା, କିନ୍ତୁ ମୋ ମତରେ ଗାଁକୁ ଆସିବା ବର୍ତ୍ତମାନ ଅବସ୍ତାରେ ଠିକ୍ ନୁହେଁ । ଗାଁର ଖରାପ ଲୋକ ଗୁଡ଼ାକ ଯାବତ କଥା କହିବେ । ବିବାହ ଆଠଦିନ ଥିବ, ମୁଁ ଚିଠି ଲେଖିବି । ଆଉ ଯଦି କିଛି ଟଙ୍କା ଦରକାର ହୁଏ ପାଟଣା ଠାରୁ ଯାଇ ଲେଖିବୁ । ଆଉ ସମସ୍ତେ ଭଲରେ ଅଛନ୍ତି ।

 

ତୋର ଶୁଭାକାଂକ୍ଷୀ ଦାଦୀ

ଶ୍ୟାମସୁନ୍ଦର

 

ଶରତ ଚିଠି ଖଣ୍ଡକ ପଢ଼ିସାରି ଦାଦୀ ଖୁଡ଼ୀଙ୍କ ପ୍ରତି ସ୍ନେହରେ ତା ଅନ୍ତର ପୂରି ଉଠିଲା । ଯେତେହେଲେ ଦାଦୀ ଖୁଡ଼ୀ–ଏକା ରକ୍ତ । ମୁହଁରେ ସିନା ସେମିତି ଦି’ପଦ କହିଥିଲେ, ତାଙ୍କ ଅନ୍ତରଟା ପ୍ରକୃତରେ କେତେ ସରଳ । ଆଗରୁ ଦାଦୀ ଖୁଡ଼ୀଙ୍କ ପ୍ରତି ତାର ଯେଉଁ ଖରାପ ଧାରଣା ଜନ୍ମିଥିଲା, ସେଥିପାଇଁ ସେ ବଡ଼ ମନକଷ୍ଟ କଲା ।

 

ବସାକୁ ଦୁହେଁ ଫେରିଲେ । ଶରତ ଖାଇପିଇ ଦାଣ୍ଡ ମେଲା ଖଟ ଉପରେ ଶୋଇ ଭାବୁଥାଏ–ପ୍ରକୃତରେ ଭଗବାନଙ୍କର ତା ଉପରେ କେଡ଼େ ଦୟା । ଯେଉଁଦିନ ପାଶ୍‍ ଖବର, ସେହିଦିନ ପୁଣି ତା ପ୍ରାଣ ପ୍ରିୟ ନିରୁ ସଙ୍ଗରେ ବିବାହ ପାଇଁ, ଦାଦୀ ଖୁଡ଼ୀ ଠିକ୍ କରିଛନ୍ତି । ଆସନ୍ତା ବଇଶାଖରେ ନିରୁ ତାର ରାଣୀ ହେବ–ଏଇ ଭାବନାରେ ଅନ୍ତର ତାର ପୁଲି ଉଠୁଥାଏ–ଠିକ୍ ପୂର୍ଣ୍ଣମୀ ରାତିରେ ସମୁଦ୍ର ପରି । ଦଣ୍ଡକେ ଭବିଷ୍ୟତ ସୁଖର କେତେ ଯେ କଳ୍ପନାର ଦେଉଳ ଗଢ଼ୁଥାଏ ତାର ଇୟତ୍ତା ନାହିଁ ।

 

ଦୁଇଦିନ ପରେ ବିଭୂତି ପ୍ରଭୃତି ପାଟଣା ବାହାରିଗଲେ । ଶରତ ତାଙ୍କରି ସାଙ୍ଗରେ ଗଲା-। ବିଭୂତି, ତା’ ବୋଉ ତାର ଛୋଟ ଭଉଣୀ ଆଶାଟି ତାକୁ ଏକାବେଳକେ ନିଜର କରି ନେଇଥାନ୍ତି । ଶରତ ଯେତେ କହିଲା–ଅନ୍ୟ ବସା କରିବାକୁ ଏମାନେ କରାଇ ଦେଲେ ନାହିଁ । ଶରତ ବାଧ୍ୟ ହୋଇ ମାସେ ତାଙ୍କରି ଘରେ ରହିଲା ।

 

ପାଟଣା ଯିବା ପୂର୍ବରୁ ଶରତ ଭାବିଥିଲା–ନିରୁ ପାଖକୁ ଖଣ୍ଡେ ଚିଠି ଓ କିଛି ଜିନିଷ କିଣି ପଠାଇ ଦେବ । କିନ୍ତୁ ନିରୁ ସହିତ ତାର ବିବାହ ଠିକ୍ ହୋଇ ଯାଇଥିବାରୁ, ଚିଠିପତ୍ର ଦେବାକୁ ତାକୁ ଗୋଟାଏ କିମିତି କିମିତି ଲାଗିଲା । ବିବାହ ପର୍ଯ୍ୟନ୍ତ ତାକୁ ଚିଠି ଗୋଟାଏ କିମିତି ଦେବ ! ଯଦି ନିରୁ ରାଗେ, ତାହାହେଲେ ବିବାହର ପ୍ରଥମ ରାତିରେ ତାର ଅଭିମାନ ସବୁ ଭାଙ୍ଗିଦେବ ଯେ....

 

ଦିନେ ନିରୁବୋଉ ତାଙ୍କ ସ୍ୱାମୀଙ୍କୁ ଘସି ଦେଉ ଦେଉ କହିଲେ, ହଇଏ, ଆଉ କେତେଦିନ ଇମିତି ଚୁପ୍ ହୋଇ ବସିବ । ନିରୁ କଣ ଛୁଆଟିଏ ହୋଇଛି ନା କଣ ? ଶ୍ୟାମବାବୁଙ୍କୁ ଯାଇ କହିଆସ, ଶରତର ବାପା ବୋଉ ତ ମହାଦେବଙ୍କ ଦେଉଳରେ ପ୍ରତିଜ୍ଞା କରି ଯାଇଛନ୍ତି, ଆଉ ସେଥିରେ କଥା କଣ ଅଛି ?

 

ନିରୁ ବାପା ଟିକିଏ କଣ ଭାବି କହିଲେ–ହଁ, ଯାହା କହିଛ ଠିକ୍ କଥା । ନିରୁ ଉପରେ ଆମର ଆଉ ଦାବୀ କ’ଣ ? ମୁଁ କାଲି ପଚାରି ଆସେ, କେବକୁ ଠିକ୍ କରୁଛନ୍ତି । ଶରତ ଖୁଡ଼ୀ ଏ କଥା ଜାଣନ୍ତି ନା ?

 

–ହଁ ଜାଣନ୍ତି ନାହିଁ ଆଉ କ’ଣ । ସେଦିନ ତ ସେ ସାଙ୍ଗରେ ଥିଲେ ।

 

ତହିଁ ଆରଦିନ ଉପରବେଳା । ନିରୁ ବାପା ଭଲ ଲୁଗା ଖଣ୍ଡିଏ ପିନ୍ଧ, ଧୋତି ପଞ୍ଜାବି ମଡ଼ାଇ ତା ଉପରେ ଚାଦର ଖଣ୍ଡିକ ପକାଇ ଶାମବାବୁଙ୍କ ଦୁଆର ମୁହଁରେ ପହଞ୍ଚିଲେ । ଶାମବାବୁ ଆଉ ହରି ମିଶ୍ରେ, ଦୁହେଁଯାକ ବସି କଣ ଗପସପ ହେଉଥାନ୍ତି । ଉପର ମୁହଁରେ ଶାମବାବୁ ତାଙ୍କୁ ଦେଖି ଡାକ ପକାଇଲେ–କିଏ ଅଛ, ଆଣରେ ମଦନବାବୁଙ୍କ ପାଇଁ ପାନ । ମଦନବାବୁ ଯାଇଁ ତାଙ୍କ ପାଖରେ ବସିଲେ । କେତେ ଗପସପ ପରେ ଶାମବାବୁ ବଡ଼ ବିନୀତ ହୋଇ ପଚାରିଲେ–କୁଆଡ଼େ ଆଇଲେ ଏଣେ... ।

 

ମଦନବାବୁ ଟିକିଏ ହସି କହିଲେ–ଆଉ ଡେରି ଡେରି କାହିଁକି କରୁଛନ୍ତି ? ପିଲା ଶେଯରୁ ତ ଆମର କଥାବାର୍ତ୍ତା ସରିଯାଇଛି, ଆଉ କଥାବାର୍ତ୍ତା କଣ ହେବା । ନିରୁଟି ମୋର ବର୍ଷେ ହେଲା ଘରଯୋଗ୍ୟ ହୋଇ ରହିଲାଣି । ଶରତ ବି ପାଶ୍ କରିଛି । ଗୋଟାଏ ଦିନ ବାର ଧରି ଠିକ୍ କରିଦିଅନ୍ତୁ । ନିଜ ଆଖିରେ ଟିକିଏ ହେଲେ ଦେଖିଯିବା । ମଣିଷ ଜୀବନ ପାଣିଫୋଟକା–କିଏ ଜାଣେ କେତେବେଳେ କେଉଁ କଥା ।

 

ହରି ମିଶ୍ରେ ଗୁଡାଖୁ ହୁକାଟା ଭଡ଼ଭଡ଼ କରି ଫସଫସ ଧୂଆଁ ଛାଡ଼ି କଥା ଚୁପ୍ ହୋଇ ଶୁଣୁଥାନ୍ତି । ଶାମବାବୁ ଟିକିଏ ଗୁମ୍ ମାରି କହିଲେ–ହଁ ମଦନ ବାବୁ, ଯାହା କହିଲ ବୁଝିଲି । ତେବେ ମୁଁ ଆଉ ଏସବୁ ବିଷୟ କିଛି ବୁଝୁନାହିଁ । ମିଶ୍ରଙ୍କୁ କୁହ, ସେ ଘରଆଡ଼େ ବୁଝି ଯାହା କହିବେ ।

 

ହରି ମିଶ୍ରଙ୍କ ଉପରେ ଶାମବାବୁ ଏଡ଼େବଡ଼ ଭାରଟା ଦେଇଛନ୍ତି ବୋଲି ତାଙ୍କର ଗର୍ବରେ ଛାତି ଫୁଲି ଉଠୁଥାଏ । ଗୁଡ଼ାଖୁ ନଳିଟାକୁ ଖୁବ୍ ଜୋରରେ ଦି’ଥର ଟାଣିନେଇ କହିଲେ–ଜାଣିଲ ମଦନ ବାବୁ, ଆମ ବାବୁ ଏବେ ବାବାଜୀ ପାଲଟି ଗଲେଣି । ଆପଣ ଟିକିଏ ବସନ୍ତୁ, ମୁଁ ସବୁ ବୁଝି କହୁଛି । ତା’ପରେ ମିଶ୍ରେ ଖଡ଼ମ ମାଡ଼ି ଘର ଆଡ଼କୁ ଚାଲିଗଲେ ।

 

ଅଧ ଘଣ୍ଟା ଗଲା । ବାବୁଆଣୀଙ୍କ ସଙ୍ଗରେ କି କଥାବାର୍ତ୍ତା ହେଲେ କେଜାଣି, ମିଶ୍ରେ ଆସି ଆଗେ ଗୁମ୍ ମାରି ବସି ପଡ଼ିଲେ । ତା’ପରେ ଆରମ୍ଭ କଲେ–ଜାଣିଲ ମଦନବାବୁ, ଶରତ ବର୍ତ୍ତମାନ ପିଲାଟା । ପାଟଣା ଯାଇଛି ଡାକ୍ତରୀ କାମ କରିବାକୁ, ତା ଖୁଡୀର ଜମାରୁ ଇଚ୍ଛା ନାହିଁ । ତେବେ ଆଉ ମଦନବାବୁ ବସି ରହିବେ କାହିଁକି, ନିରୁ ପରି ପିଲାଟିକୁ କାହାର ବୋହୂ କରି ନେବାକୁ ଇଚ୍ଛା ନ ହେବ । ମୋ ମତରେ ଅନ୍ୟଠାରେ କରିବା ଠିକ । ଜାଣିଲ ମଦନବାବୁ, ଆଗରେ ଗୋଟାଏ କଥା–ପଛରେ ଗୋଟାଏ କଥା ମତେ ଆସେ ନାହିଁ । ମୋଟ ଉପରେ ବାବୁଆଣୀଙ୍କର ମତ ଏଠି କରିବେ ନାହିଁ । ତାଙ୍କର ଅନ୍ୟ ଆଡ଼େ ଠିକ ହୋଇଛି । ଦେଉଳରେ ନିୟମ କରିବା କଥା, ବୁଝାଇ କହିଲି, ଆଜିକାଲି ତ ଇଂରେଜ ଅମଳ, ସେକଥା ସେ ଜମା ମାନିଲେ ନାହିଁ । ଆଚ୍ଛା, ଆମେ ଗୋଟିଏ ବର ଠିକ କରିଦେବା । ଆପଣ ଆଉ ଏଠି ଆଶା ରଖିବେ ନାହିଁ । ମୋ ମତରେ ଏଠି ହୋଇଥିଲେ ଭଲ ହୋଇଥାନ୍ତା, କିନ୍ତୁ ବିଧାତା ଯାହା ସଙ୍ଗରେ, ଯାହା ଯୋଡ଼ା ଖଞ୍ଜିଛି, ମଣିଷର ହାତ କଣ ଅଛି ।

 

ମଦନବାବୁ, ମିଶ୍ରଙ୍କ ମୁହଁରୁ ଏତକ ଶୁଣି ତାଙ୍କ ଦେହରୁ ଅଧେ ରକ୍ତ ଶୁଖିଗଲା । ଛାତିଟା ଦମଦମ ପଡ଼ୁଥାଏ । ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ କହିଲେ–କଣ କହୁଛ ମିଶ୍ରେ, ପିଲାଟି ଦିନର ନିୟମ କଣ ଭାଙ୍ଗିବ ?

 

ମିଶ୍ରେ ଟିକିଏ ହସି କହିଲେ–ମୋର ଚାରା କ’ଣ, ସେ ତ ଏକବାରେ ନାରାଜ । ଆଉ ଅଧିକା କହି ଲାଭ କଣ ମଦନବାବୁ ।

 

ମଦନବାବୁ ପୁଣି ଥରେ ଲୁହ ଛଳ ଛଳ କରି କହିଲେ–କଣ କହୁଛ ଶାମବାବୁ ?

 

ଶାମବାବୁ ଟିକିଏ ବିରକ୍ତି ପ୍ରକାଶ କରି କହିଲେ–ନା, ମୋର ଆଉ କଣ କହିବାର ଅଛି-

 

ମଦନବାବୁ ଆଉ କିଛି କହିଲେ ନାହିଁ । ଥର ଥର ଗୋଡ଼ରେ ତଳକୁ ଓହ୍ଲାଇଲେ । ଦୁନିଆଟା ତାଙ୍କୁ ଅନ୍ଧକାର ଦେଖାଯାଉଥାଏ । ଅନ୍ଧାରରେ ବାଡ଼ି ବୁଲାଇଲା ପରି ପାଗଳଙ୍କ ଭଳି ଘରକୁ ଫେରିଲେ ।

 

ନିରୁ ବୋଉ ଯେମିତି ଏ କଥା ଶୁଣିଛନ୍ତି, ନିରୁକୁ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦିଲେ । ନିରୁ ଶୁଖି କଳାକାଠ ପଡ଼ିଗଲା । ତା’ର ସରଳ ମନଟି ନିହାତି ଛୋଟ ଛୁଆଟି ପରି କାନ୍ଦିବାକୁ ଲାଗିଲା । ହୃଦୟର ସବୁ ବେଦନା ଆଖିବାଟେ ଝର ଝର ହୋଇ ବୋହି ପଡ଼ୁଥାଏ । ତଥାପି ନିରୁର ମନରେ ଆଶା ଥାଏ, ଯିଏ ଯାହା କହୁ ପଛକେ, ଶରତ ଭାଇ କଣ ତାକୁ ଭୁଲି ରହିବ । କଦାପି ନୁହେଁ । ଯଦି ତାକୁ କିଏ ଅନ୍ୟ ସଙ୍ଗରେ ଯୋଗାଡ଼ କରେ, ତାହାହେଲେ ସେ ଆତ୍ମହତ୍ୟା କରିବ । ସେ ଦିନଟାଯାକ ଆଉ କାହାର ଖିଆପିଆ ନାହିଁ । ନିରୁର ଦୁଃଖରେ ଗଛ ପତର, ଚାଳ ଗଣ୍ଠି ବି ମଉଳି ପଡ଼ିଲେ । ସମସ୍ତେ ତା ଦୁଃଖରେ ଯେମିତି ଦୁଃଖୀ । ସେହିଦିନ ରାତି ପାହାନ୍ତାରେ ମଦନବାବୁ ଜରରେ କମ୍ପି କମ୍ପି କହିଲେ, ନିରୁ ବୋଉ, ନିରୁ ବୋଉ, ଓହୋ ଜୀବନ ବାହାରି ଯିବ–ମୋତେ ଘୋଡ଼ାଇ ଦିଅ ।

 

ଆଠଦିନ ପରେ । ଶାମ ପଧାନ କତା ଦଉଡ଼ି ଭାଙ୍ଗୁ ଭାଙ୍ଗୁ କହିଲା–ଶୁଣିଲୁଣି ରେ ପରିଆ, ମଦନବାବୁ ଗାଁ ଗୋଟାକପର ଲୋକ ଗୋଟା । ଆଉ ବେଶି ହେଲେ ପାହାନ୍ତା ପହର ଟପିବ କି ନାଇଁରେ ! ବଇଦ ଯାଇଥିଲା–ଦେଖି ମୁହଁ ବୁଲାଇ ଫେରି ଆସିଛି । ଯିଏ ଭଲ ମଣିଷ ସେ ଗୋଟି ଗୋଟି କରି ଯାଉଛନ୍ତି । ଏ ଜୀବନଟାକୁ ଯମ ନ ନେଇ ରଖିଛି କେଜାଣି କାହିଁକି ! ଜର ବାଧକ କିଛି ନୁହେଁ, ଲୋକଟା କେବଳ ଚିନ୍ତାରେ ମଲା । ତାଙ୍କ ଝିଅ ନିରୁଟି ପରି ବୋହୂ ପୁଣି କିଏ ପାଇବ ! ବଡ଼ ସାଆନ୍ତାଣି ନିୟମ କରି ଯାଇଥିଲେ, ସେ ଯଦି ଆଜି ଥାଆନ୍ତେ–ଏ ପୁଣି, ହାୟରେ ବିଧାତା ! ତା’ ସୁନାଘର ଆଜି ଚୁନା ହେଲା ସିନା !

 

ପରିଆ ଦୀର୍ଘ ନିଶ୍ୱାସ ମାରି କହିଲା–ଛାଡ଼ ସାଆନ୍ତେ, ଏତ ଘୋର କଳିକାଳ, ଆଉ ବେଶିଦିନ ନୁହେଁ, ଚକୁଳିପିଠା ପରି ନେଉଟି ପଡ଼ିବ । ଦେଖିବ ନାଇଁ ଦି ’ ଆଖିରେ ।

 

ଯିବା ଆସିବା ସମୟ । ନିରୁ ବୋଉ ଗୋଡ଼ ପାଖରେ ବସି ଆଉଁସୁଥାନ୍ତି । ଆଖିରୁ ଲୁହ ଝର ଝର ଗଡ଼ି ପଡୁଥାଏ । ନିରୁ ମୁଣ୍ଡ ଉପରେ ବସି ବାପାଙ୍କର ମୁହଁକୁ ଆଉଁସୁଥାଏ । କାନ୍ଦି କାନ୍ଦି ଆଖି ତାର ଏଡ଼େ । ମୁହଁଟି ଶୁଖି ଦୀପ ପରି । ବାଳଗୁଡ଼ିକ ତେଲ ନ ବାଜି ଫୁରଫୁର । ମଦନବାବୁ ଆଖି ବୁଜି ବୋଧହୁଏ ଶେଷ ପର୍ଯ୍ୟନ୍ତ ନିରୁ କଥା ଭାବୁଥିଲେ ।

 

ଦଣ୍ଡେ ଗଲା । ଗୋଟାଏ ଛୋଟ ହିକା ଆସିଲା । ତା’ପରେ ଆଖି ଦୋ’ଟି ଫିଟିଗଲା । ଆଖିରେ ଲୁହ ! ବଡ଼ ମିନତି ହୋଇ ନିରୁ ଆଡ଼େ ଅନାଇଁଥାନ୍ତି । ପାଟି ଫିଟୁ ନଥାଏ । ସେ ଚାହାଣିରେ ଯେପରି କହୁଥାନ୍ତି–ନିରୁ,ମା’ ମୋର ତୋ ପାଖରେ ମୁଁ ଦୋଷୀ, ଦୁନିଆରେ ତୋର ମୁଁ କିଛ କରି ପାରିଲି ନାହିଁ । ତୋ କରମ । ଇମିତି କେତେ ସମୟ ଅନାଇଁଲେ । ଆଖିରୁ ଲୁହ ଗଡ଼ିଲା-। ବହୁ କଷ୍ଟରେ ନିରୁର ହାତଟିକୁ ନିଜ ଛାତି ଉପରକୁ ନେଇ ଜୋରରେ ଚାପି ଧରିଲେ । ନିରୁ ସବୁ ବୁଝି ପାରିଲା । କଇଁ କଇଁ ହୋଇ କାନ୍ଦି ତାଙ୍କ ଉପରେ ମୁଣ୍ଡ କଚାଡ଼ୁଥାଏ ।

 

ରାତି ପାହିବାକୁ ଅଳ୍ପ ସମୟ ବାକି । ଘର ଦୁଆର କିମିତି କିମିତି ମାଡ଼ି ପଡୁଥାଏ । ଗାଁ ସେମୁଣ୍ଡ ମଶାଣିରୁ ଭେରଣ୍ଡାଟା ଖୁବ୍ ଜୋରରେ ଭୁକି ଉଠିଲା । ନିରୁ ଓ ତା’ ବୋଉ ଚମକି ପଡ଼ିଲେ-। ସେପାରିର ଡାକ ଆସିଲା ବୋଧହୁଏ । ମଦନ ବାବୁଙ୍କର ଗୋଟାଏ ଉତ୍ତେଜନା ଆସିଲା-। ପୁଣି ନିରୁ ହାତକୁ ଚାପି ଧରିଲେ । ନିରୁ ବୋଉକୁ ପୁଣି ଥରେ ବଡ଼ କରୁଣ ଚାହାଣୀରେ ଚାହିଁଲେ-। ତା’ପରେ, ତା’ପରେ ଗୋଟାଏ ଜୋରରେ ହିକା ଆସିଲା । ଦେହଟା ଆପେ ଆପେ କରେଇ ହୋଇଗଲା ।

 

ନିରୁ କାନ୍ଦି କାନ୍ଦି ଡାକିଲା–ବାପା ! ବାପା !

କିଏ ଜାଣେ ବାପା ଯାଇ ସରଗ ପଥରେ, କେତେ ଦୂରରେ !

 

ଗାଁ ସେମୁଣ୍ଡ ମଶାଣିରେ ଚିତ୍ତା ଜଳିଲା ହୁ-ହୁ ! କିଏ ହସିଲା, କିଏ କାନ୍ଦିଲା । କିନ୍ତୁ ନିରୁ ଆଉ, ସୁନାର ସଂସାର ଚୂନା ହେଲା ।

 

ଶରତ ନିତି ଦେଖେ ସୁଖର ସ୍ୱପ୍ନ । ଦିନ ଯେତିକି ଗଡ଼ି ଯାଉଥାଏ, ସୁଖରାତ୍ରିର କଥା ଭାବି ତାର ମନ ସେତିକି କୁରୁଳି ଉଠେ । ସେ ଆଉ ବର୍ତ୍ତମାନ ତାର ବନ୍ଧୁ ବିଭୂତି ଘରେ ନାହିଁ । ପାଖରେ ଗୋଟାଏ ସୁନ୍ଦର ଏକମହଲା ଘର ଭଡ଼ା ନେଇ ରହିଛି । ବେଶ୍ ଘରଟିଏ । ଆଗରେ ଖଣ୍ଡିଏ ଛୋଟ ଫୁଲ ବଗିଚା । ଧଳା ଆଉ ନାଲି ଗୋଲାପରେ ବଗିଚାଟି ଭରପୁର । ଶରତର ପରିଶ୍ରମ ଫଳରେ ଅଳ୍ପଦିନ ମଧ୍ୟରେ ପାଟଣାପରି ସହରରେ ଭଲ ଡାକ୍ତର ବୋଲି ଖୁବ୍ ନାଁ କରିଗଲା । ରୋଜଗାର ବି ବେଶ୍ ହେଉଥାଏ । ମଣିଷ ଭିତରେ ଶରତ, ପୁଝାରୀ ଆଉ ଚାକରଟିଏ-

 

ଶରତ ଯାହା ରୋଜଗାର କରେ ସେ ସବୁ ଟଙ୍କାରେ ଭଲ ଭଲ ଜିନିସ ସବୁ କିଣି ଘର ସଜାଏ । ସୁନ୍ଦର ସୁନ୍ଦର ଛବି କିଣି ଘରଯାକ ମାରିବା ଶରତର ଗୋଟାଏ ଖିଆଲ । ସେଥିପାଇଁ ସେ ଦେଶି ଛବିଠାରୁ ଜାପାନୀ ଛବି ପର୍ଯ୍ୟନ୍ତ କିଣି ଘରଯାକ ମାରିଦେଇଛି ।

 

ଏସବୁ ସାଜସଜା କେବଳ ନିରୁ ପାଇଁ । ବେଳେ ବେଳେ ବିଭୂତି ଭଉଣୀ ଆଶାଟି ଶରତ ଘରକୁ ଆସେ । ନିଜ ଘରପରି ଶରତର ଟେବୁଲଟି ସଜାଡ଼ି ଦିଏ । ଫୁଲଦାନିରୁ ବାସୀଫୁଲ ପକାଇ ଦେଇ, ବଡ଼ ବଡ଼ ଗୋଲାପ ଫୁଲ ଆଣି ସଜାଇ ଦିଏ । ଆଶାଟିକୁ ବୟସ ବାର ତେର ହେଲେ କଣ ହେବ, ବେଶ୍ ବୁଦ୍ଧି ସୁଦ୍ଧି ଅଛି । ଗୋରା ତକତକ ଦେହ ଠିକ୍ ପରୀଟି ପରି । ସେ ଯେତେବେଳେ ଘରେ ପଶି ଏସବୁ କାମ କରୁଥାଏ, ଶରତକୁ ଭାରି ଭଲ ଲାଗେ । ସେ ଭାବେ, ଆଶାଟି ପରି ଠିକ୍ ତାର ନିରୁ । ୟାରି ବୟସରେ ସେ ବି ସେମିତି ଦୁଷ୍ଟଥିଲା । ଆଜି ବି ତାର ସେ ପିଲାଳିଆ ଢ଼ଙ୍ଗ, କଥା କଥାକେ ରୁକ୍ଷା ଛାଡ଼ ଯାଇନାହିଁ ।

 

ଆରାମ ଚେୟାରରେ ବସି ଇମିତି କେତେ କଣ ଭାବୁ ଭାବୁ ତାର ମନ କୁଆଡ଼େ ଯାଏ-। ଭାବନାର ସ୍ରୋତ ଆଉରି ବେଗରେ ଚାଲେ । ଭାବେ–ଆଉ ଦୁଇଟି ମାସ ପରେ ତାର ନିରୁ ଏଠିକୁ ଆସିବ । ଏ ଘର, ଏ ସହର, ଏ ସାଜସଜା ଦେଖି କେଡ଼େ ଖୁସି ହେବ । ନିରୁ ପ୍ରଥମେ ଯେମିତି ଆସିବ ସେମିତି ତାକୁ ସେ ସିନେମା ଦେଖାଇ ନେବ, ସହର ବଜାର ସବୁ ବୁଲାଇ ଆଣିବ-। ଏ ତ ଗଲା ପ୍ରଥମ କଥା । ତା’ପରେ ଏହି ଫୁଲ ବଗିଚାରେ ଗୋଟାଏ ଚଉତରା କରିବ । ଜହ୍ନ ପଡ଼ିଥିବ କଇଁଫୁଲ ପରି, ସାରା ସଂସାରଟା ରୂପା ପାଣିରେ ଧୋଇ ହେଲାପରି ଭାରି ଚକ୍ ଚକ୍ ଦେଖା ଯାଉଥିବ । ଗୋଲାପ ଫୁଲ ମୁଣ୍ଡ ଟୁଙ୍ଗାରି କଣ କଥାବାର୍ତ୍ତା ହେଉଥିବେ । ସେ ଓ ନିରୁ ଦୁହେଁ ଚେୟାର ଉପରେ ବସି ଜଳଖିଆ ଖାଇବେ । ତା’ପରେ ନିରୁ ପିନ୍ଧିବ ଗୋଲାପୀ ଶାଢ଼ୀ ଖଣ୍ଡିଏ, ଶରତ ସାଦା ଲୁଗା, ମଖମଲ ପଞ୍ଜାବିଟିଏ ପିନ୍ଧି ହାତ ଧରାଧରି ହୋଇ ଚଉତରା ଉପରକୁ ଆସିବେ । ଶରତ ବସିବ ଗୋଡ଼ ଲମ୍ବାଇ, ନିରୁ ତା’ ପାଖରେ ଲାଗି କରି ବସିବ, ଶରତ କଣ କରିବ ନା, ତା’ହାତକୁ ଉପରକୁ ଆଉଜେଇ ଆଣି ଗେଲ କରିଦେବ । ନିରୁ ତାକୁ ଥଟ୍ଟା କରି କେତେ କଣ କହିବ । ଦୁହେଁ ଦୁନିଆକୁ ଭୁଲିଯିବେ ।

 

ଏଇ ଭାବନାକୁ ଭାଙ୍ଗିଦେଇ ଆଶା ତା’ କୋଡ଼ରେ ବସିଯାଇ କହେ–କଣ ଭାବୁଛ ଶରତ ଭାଇ ! ଜାଣିଛି ଯେ, ନୂଆବୋଉ କଥା, ନୂହେଁ ?

 

ଶରତ ଭାବନା ରାଇଜରୁ ପେରିଆସି ଆଶାର ମୁହଁକୁ ଚାହେଁ । କି ସୁନ୍ଦର ନାଲି ଟୁ ହୁଟୁ ହୁ ମୁହଁଟି, ଠିକ୍ ନିରୁ ପରି । ଆଖିରେ ସେହି ସରଳତାର ଆଭା । ନିରୁ ଭାବି ଖୁବ୍ ଆନନ୍ଦରେ ତାକୁ ଗେଲ କରି ଦିଏ । ଆଶା ସେହି ଗରମ ଚୁମ୍ବନରୁ କି ପରଶ ପାଏ କେଜାଣି, ଗୋଟାଏ ନୂଆ କଥା ଜାଣିଲା ପରି ଭାରି ଆଗ୍ରହରେ ଆବାକାବା ହୋଇ ଶରତ ମୁହଁକୁ ଚାହେଁ ।

 

ଇମିତି ଦିନ ଗୁଡ଼ିକ କଟେ ସ୍ୱପ୍ନ ପରି ।

 

ମଦନବାବୁ ମଲାଦିନୁ ତାଙ୍କର ସୁନାର ସଂସାର ଚୂନା ହୋଇ ଯାଇଛି । ଘର ଠାରୁ ବାହାର ପର୍ଯ୍ୟନ୍ତ ହତଶ୍ରୀର ମଳିନ ଛାୟା । ନିରୁ ବୋଉ ଦିନ ରାତି ନିରୁ କଥା ଭାବି ଭାବି ତାଙ୍କର ହାଡ଼ରୁ ମାଂସ ଝଡ଼ି ପଡ଼ିଲାଣି । ଆଉ ନିରୁ, ତା’ ଅବସ୍ଥା କହିଲେ ନ ସରେ । ଏଇ କେଇଟା ଦିନ ଭିତରେ ତାର ଆଗ ରୂପ କିଛି ଆଉ ନାହିଁ । ଢ଼ଳଢ଼ଳ ଆଖି ଯୋଡ଼ିକ କେଉଁ ଗହିରକୁ ପଶି ଯାଇଛି-। ସତେଜ ଗୋଲାପି ଚିବୁକଟି ଶୁଖି କଳା । ଆଖିରେ ସେ ଆନନ୍ଦ ଆଉ ସରଳତାର ଆଭା ନାହିଁ । ସାରା ମୁହଁଟିରେ ଫୁଟିଛି ଗୋଟାଏ ଭୟ, ନିରାଶାର କରୁଣ ଚିହ୍ନ ।

 

ଆଜି କାଲି ସେ ଭଲ କରି ଗଣ୍ଡାଏ ଭାତ ଖାଏ ନାହିଁ, ମୁଣ୍ଡରେ ତେଲ ଲାଗଏ ନାହିଁ । ମଇଳା ଲୁଗା ଖଣ୍ଡିଏ ପିନ୍ଧି ଛୋଟ ଝରକା ବାଟେ ଅନାଇଁଥାଏ ବାହାରକୁ । ତାର ସଜଳ ଆଖି ଯୋଡ଼ିକ ଶରତ ଉଦ୍ଦେଶ୍ୟରେ ମିଶି ଯାଇଥାଏ ଦିଗ୍‌ବଳୟ ଶେଷ ସୀମାରେ । ଦିନ କେତେବେଳେ ଯାଏ ରାତି କେତେବେଳେ ଆସେ ସେ ଜାଣିପାରେ ନା । ମା’ବି ତାକୁ କିଛି କୁହନ୍ତି ନାହିଁ । ସଞ୍ଜବତୀ ଦେଇ ଦୀପ ଘେନି ଘର ଭିତରକୁ ପଶି ଆସି ଦେଖନ୍ତି ନିରୁ ପଥରଟି ପରି ଅବାକ ହୋଇ ବସିଛି । ତା’ଆଖିରୁ ଲୁହ ଧାର ଧାର ହୋଇ ଗଡ଼ି ପଡୁଛି । ତାଙ୍କର ସ୍ନେହର ନିରୁଟିକୁ ଏପରି ଅବସ୍ଥାରେ ଦେଖି ତାଙ୍କ ମନ ଆଉ ଥୟ ଧରେ ନାହିଁ । ତା’ପାଖରେ ବସିପଡ଼ି ଲୁଗା କାନିରେ ଲୁହ ପୋଛି ଦେଇ କହନ୍ତି–ମା’ଟି ମୋର, ତୋ କରମ । କାନ୍ଦିଲେ କଣ ହେବ । ମୋ ରାଣ, ଆଖିରୁ ଆଉ ଲୁହ ଗଡ଼ାନା । ନ ଖାଇ ନ ପିଇ ଝିଅଟା ମୋର କ’ଣ ହେଲାଣି । ଭୋକରେ ପେଟ ଲାଗି ଯାଉଛି । ଆ ନିରୁ, ଗଣ୍ଡାଏ ଖାଇଦେ ଭଲା ! ସତେ ଯଦି ମା’ ବୃନ୍ଦାବତୀ ଥିବ, ସବୁ କଥା ବୁଝିବ । ହେ ଭଗବାନ । ଆମକୁ ଯିଏ ଜଳାଇ ପୋଡ଼ାଇ ମାରୁଛି, ସେ ତା ସାତଜନମ ଯାକ ଜଳି ପୋଡ଼ି ମରୁ । ହେ ମା’ ମଙ୍ଗଳା, ଶରତକୁ ଆଇଶ ଦେଇଥାଅ । ତାର ମଙ୍ଗଳ ହେଉ । ସେ କ’ଣ ଜାଣିଥିବ ଏ କଥା, ଜମାରୁ ନୁହେଁ । ସବୁ ୟାଙ୍କରି ଫିକର । ଇମିତି ବାଇଆଣୀ ପରି କେତେ କଣ ଗପି ନିରୁକୁ ଟାଣନ୍ତି–ଆ ଭଲା, ମତେ ଆଉ ଚିଡ଼ାନା ।

 

ନିରୁ ଲୁଗା କାନିରେ ଲୁହ ପୋଛି ଉଠି ଆସେ । କଣ ଗଣ୍ଡାଏ ଖାଏ କି ନାହିଁ ସଉପ ଖଣ୍ଡେ ପକାଇ ଶୋଇପଡ଼େ । ଆଖିକୁ ନିଦ ଆସେନା । ସବୁବେଳେ କାନ ଫଳିଥାଏ, କେତେବେଳେ ଶରତ ଭାଇ ଆସି ଡାକିଦେବ କି ! ରାତିଟା ବୃଥା ଯାଏ, ପୂରୁବ ଆକାଶରେ ସୂନ୍ଦରା ଫାଟେ । କିନ୍ତୁ ଶରତ ଆସେ ନାହିଁ, ନିରୁର ଲୁହରେ ତକିଆ ଓଦା ହୁଏ । ଇମିତି ହା-ହୁତାଶ ହୋଇ କଟିଗଲା କେତୋଟି ମାସ ।

 

ଚଇତ ଗଲେ ବଇଶାଖ । ଶରତର ଆନନ୍ଦରେ ସୀମା ନାହିଁ । ଚାରିଆଡ଼େ ଉଡ଼ିଲା ଛଣପଟ ଫୁଲ–ଶରତର ମନରେ ଉତ୍ତଲା ଆଶାର ଫୁଲ । ମଝିରେ ଆଉ କେଇଟା ଦିନ । ତା’ପରେ ଶରତ ଆନନ୍ଦରେ କିଛି ଭାବି ପାରେ ନାହିଁ ।

 

ସେଦିନ ଭାରି ଟାଣ ଖରା ହୋଇଥାଏ । ଗରମ ଦେବତାର ନିଶ୍ୱାସରେ ଯେମିତି ଦୁନିଆଟା ପୋଡ଼ି ଜଳି ଯିବ । ପୁଝାରୀ ଚାକର କିଏ କେଉଁଠି ଶୋଇ ପଡ଼ିଛନ୍ତି । ଏଡ଼େ ବଡ଼ ରାସ୍ତାଟା ଜନଶୂନ୍ୟ । ଦଣ୍ଡେ ପହରକେ ଘୋଡ଼ାଗାଡ଼ିଟା କି ମଟର ଗାଡ଼ିଟା ଛାନିଆ ହୋଇ ଯେମିତି ଦଉଡ଼ି ପଳାଇଥାନ୍ତି । ଶରତ ଯାଇ ବିଛଣାରେ ଶୋଇଲା । ଗରମ ଭାରି, ଝାଳ ଗମଗମ ବୋହି ଆଉ ନିଦ ହେଲାନାହିଁ । ସୀତାରାଟି ଧରି ଝରକା ପାଖରେ ବସିଲା । ଗରମ ପବନ କ’ଣ କେଉଁଠି ହଜାର ଝରକା ଦେହରେ ମୁଣ୍ଡ କଚାଡ଼ି କାନ୍ଦୁଥାଏ । ଶରତ ସୀତାରାରେ ଟିପ ଦେଲା । ତାର ଗୁଡ଼ାକ ଥରି ଉଠିଲେ–ଗୋଟାଏ କରୁଣ ଆଉ ଦରଦୀ ସ୍ୱରରେ । ଶରତ ନିରୁ କଥା ଭାବୁଥାଏ–ଆଉ ସୀତାରା ବଜାଉଥାଏ । ଯେଉଁଠି ଚକ୍ରବାଳର ସୀମା ଶେଷ ହୋଇଛି ସେଇଠି ତାର ଆଖି ଯୋଡ଼ିକ ସ୍ଥିର ।

 

ବେଳେ ବେଳେ ଶରତର ଆଖି ଫେରିଆସେ ବଗିଚା ଭିତରକୁ । ବହୁତ ଗୋଲାପ ଫୁଲ ଫୁଟିଥାଏ । ଖରା ତେଜ ସହି ନ ପାରି ଗୋଲାପ ସୁନ୍ଦରୀ ଗୁଡ଼ିକ ମୁଣ୍ଡ ଟୁଙ୍ଗାରି କଥାବାର୍ତ୍ତା ହେଉଥାନ୍ତି । ଏତିକିବେଳେ କେଉଁଠୁ ଗୋଟାଏ ବଦରସିକ କାଳିଆ ଭଅଁର ଏଡ଼େବଡ଼ ନିରାଟ ଖରାଟାରେ ମନ ଭୁଲାଣିଆ ଗୀତ ଗାଇ ଗାଇ ଉଠି ଆସେ । ତାକୁ ଦେଖି ଗୋଲାପ କୁମାରୀ ଗୁଡ଼ିକ ଠରାଠରି ହୁଅନ୍ତି । ଲାଜ ସରମ ଛାଡ଼ି ଧିଟ ଭଅଁରଟା ଗୋଲାପରାଣୀର କାନ ପାଖରେ ଗୁଣୁଗୁଣୁ ହୋଇ ଚୁମ୍ବନ ଆଶାରେ କେତେ କାକୁତି ମିନତି କରେ । ଫୁଲ କିଶୋରୀଟି ଲାଜ ଲାଜ ହୋଇ ଉପର ମନରେ ମୁଣ୍ଡ ହଲାଏ । ଏହାଦେଖି ଭଅଁରଟି ଭାରି ହସେ । ତା’ ନାଗର ପଣିଆ ଦେଖାଇ କିଶୋରୀର ଗୋଲାପି ଅଧରରେ ମୁହଁ ଲଗାଇଲକ୍ଷଣି ସେ ଆନନ୍ଦରେ ଟିପି ଟିପି ହସେ । ଟିକିଏ ରହି ଭଅଁରଟା ଅନ୍ୟ ସଖୀ ପାଖକୁ ଉଡ଼ିଗଲାବେଳେ କିଶୋରୀଟି ରାଗ ଆଉ ଅଭିମାନରେ ଜଳିଯାଏ । ବଡ଼ ସଙ୍କୋଚରେ ଚାରିଆଡ଼କୁ ଥରେ ଅନାଏ–କାଳେ କିଏ ଦେଖିଲା କି ! ଶରତ ଏହା ଦେଖୁ ଦେଖୁ ଚମକି ପଡ଼େ–କାଳେ ଯଦି କିଏ ତାର... ।

 

ତିନିଟା ବାଜିଲା । ଶରତ ସେମିତି ସୀତାରା ବଜାଇ ଚାଲିଥାଏ । ଡାକ ପିଅନ ଆସି ଦୁଆର ମୁହଁରେ ଡାକିଲା–ବେହେରା, ବାବୁଙ୍କୁ ଡାକିଦିଅ ।

 

ଶରତ ସୀତାରାଟା ଟେବୁଲ ଉପରେ ଥୋଇଦେଇ ବାହାରକୁ ଆସିଲା । ଡାକପିଅନ କହିଲା–ଟଙ୍କା ଆଉ ଚିଠି । ଶରତର ସେତେବଳକାର ଆନନ୍ଦ କହିହେବ ନାହିଁ । ଚିଠି ଖଣ୍ଡିକ ପକେଟରେ ପୂରାଇ ଦୁଇଶ ଟଙ୍କା ଗଣି ନେଲା । ଡାକ ପିଅନକୁ ଗୋଟିଏ ଟଙ୍କା ବକ୍‌ସିସ ଦେଇ ଭିତରକୁ ଗଲା । ଟଙ୍କାକୁ ମୁଣ୍ଡ ଉପର ତକିଆ ତଳେ ରଖି ଚିଠିଟିକୁ ଗୋଟିଏ ଚୁମ୍ବନ ଦେଇ ଖୋଲିଲା ।

 

କଲ୍ୟାଣୀୟ ଶରତ,

 

ମୋର ଓ ତୋ ଖୁଡ଼ୀର ଆର୍ଶୀବାଦ ଗ୍ରହଣ କରିବୁ । ଖର୍ଚ୍ଚ ପାଇଁ ଦୁଇଶ ଟଙ୍କା ପଠାଇଲି-। ଏ ଚିଠି ଲେଖିଲା ବେଳକୁ ମୋର ହୃଦୟ ଫାଟି ପଡୁଛି । ତୋ ଖୁଡ଼ୀ ବି ମୁଣ୍ଡ ପିଟିଦେଇ ଏ ପର୍ଯ୍ୟନ୍ତ ଭଲ ହୋଇନାହିଁ । ମଦନବାବୁଙ୍କ ସଙ୍ଗରେ ଆମର ମହାପ୍ରସାଦ ଉଠା ସରିଥିଲା । ସେ କାହା ଶିକ୍ଷାରେ ପଡ଼ିଲେ କେଜାଣି ନିରୁଟିକୁ ଗୋଟିଏ ଦୋଭେଇ ବରକୁ ଟଙ୍କା ନେଇ ବିବାହ କରି ଦେଇଛନ୍ତି । ନିରୁଟି ବିବାହର ଦୁଇଦିନ ପରେ କନିଅର ମଞ୍ଜି ବାଟି ପିଇ ଦେଇଥିଲା । କେତେକ ଔଷଧପତ୍ର ଖାଇ ଭଲ ହୋଇଛି ବୋଲି ଶୁଣିଲି । ମୋ ବାପାଟା, ମନରେ କଷ୍ଟ କରିବୁ ନାହିଁ । ମୁଁ ଭଲ କନ୍ୟା ଖୋଜୁଛି । ଠିକ୍ ହେଲେ ତୋ ପାଖକୁ ଚିଠି ଦେବି । ଆଉ ଟଙ୍କା ଦରକାର ହେଲେ ଲେଖିବୁ । ଘରକୁ ବର୍ତ୍ତମାନ ଆସିଲେ ଲାଭ କଣ । ସମସ୍ତେ ମଙ୍ଗଳରେ ଅଛନ୍ତି ।

 

ତୋର ଶୁଭାକାଂକ୍ଷୀ

ଶ୍ୟାମସୁନ୍ଦର

 

ଶରତ ଚିଠିଖଣ୍ଡକ ପଢ଼ୁ ପଢ଼ୁ ତା’ ଛାତିଟା ଖୁବ ଜୋରରେ ଦମ୍ ଦମ୍ ପଡ଼ିଲା । ଦେହରୁ ଝାଳ ଗମଗମ ହୋଇ ବହି ଯାଉଥାଏ । ତାକୁ ଜଣା ଯାଉଥାଏ ସେ ଯେମିତି ଗୋଟାଏ ମଣିଷ ନୁହେଁ–କାଠ କି ଆଉ କ’ଣ । ତା’ କଲିଜାଟାରେ ସେତେବେଳେକୁ କିଏ ଗୋଟାଏ ମୁନିଆ ଛୁରୀରେ ଦୁଇ ତିନିଥର ଭୂଷି ଦେଇ ଗଲାଣି । ଆଉ ମୁହୂର୍ତ୍ତକ ପରେ ଯେମିତି ତା ଜୀବନ ଛାଡ଼ି ଯିବ । ଆଉ ପଢ଼ି ପାରିଲା ନାହିଁ, ଚାରିଆଡ଼ ଘୋର ଅନ୍ଧାର ଦେଖାଗଲା । ସେହି ଅନ୍ଧାର ଭିତରେ ତା’ ଆଖିରୁ ଗୋଟାଏ ଝକ ପରି ନିଆଁ ବାହାରି କୁଆଡ଼େ ମିଳାଇ ଗଲା । ଧଳାକାଗଜ ଚିଠି ଖଣ୍ଡକ ଦେଖାଗଲା ଖଣ୍ଡେ ଆଲକତରା ମରା କଳା ପଟା ଯେପରି ।

 

ତା’ପରେ ସେ ସେଇଠି ମୁଣ୍ଡରେ ହାତ ଦେଇ ବସି ପଡ଼ିଲା । ଆଖିରୁ ଲୁହ ଝରିଲା ନାହିଁ କି ଅନ୍ତରରୁ କୋହ ଉଠିଲା ନହିଁ । ସତେ ଯେପରି ସେ ନିର୍ବାକ ଯୁଗର ମଣିଷ । କଣ ଭାବୁଥିଲା କି ନାହିଁ, କେବଳ ଦଣ୍ଡେ ପହରକେ ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ି ପିଞ୍ଜରାଟାକୁ ହଲାଇ ବାହାରି ଆସୁଥାଏ ।

 

ଚାକରଟି ଲଣ୍ଠନଟା ଥୋଇଦେଇ ଡାକିଲା–ବାବୁ, ବାବୁ, ସେମିତି ବସିଛନ୍ତି କାହିଁକି ? ଦେହ କ’ଣ ହେଉଛି ନା କଣ ? ପୁଝାରୀ ଜଳଖିଆ ଆଣି ଡାକି ଡାକି ଗଲା । ଆସନ୍ତୁ ଖଣ୍ଡେ କ’ଣ ଖାଇଦେବେ । ଆଜି କୁଆଡ଼େ ବୁଲି ଯାଆନ୍ତୁ ନାହିଁ । ଅଗଣାରେ ଖଟ ପକାଇ ଦିଏ, ଶୁଅନ୍ତୁ । ମୁଣ୍ଡ ଟିକିଏ ଚିପି ଦେବି ।

 

ଶରତ କିଛି କହିଲା ନାହିଁ । ସେମିତି ବସିଥାଏ ।

 

ଚାକରଟି ହଲାଇ ପକାଇ ବଡ଼ ବିସ୍ମିତ ହୋଇ କହିଲା–ବାବୁ, ବାବୁ, କ’ଣ ହୋଇଛି କି-?

 

–କିଛି ନାହିଁ, ପାଣି ଟୋପା ଆଣିଲୁ ରେ ।

 

ଚାକରଟା ଭିତରକୁ ପାଣି ପାଇଁ ଗଲା, ଶରତ ପାଗଳଙ୍କ ପରି ସୀତରାଟାକୁ ଫୋପାଡ଼ି ଦେଇ ଭିତର ଆଡ଼କୁ ପଶିଗଲା ବେଳେ ଟେବୁଲ ଉପରେ ହାବୁଡ଼ିଗଲା । ତା’ ଉପରେ ଥୁଆ ହୋଇଥିବା କାଚ ଫୁଲଦାନୀ ଦୁଇଟି ତଳେ ଗଳି ଚୁରମାର ହୋଇଗଲା । ଶରତ ସେଇଠି ହାମୁଡ଼େଇ ପଡ଼ିଥାଏ । ଚାକରଟା ଦଉଡ଼ି ପାଇଁ ଉଠାଇ ପକାଇ ପଚାରିଲା–ଦେହ କଣ ହେଉଛି ବାବୁ, ମତେ ଲୁଚେଇଛ କାହିଁକି ଭଲା ।

 

–କିଛି ନା, ମତେ ପାଣି ଦେଲୁ ।

 

ଚାକରଟି ଅଗଣାରେ ଗୋଟିଏ ଖଟିଆ ପକାଇ ଦେଇ ଶରତକୁ ଧରି ଖଟ ଉପରେ ଶୁଆଇ ଦେଇ କହିଲା–ଜଣେ ଡ଼ାକ୍ତରଙ୍କୁ ଡ଼ାକେ ।

 

–ନା

–ଦେହ କଣ ହେଉଛି ?

–ନା

 

ଶରତ ଖଟିଆରେ ଶୋଇ ଅନାଇଁଲା ଆକାଶକୁ । ଆଗପରି ଠିକ୍ ଜହ୍ନର ଧଳାକଳା ବଉଦ ପଛରେ ସେମିତି ଦଉଡ଼ା ଦଉଡ଼ି ଖେଳ । କିନ୍ତୁ ଜହ୍ନ ଆଜି ଠିକ୍ ଖେଳୁ ନାହିଁ, ତାକୁ ଥଟ୍ଟା କରି ବଉଦ ଉଜାଡ଼ରେ ମୁହଁ ଲୁଚାଇ ହସୁଛି ।

 

ଶରତକୁ କିଛି ଭଲ ଲାଗିଲା ନାହିଁ । ବିଛଣାରେ ପଡ଼ି ସେମିତି ଛଟପଟ ହେଉଥାଏ । ହଠାତ୍ ତାର ଗୋଟାଏ କଣ ଖିଆଲ ଆସିଲା କେଜାଣି, ଚାକର ହାତଟାକୁ ଧରି ପକାଇ କହିଲା–ମୋ କଥା ମାନିବୁ ଦିନା !

 

ଦିନା ବଡ଼ ଅବାକ୍ ହେଲାପରି କହିଲା–ଆପଣଙ୍କ କଥା ମାନିବି ନାହିଁ ତ ଆଉ କାହା କଥା ମାନିବି ବାବୁ !

 

–ତେବେ ସାମାନ୍ୟ ଜିନିଷପତ୍ର ବାନ୍ଧେ ।

–କୁଆଡ଼େ ଯିବେ ବାବୁ, ଘରକୁ ?

 

–ତୋତେ ଏତେ କଥା କିଏ କହୁଛି ? ମୁଁ ଯୁଆଡ଼େ ଯିବ, ତୁ ସିଆଡ଼େ ଯିବୁ । କଲମ କାଗଜ ଖଣ୍ଡେ ଆଣିଲୁ । ଦିନା କାଗଜ ଖଣ୍ଡେ ଆଉ କଲମଟା ଆଣିଲା ।

 

–ଶରତ ଆଖିରୁ ଲୁହ ଗଡ଼ାଇ ଲେଖିଲା–

 

ଭାଇ ବିଭୁତି,

 

ମୋ ଚିଠି ଦେଖି ତୁ ବିସ୍ମିତ ହେବୁ ସତ, କିନ୍ତୁ ରାତି ପାହିଲେ ଆସି ଦେଖିବୁ, ମୁଁ ଆଉ ଏଠି ନାହିଁ । ମୁଁ ଆଜି କୁଆଡ଼େ ଯାଉଛି, କାହିଁକି ଯାଉଛି, ସେକଥା ଜାଣି ତୋର ଲାଭ କ’ଣ ? ଏ ଜନମରେ ଆଉ ଦେଖା ହେବ କି ନାହିଁ ସନ୍ଦେହ । ଘରର ସମସ୍ତ ଜିନିଷ ଓ ପାଞ୍ଚଶ ଟଙ୍କା ମୋର ଟେବୁଲ ଡ୍ରରୁ ନେବୁ । ସେ ସବୁ ‘ଆଶା’ର ବିବାହରେ ଖର୍ଚ୍ଚ କରିବ । ସମସ୍ତଙ୍କୁ ମୋ କଥା ଜଣାଇ ଦେବୁ । ଏ ହତଭାଗାକୁ କେହି ମନେ କରିବ ନାହିଁ ।

 

ଶେଷ ବିଦାୟ ଭାଇ,

ଶରତ

 

ଶରତ ପୁଝାରୀକୁ ଡାକି କହିଲା–କାଲି ସକାଳେ ଏ ଚିଠି ଖଣ୍ଡିକ ବିଭୁତି ବାବୁଙ୍କ ଘରେ ଦେଇ ଆସିବୁ । ମୁଁ ଜରୁରୀ କାମରେ କଲିକତା ଯାଉଛି ।

 

ଦୁଇଟା ତିରିଶ ମିନିଟିରେ ଡ଼ାକ ଗାଡ଼ି । କ୍ଷଣକ ପାଇଁ ଷ୍ଟେସନଟା ଗୋଳମାଳରେ ପୂରି ଉଠିଲା । କେତେ ଦେଶର ଲୋକ କିଏ କୁଆଡ଼େ ଯିବା ପାଇଁ ଅପେକ୍ଷା କରି ରହିଥାନ୍ତି । ଶରତ ବିଛଣାଟାକୁ ଆଉଜି ବସିଥାଏ । ତା’ରି ଆଖି ଦେଇ ଯୁବତୀଟିଏ ତାର ସ୍ୱାମୀ ହାତ ଧରି ଗପସପ ହୋଇ ଚାଲିଗଲା । ଶରତର ଛାତି କରତି ହୋଇ ଆଖିରୁ ଦି’ଧାର ହୋଇ ଲୁହ ଗଡ଼ି ଆସିଲା । ପକେଟରୁ ରୁମାଲଟା ବାହାର କରି ଲୁହ ପୋଛିଦେଇ କୋହଟାକୁ ଚାପି ରଖିବା ପାଇଁ ପୁଣି ରୁମାଲଟା ପାଟିରେ ପୂରାଇ ରଖିଲା ।

 

ଘଣ୍ଟା ବାଜିଲା ଠନ୍ ଠନ୍ । ଗାଡ଼ି ଆସିବ ବୋଲି ସମସ୍ତେ ଅନାଇଁ ରହିଲେ । ପୁଣି ଘଣ୍ଟା ବାଜିଲା । କାହାଣୀ ରାଇଜର ବ୍ରହ୍ମରାକ୍ଷସ ପରି ପ୍ରକାଣ୍ଡ ଗାଡ଼ିଟା ଫଁ ଫଁ ହୋଇ ଷ୍ଟେସନରେ ଅଟକିଗଲା । ସମସ୍ତେ ଗାଡ଼ିରେ ଚଢ଼ିଲେ । ଶରତ ଯନ୍ତ୍ର ଚାଲିଲାପରି ଚଢ଼ିଲା । ଚାକର ପଚାରିଲା–ଆମେ ଏ ଗାଡ଼ିରେ କୁଆଡ଼େ ଯିବା ବାବୁ ?

 

–ଏ ଗାଡ଼ିଟା ଯୁଆଡ଼େ ଯିବ ।

 

ତା’ପରେ କେତେ ବୁଢ଼ା ବୁଢ଼ୀ, ଯୁବକ ଯୁବତୀମାନଙ୍କୁ ଧରି ଗାଡ଼ିଟା କୁହାଟ ମାରି ଚାଲିଲା ତା ପଥରେ । ଶରତ ଶେଷଥର ପାଇଁ ଝରକା ବାଟେ ଅନାଇଁଲା ଏତେଦିନର ପରିଚିତ ପାଟଣା ସହରକୁ । ତା’ ଅଜାଣତରେ ଆଖିରୁ ଦି’ଥର ଲୁହ ଗଡ଼ି ପଡ଼ିଲା । କିନ୍ତୁ କ୍ଷଣକରେ ଏଡ଼େବଡ଼ ସହରଟା ଗଛପତର ଉହାଡ଼ରେ ଲୁଚିଗଲା । ଶରତ ସେମିତି ବାହାରକୁ ଅନାଇଁଥାଏ ।

 

କାଳର କଳାଡ଼ୋରରେ ମାଳି ପରି ଦିନ, ମାସ, ସପ୍ତାହ ଗୁନ୍ଥା ହୋଇ ବିତିଗଲା ଯୋଡ଼ିଏ ବରଷ ।

 

ଏଣେ ନିରୁର ଅବସ୍ଥା କହିଲେ ନ ସରେ । ଆଜକୁ ମାସେ ହେବ ତାକୁ କି ଜର ଧରିଛି କେଜାଣି,ଯେତେ ଔଷଧପତ୍ର, ଜଡ଼ିମଳି ଦେଲେ ସୁଦ୍ଧା ଛାଡ଼ିବାକୁ ନାହିଁ । ନିରୁ ବୋଉ, ଘରେ ଯାହା ଜିନିଷପତ୍ର ଥିଲା ସବୁ ବିକି, ଶେଷକୁ ହରି ମିଶ୍ରଙ୍କ ପାଖରେ ଘରଡ଼ିହ ଖଣ୍ଡିକ ବନ୍ଧା ପକାଇ ପଚାଶଟି ଟଙ୍କା ଆଣିଥିଲେ । ସେତକ ବି ସରିଗଲାଣି । ଯେତେ ଚେଷ୍ଟା କଲେ ସୁଦ୍ଧା ଜର ଟିକିଏ ଭଲ ହେଉନାହିଁ । ଆଜକୁ ଆଠଦିନ ହେଲା ରୋଗଟା ବଢ଼ିଛି ଓ ରୋଗୀ ବାତୁଳା ପରି ଗପୁଛି–“ଦେଖିବ ଶରତ ଭାଇ, ଛବିଟା କିମିତି ଚିରି ଟକିଟିକି କରି ପକାଇଦେବି । ମତେ ଠେଲିଦେଲ, ଦେଖିଲ ମୋ ଛବିରେ କିମିତି ପେନସିଲ୍ ଗାରଟା ଟାଣି ହୋଇଗଲା ।” ଇମିତି କେତେବେଳେ କ’ଣ ଯେ ଗପୁଛି ତାର ଠିକ୍ ନାହିଁ । ନିରୁ ବୋଉ ତାର ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ଗଡୁଥାନ୍ତି ।

 

ସଞ୍ଜ ସହର । ମଥୁରି ଅଜା ଦାଣ୍ଡ ଦୁଆରେ ବାଡ଼ି ଠକ୍ ଠକ୍ କରି ଡାକିଲେ–ନିରୁ ବୋଉ, ଝିଅ କେମିତି ଅଛି ?

 

ନିରୁ ବୋଉ ଭୋ ଭୋ ହୋଇ କା ପକାଇ କହିଲେ–ମା’ ମୋର ଆଉ ବସିବ ନାହିଁ । ମୁଁ କୁଆଡ଼େ ଯିବି ଲୋ ! ମୋତେ ବୁଦ୍ଧି ବତା, ମୁଁ କଣ କରିବି କୁହ ।

 

ମଥୁରି ଅଜା ଥକା ମାରି କହିଲେ–ନା ନିରୁ ବୋଉ, ଝିଅର ଆଉ ଏ ଔଷଧ ପତ୍ରରେ ଜର ଭଲ ହେବନାହିଁ । ଏ ମୂର୍ଖ ଶାମବାବୁ କଣ ଏଠିକୁ କାହାକୁ ଛାଡ଼ୁଛି । ଗାଁରେ ତାଗଦା କରିଛି, ଯିଏ ତା’ ଦୁଆର ମାଡ଼ିବ, ସେ ଏକଘରକିଆ ରହିବ ।

 

ସେ ଯେତେବେଳେ ବଡ଼ଲୋକ, ତା’ କଥାରୁ କିଏ ବାହାରିଯିବ ? ମନଟା ମୋର ଘଣ୍ଟି ହେଲା, ଦଉଡ଼ି ଅଇଲି । ଯାହା ହେବାର ହେବ, ଦେଖାଯିବ । ଆଜି ଶୁଣିଲି ଖଣ୍ଡଗିରିରେ ଜଣେ କିଏ ବାବାଜି ଆସି ଅଛନ୍ତି । ସେ ବେଶ୍ ଔଷଧପତ୍ର ଜାଣନ୍ତି ବୋଲି ଆଉ ଗାଁ ଗୋପୀ ପଧାନ କହୁଥିଲା । ତାର ଅସାଧ୍ୟ ବେମାରୀ ଭଲ ହୋଇଯାଇଛି-। ଭାରି ଭଲ ବାବାଜି । ଘର ଭିତରେ ବସିଥାନ୍ତି । କିଏ ଯଦି ତାଙ୍କୁ କଣ ପଚାରେ, ତାହାହେଲେ କଥା କହନ୍ତି, ନୋହିଲେ ନାହିଁ । ଶୁଣିଲି, କୁଆଡ଼େ ଅନେକ ରୋଗୀ ଯାଇ ଭଲ ହୋଇଆସୁଛନ୍ତି । ସେଠି ରହିବାକୁ ବି ଘର ଅଛି । ମୋ କଥା ମାନ, ମୁଁ ଗୋଟାଏ ଶଗଡ଼ଗାଡ଼ି ଡାକି ଦେଉଛି, ସିଧା ସିଧା ସେଇଠିକୁ ଚାଲିଯାଅ । ଯାହା କଲମରେ ଥିବ, କାହା ହାତର କଥା... ।

 

ନିରୁ ବୋଉ କହିଲେ–ଏତେ ତ କଲି, ଏଥର ଦେଖାଯାଉ ।

 

ତହିଁ ଆରଦିନ ବେଳ ରତରତ ହେଉଛି । ଶଗଡ଼ ଗାଡ଼ି ଖଣ୍ଡିକ ଖଣ୍ଡଗିରିର ପହଞ୍ଚିଲା । ଚାରିଆଡ଼େ ଗଛ ପତର, ଜଙ୍ଗଲ, ପାହାଡ଼ । ତା’ରି ଭିତରେ ଲମ୍ବା ଲମ୍ବା ଦୁଇଟା ଚାଳଘର । ଶଗଡ଼ିଆ, କହିଲା–ଏଇ ହେଉଛି ବାବାଜିଙ୍କ ଆଶ୍ରମ ।

 

ବାହାରେ ଲୋକ ପାଟି ଶୁଣି ଭିତରୁ ଜଣେ ବାହାରି ଆସି କେଉଁଠୁ ଆସିଛନ୍ତି ବୋଲି କଥାବାର୍ତ୍ତା ହେଲେ । ପୁଣି ଭିତରରୁ କିଏ ଡାକିଲା–ଦୀନବନ୍ଧୁ ରହିବାର ସୁବିଧା କର, ମୁଁ ପୂଜାରେ ବସିଲି ।

 

ସେହି ଲୋକଟି ଦୀପ ଲଗାଇ ଗୋଟିଏ ଚାଳଘରକୁ ଆସିଲା । ଦଉଡ଼ିଆ ଖଟିଆ ଉପରେ ଧଳା ଚାଦର ଖଣ୍ଡିଏ ପାରିଦେଇ କହିଲା, ରୋଗୀକୁ ଏଇଠିକୁ ଆଣ । ବାବାଜି ପୂଜା ସାରିଲେ ଆସି ଦେଖିବେ । ବିଶ୍ୱାସ ରଖ ମା, କେତେ ବେମାରି ଏଠି ଭଲ ହୋଇ ଯାଉଛି ।

 

ନିରୁ ବୋଉ, ଶଗଡ଼ିଆ ଓ ସେ ଲୋକଟି ନିରୁକୁ ନେଇ ବିଛଣା ଉପରେ ଶୁଆଇ ଦେଲେ । ନିରୁ ବୋଉ ତାରି ପାଖରେ ବସିଥାନ୍ତି । ନିରୁର କରୁଣ ଚିତ୍କାରରେ ଘରଟି ଉଛୁଳି ପଡୁଥାଏ ।

 

ସନ୍ଧ୍ୟା ଗଡ଼ିଲା । ବାବାଜି ସେ ଘରକୁ ପଶିଯାଇ ଦୀପଟି ତେଜି ଦେଇ ରୋଗୀର ହାତର ନାଡ଼ିକୁ ଚିପି ଧରିଲେ । ଦୀର୍ଘ ଶାନ୍ତ ମୂର୍ତ୍ତି । ଗୋରା ତକତକ ଦେହ । ନିଶ ଦାଢ଼ି ଲମ୍ବ ଲମ୍ବ-। ଭସାଣିଆ ଆଖି । କପାଳରେ ଦୀର୍ଘ ଚିତା । ଗେରୁଆ ଲୁଗା, ଆଉ ଗେରୁଆ ପଞ୍ଜାବିଟା ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଛି । ବେକରେ ଓ ବାହୁରେ ରୁଦ୍ରାକ୍ଷମାଳା, ଆଖି ଯୋଡ଼ିକି ସତେଜ ଭସାଣିଆ, ସତେଯେପରି ସେ ମୁହଁରୁ ଗୋଟାଏ ତେଜ ବାହାରୁଛି ।

 

ରୋଗୀ ହଠାତ୍ ଗୋଟିଏ ଥଣ୍ଡା ହାତର ପରଶ ପାଇ, ତାର କରୁଣ ଚିତ୍କାର ବନ୍ଦ ହୋଇଗଲା । ବକବକ କରି ବାବାଜିଙ୍କ ଆଡ଼େ ଅନାଇଁ ଥାଏ । ବାବାଜି ହାତ, ଛାତି, ମୁଣ୍ଡ ଦେଖି କହିଲେ–ମା’ ଆଉ ପାଟି କରନା, ପାଟି କଲେ ବେଶି ହେବ ଯେ, ମୁଁ ଔଷଧ ପଠାଇ ଦେଉଛି, ଖାଅ । ସବୁ ଭଲ ହୋଇଯିବ ଦି’ଟା ଦିନରେ । ସେହି ଭଗବାନଙ୍କ ଉପରେ ବିଶ୍ୱାସ ରଖ । ତା’ପରେ ରୋଗୀର ମା’ ଆଡ଼କୁ ଅନାଇଁ କହିଲେ–ମା’ ତୁମେ ଆଉ କାନ୍ଦ ନାହିଁ । ସବୁ ଭଲ ହୋଇଯିବ । ତୁମେ ଖାଇ ସେଇଠି ଶୋଇପଡ଼ । ଅନେକ ଦିନରୁ ବୋଧହୁଏ ଅନିଦ୍ରା ହୋଇଛ । ଆଜି ନିଶ୍ଚିନ୍ତରେ ଶୁଅ, ରୋଗୀକୁ ମୋର ଲୋକ ଜଗିବ ଯେ...

 

ଏତିକି କହି ବାବାଜି ସେ ଘରୁ ଚାଲିଗଲେ । ରୋଗୀ ତାଙ୍କରି ଆଡ଼କୁ ଅନାଇଁ ରହିଲା । ବାବାଜି ଚାଲିଗଲା ପରେ ରୋଗୀ ଆଖିକୁ ଆଉ ନିଦ ଆସିଲା ନାହିଁ । କେତେ ଦିନର ପୁରୁଣା କଥା ସବୁ ତାର ମନେ ପଡ଼ିଗଲା । ବାବାଜି ତାର ଯେଉଁ ସ୍ଥାନଗୁଡ଼ିକ ଛୁଇଁ ଯାଇଥିଲେ, ସେହି ସ୍ଥାନଗୁଡ଼ିକ ତାକୁ ଅଲଗା ଅଲଗା ଲାଗିଲା । ତାର ଖାଲି ମନେ ପଡ଼ିଲା ଠିକ୍ ଏହିପରି ହାତର ପରଶ ତ ସେ ଅନେକଥର ପାଇଛି । ଇମିତି ଶରତ ଭାଇ ହାତର ପରଶ । ଏ ବାବାଜିର ଆଖି ଯୋଡ଼ିକ ଠିକ୍ ଯେପରି ତାର ଚିହ୍ନା ଆଖି । ଠିକ୍ ତ ଇମିତି କଅଁଳ କଥା । ଭାବନା ବଦଳିଯାଏ । ଆକାଶ ପାତାଳ ପ୍ରଭେଦ । କାହିଁ ଶରତଭାଇ, କାହିଁ ବାବାଜି ।

 

ଦେଢ଼ବର୍ଷ ଭିତରେ ଏଠିକୁ କେତେ ରୋଗୀ ଆସିଛନ୍ତି, କେତେ ଭଲ ହୋଇ ଯାଇଛନ୍ତି-। କେତେ ଏଇଠି ଚିରଦିନ ପାଇଁ ଧରାରୁ ବିଦାୟ ନେଇଛନ୍ତି, ବାବାଜିଙ୍କର ସବୁ ଦେହ ସହିଛି । କିନ୍ତୁ ଆଜି ଯେଉଁ ରୋଗୀଟା ଆସିଛି, ତା’ ପାଇଁ ବାବାଜିଙ୍କ ମନ କାହିଁକି ଗୋଳେଇ ଘାଣ୍ଟି ହେଉଛି ସେ ବୁଝିପାରୁ ନାହାନ୍ତି । ରାତିରେ ଗଣ୍ଡେ ଖାଇ ଶୋଇଲେ, କିନ୍ତୁ ଆଖିକୁ ନିଦ ଆସିଲା ନାହିଁ । କେତେଦିନର ସଂଯତ ମନ ଅମାନିଆ ହୋଇ ଧାଇଁଲା ପୁରଣା କଥା ଭାବି । ତାଙ୍କର ଯେପରି ମନେହେଲା ଏ ରୋଗର ଆଖି ନୂଆ ଆଖି ନୁହେଁ, ଅନେକ ଦିନର ଚିହ୍ନା ଆଖି । ଅଧରଟି ଠିକ୍ ତ ସେମିତି । କିନ୍ତୁ ଏମିତି କେତେ କ’ଣ ଭାବୁ ଭାବୁ ବାବାଜି ତାଙ୍କର ମନକୁ ସଂଯତ କରି ଫେରାଇ ଆଣନ୍ତି । କିନ୍ତୁ ମନ ଠିକ୍ ହୋଇ ରହେ ନା । ପୁଣି ସେହିଆଡ଼େ ଘୋଡ଼ା ଛୁଟିଲା ପରି ଛୁଟେ ।

 

ଇମିତି ଚାରୋଟି ଦିନ କଟିଗଲା । ରୋଗୀ ଭଲ ହେବା ଦୂରେ ଥାଉ, ରୋଗଟା ବେଶି ବେଶି ବଢ଼ୁଛି । ବାବାଜି ଦିନ ମଧ୍ୟରେ ଦୁଇ ଥର ଆସି ଦେଖି ଭଲ କରି ପରୀକ୍ଷା କରନ୍ତି ରୋଗ ଚିହ୍ନିବାକୁ, କିନ୍ତୁ ପାରନ୍ତି ନାହିଁ । ହତାଶ ହୋଇ ଫେରନ୍ତି । ଏହି ଚାରୋଟି ଦିନ ମଧ୍ୟରେ ବାବାଜୀଙ୍କର ମନର ଧାରଣା ମଧ୍ୟ ବଦଳି ଯାଇଛି । ପୂଜା କରିବାକୁ ମନ ଲାଗୁନାହିଁ । ରୋଗୀଟାକୁ ଦେଖି ସବୁବେଳେ ସେହି ପୁରୁଣା କଥାଗୁଡ଼ାକ ମନେ ପଡୁଛି । ନିରୁ କଥା ଭାବି ଛାତି କରତି ହୋଇ ଯାଉଛି ।

 

ତହିଁ ଆର ଦିନ ବାବାଜି ସକାଳେ ଭଲକରି ପରୀକ୍ଷା କରି କିଛି ବୁଝି ନ ପାରି ହତାଶ ହୋଇ ଫେରିଛନ୍ତି । ଖାଇବା ପିଇବାରେ କିଛି ସୁଖ ଲାଗୁ ନଥାଏ । ମନଟା ଖାଲି ଦଉଡୁ ଥାଏ ରୋଗୀଟାର ସେହି ଆଖି ଯୋଡ଼ିକର ଚାହାଣୀ ପାଖକୁ ।

 

ସେଦିନ ବାବାଜି ପୂଜା ସାରି ମନ ବ୍ୟସ୍ତରେ ପଦାରେ ଦଉଡ଼ିଆ ଖଟଟି ଉପରେ ବସିଥାନ୍ତି । ଆକାଶରେ ଆଗପରି ଜହ୍ନର ଦଉଡ଼ା ଦଉଡ଼ି ଖେଳ । ତିନି ବରଷ ଭିତରେ ଟିକିଏ ସୁଦ୍ଧା ବଦଳିନାହିଁ । ତାଙ୍କର ମନେ ପଡ଼ିଲା–ଇମିତି ଗୋଟାଏ ରାତି, ଯେଉଁଦିନ ସେ ଦାଦି ପାଖରୁ ଚିଠି ପାଇଲେ, ସେଇ ଦିନ ଠିକ୍ ଇମିତି । ପାଟଣା ସହରକୁ ଛାଡ଼ି ଆସିଲେ । ସେ ଦିନର ମନର ଅବସ୍ଥା ଭାବି ତାଙ୍କର ହୃଦୟ କାନ୍ଦି ଉଠିଲା । ଆଖିରୁ ଲୁହ ଗଡ଼ି ପଡ଼ିଲା । ନିଜ ଗେରୁଆ ଲୁଗାରେ ଲୁହ ପୋଛିଦେଇ ପୁଣି ସେହି ଅନନ୍ତ ଆକାଶକୁ ଚାହିଁ ରହିଲେ । ପିଲା ଦିନର ଗୋଟି ଗୋଟି କଥା ତାଙ୍କ ମନରେ ପଡ଼ିଗଲା ।

 

ନିରୁ ସଙ୍ଗରେ ଛବି ଆଙ୍କିବା, ଦାଣ୍ଡରେ ଲଗାଲଗି ହୋଇ ବସି ଗୀତ ଶୁଣିବା, ଅଭିମାନରେ ତା’ ସଙ୍ଗରେ କଥାବାର୍ତ୍ତା କରିବା । କିନ୍ତୁ କେଇବର୍ଷ ଭିତରେ–ଜୀବନରେ କେତେ ଫରକ–କେତେ ପରିବର୍ତ୍ତନ । ନିରୁ, ସେ ଯାଇ ଆଜି ଅନ୍ୟର ଆଉ ସେ, ଏହି ନିର୍ଜନ ଭୂଇଁରେ ଏକାକୀ । ଇମିତି କେତେ କଥା ସିନେମା ଛବି ପରି ଗୋଟାକ ପରେ ଗୋଟାଏ ଆସି ଭାସି ଯାଉଥାଏ ।

 

ଏତିକିବେଳେ ତାଙ୍କର ଦୀନବନ୍ଧୁ ଡାକିଲା ଆସିଲେ ଟିକିଏ, ରୋଗୀଟାର ଅବସ୍ଥା ଜମା ଭଲ ନୁହେଁ । କଣ ଗୁଡାଏ ଆଜି ପାଗଳଙ୍କ ପରି ଗପି ହେଉଛି । ମୋର ଆଶା ବେଶିହେଲେ ପାହାନ୍ତା ପହର ଟପିବ କି ନାହିଁ । ଏକଥା ଶୁଣି ବାବାଜିଙ୍କର ଛାତିଟା ଦପ୍ ଦପ୍ ହୋଇ ପଡ଼ିଲା । ଦୁନିଆଟା କେମିତି ତାଙ୍କୁ ଅସାର ବୋଧ ହେଲା । ଖଡ଼ମ ମାଡ଼ି ତା’ ପଛେ ପଛେ ଯାଇ ରୋଗୀ ପାଖରେ ବସିଲେ । ରୋଗୀର ମୁଣ୍ଡରେ ହାତମାରି ଦେଖିଲେ–ଏ ତ ଶେଷବେଳ, ଆଉ ବେଶି ସମୟ ନୁହେଁ । ଏ ଗପିବା ଗୋଟାଏ ଖିଆଲ–ଗୋଟାଏ ହୋସ ମାତ୍ର । ବାବାଜି ତା’ପରେ କୁଡ଼ିଆ ଭିତରକୁ ଯାଇ ଔଷଧ ଟିକିଏ ଆଣି ପାଟିରେ ଦେଲେ । କିଛି ସମୟ ପରେ ରୋଗୀର ଅବସ୍ଥା ଟିକିଏ ବଦଳିଗଲା । ବାବାଜି ମୁଣ୍ଡ ପାଖରେ ବସି ତା’ ମୁଣ୍ଡ ଆଉଁସୁ ଆଉଁସୁ କହିଲେ–ମା’ କିପରି ଲାଗୁଛି ଆଜି ? ମୁଁ ତ ବହୁତ ରୋଗୀ ଭଲ କରିଛି–କିନ୍ତୁ ତୁମ ପରି...

 

ରୋଗୀକୁ ଏ ହାତର ପରଶ ଯେପରି ଭାରି ଭଲ ଲାଗୁଥିଲା । ସେ ଚୁପ୍ ହୋଇ ଶୋଇଥାଏ । ପୁଣି ଥରେ ବାବାଜି ପଚାରିଲେ, କିପରି ଲାଗୁଛି ମା, ରୋଗୀ ଆଖି ଖୋଲି ଖନ ଖନ କରି କହିଲା, କିପରି କଣ, ସବୁଦିନ ପରି । ଏ ରୋଗ ଭଲ ହେବ ନାହିଁ । ଏ ଜନମରେ ନୁହେଁ, କାହିଁକି ଆପଣ ଲାଗିଛନ୍ତି । କିଛି ଫଳ ହେବନି । ପରିଶ୍ରମ ବୃଥା । ଓ-ହୋ-ପାଣି ଟୋପା ଦିଅ । ତଣ୍ଟି ଶୁଖିଗଲା ଯେ...

 

ବାବାଜି ଦୁଧ ଟୋପା ପାଟିରେ ଦେଉ ଦେଉ କହିଲେ–ପାଟି କରନା, ଦେହ ଆହୁରି ଖରାପ ହେବ । ବ୍ୟସ୍ତ ହୁଅନି, ଭଲ ହୋଇଯିବ ଯେ–

 

–ହଁ ଭଲ ହେବି, ଓ-ହୋ ଜୀବନଟା ଯେ ଛାଡ଼ି ଯାଉଛି । ଭଲ ହେବି ଏଠି ନୁହେଁ । ଏ ପୁରରେ ନୁହେଁ–ସେ ପୁରରେ–ମରିଗଲି ଯେ–

 

–ବ୍ୟସ୍ତ ହୁଅନି ମା’, ପାଟି କରନା ପରା କହୁଛି । ନିଶ୍ଚୟ ଭଲ ହୋଇଯିବ ।

 

–ହଁ ଭଲ ହେବି, କେହି ପାରିବେ ନାହିଁ–କେହି ପାରିବେ ନାହିଁ–ନିଜେ ଭଗବାନ ବି ଆସିଲେ । ଟୋପା ପାଣି ଦିଅ । ବୋଉ, ବୋଉ କୁଆଡ଼େ ଗଲୁ ଲୋ । ଶରତ ଭାଇ, ଏତିକିବେଳେ ଥରେ ଦେଖାଦିଅ ଭଲା । ଶାନ୍ତିରେ ଟିକିଏ ମରେ । ବାବାଜି ଆବାକାବା ହୋଇଗଲେ ! ରୋଗୀର ମୁହଁଟାକୁ ଭଲ କରି ଚାହିଁ–କେଉଁ ଶରତ ଭାଇ ! କାହା କଥା କହୁଛି, ତାଙ୍କ କଥା ନୁହେଁ ତ !

 

–ବାବାଜି ବଡ଼ ବିସ୍ମିତ ହୋଇପଡ଼ି କହିଲେ–ଗୋଟିଏ କଥା ପଚାରିବି, ତୁମ ମନକଥା ମୋତେ କୁହ ଯଦି ପାରେ–ଚେଷ୍ଟା କରିବି ।

 

ରୋଗୀ ଟିକିଏ ନିରାଶା ହସ ହସି କହିଲା–ନା, ପାରିବି ନାଇଁ, ପାରିବି ନାଇଁ । ମୋ ଶରତ ଭାଇକୁ ମତେ ଦେଇପାରିବି ନାହିଁ । ଦିଅ ଆଉ ଟୋପା ପାଣି । ତଣ୍ଟିଟା ମୋ ଶୁଖି ଧୂଳି ହୋଇ ଯାଉଛି ।–ଓ-ହୋ ମରିଗଲି, ମରିଗଲି, ଶରତ ଭାଇ, ଶରତ ଭାଇ ।

 

–ଶରତ କିଏ !

 

–କହିବି, ନ କହିଲେ ଯେ ଜୀବନଟା ଯିବ ନାଇଁ, ଶାନ୍ତିରେ ମରିବି ନାଇଁ । ଶୁଣ, ମୋର ଜୀବନ ଦୀପଟା ଯେ ଲିଭି ଆସୁଛି, ଆଉ ବେଶି ସମୟ ନୁହେଁ । ହଁ ଢୋକେ ପାଣି ଦିଅ ପିଇଦିଏ । କହୁଥିଲି ପରା, ଆମ ଘର ଚଣାହାଟ । ଶରତ ଭାଇ ଆମ ଗାଁର । ପିଲା ଦିନର ସାଙ୍ଗ ଆମେ । ସେ ମୋତେ ଭାରି ଭଲ ପାନ୍ତି, ମୁଁ ତାଙ୍କୁ ଭାରି ଭଲପାଏ । ନା, ଆଉ କହିପାରିବି ନାହିଁ ।

 

ରୋଗୀଠାରୁ ଏକଥା ଶୁଣୁ ଶୁଣୁ ବାବାଜୀଙ୍କର ଦେହଟା ସେତେବେଳେକୁ ବରଡ଼ାପତର ପରି ଥରିଲାଣି–ସେ ନିଜକୁ ଭୁଲି ଖନଖନ କରି କହିବାକୁ ଲାଗିଲେ–ହଁ ତା’ ଘର, ଚଣାହାଟ, ତୁମ ନାଁ ନିରୁ, ତୁମେ ଦୁହେଁ ଛବି ଆଙ୍କ ନୁହେଁ ?

 

–ଓ ହୋ ମରିଗଲି । କେମିତି ଜାଣିଲେ–ଜୀବନରେ କେତେକଥା ଆମେ ଭାବିଥିଲୁ । କିନ୍ତୁ–ହୋଇ ପାରିଲା ନାହିଁ । ଶରତ ଭାଇ–ଶରତ ଭାଇ, ଆସ ଥରେ ଦେଖା ଦିଅ । ମୁଁ ଶାନ୍ତିରେ ମରିବି ଯେ । ହଁ, ଶରତ ଭାଇ ସେହି ଦିନଠୁ କୁଆଡ଼େ ଗଲେ, ତାଙ୍କ ଦାଦୀ କି ଚିଠି ଲେଖିଲେ କେଜାଣି ସେ ଆଉ ଫେରିଲେ ନାହିଁ । ମତେ ଭୁଲିଗଲେ–ଚିଠି ବି ଦେଲେ ନାହିଁ । ତା’ପରେ ଓ ହୋ ଆଉ ବେଶି ସମୟ ନୁହେଁ–ବୋଉକୁ ଟିକିଏ ମୋ ପାଖକୁ ଡାକ ଭଲା ! ହେଇ ତ ମୋ ବାପା ହତା ବଢ଼ାଇ ମତେ ଡାକିଲେଣି ତାଙ୍କ ପାଖକୁ ଯିବାକୁ । ସେ ମଲେ ସେହି ଚିନ୍ତାରେ । ମୁଁ ମରିବି ସେହି ଚିନ୍ତାରେ ।

 

ବାବାଜିଙ୍କର ଆଉ ବୁଝିବାରେ କିଛି ନ ଥିଲା । ଆଖି ବାଟେ ଲୁହ ସେତେବେଳକୁ ଖୁବ୍ ଜୋରରେ ଛୁଟିଲାଣି । ନିରୁର ମୁଣ୍ଡଟିକୁ ନିଜ କୋଡ଼ ଉପରେ ରଖି ଖନ ଖନ ସ୍ୱରରେ କହିଲେ–ତା’ପରେ ସେ ଚିଠି ଦେଲାନାହିଁ, ନୁହେଁ ଭାରି ନିଷ୍ଠୁର ସେ । ଦାଦୀ ଖୁଡ଼ୀ ତାକୁ ଜଳାଇ ପୋଡ଼ାଇ ମାରିଲେ ସମ୍ପତ୍ତି ପାଇଁ ।

 

–ନା, ମୋ ସାଙ୍ଗରେ ଆଉ ଲଗାନା । ମୁଁ ଆଉ ଗପି ପାରିବି ନାହିଁ ଯେ । ଦେହ ମୋର କଣ ହୋଇ ଯାଉଛି । ତୁମ ହାତ ଧରୁଛି ଦିଅ ଭଲା ଟୋପା ପାଣି । ଗଲା ଆସିଲା ବେଳେ କାହିଁକି କଲବଲ କରୁଛ ଭଲ–ଓ ହୋ ତଣ୍ଟି ଶୁଖିଗଲା । ବୋଉ, ବୋଉ ମ, ଶରତ ଭାଇକୁ ଡାକିଲୁନୁ । ତୁ ବି ବାଦ ସାଧିଲୁ–ମରିଗଲି, ପାଣି-ପା-ଆ-ଣି । ଓ ହୋ ।

 

ନିରୁବୋଉଙ୍କ ଆଖିରେ ସେତେବେଳେକୁ ଲୁହ ନଥିଲା, ପାଟିରେ ଭାଷା ନଥିଲା । କେବଳଥିଲା ଗୋଟଏ କରୁଣ ଚାହାଣୀ ।

 

ବାବାଜି ଆଉ ସମ୍ଭାଳି ପାରିଲେ ନାହିଁ । ଆଖିରୁ ଲୁହ ଧାର ଧାର ହୋଇ ବହି ଯାଉଥାଏ । କୋହଟାକୁ ଚାପି ଧରି ଥର ଥର ଓଠରେ ଟିକିଏ ଯୋଗରେ ରୋଗୀକୁ ହଲାଇ ପକାଇ କହିଲେ, ନିରୁ, ନିରୁ, ମୋ ପ୍ରାଣର ନିରୁ, ଆଖି ଖୋଲି ଦେଖ, ତୁ ତୋ ଶରତ ଭାଇ କୋଡ଼ରେ । ଛାତିରେ ଚାପି ଧରିବାକୁ ଯାଉଥିଲେ, କିନ୍ତୁ ପାରିଲେ ନାହିଁ । କୋଡ଼ ଉପରେ ରଖି ଲୁହଭରା ଆଖିରେ ଅନ୍ତରର ସବୁ ସ୍ନେହଭରି ସେହି ମଉଳା ଅଧରରେ ଗୋଟିଏ ଚୁମ୍ବନ ଦେଲେ ।

 

ନିରୁର ପାଟି ବନ୍ଦ ହେଲା । ଗୋଟାଏ ହୋସ ଆସିଲା କି କଣ, ଭଲକରି ଥରେ ବାବାଜିଙ୍କର ମୁହଁକୁ ଚାହିଁଲା । ସବୁ ସନ୍ଦେହ ଦୂର ହେଲା ବୋଧହୁଏ । ତା’ପରେ–ଅଧରରେ ଦେଖାଗଲା ଗୋଟିଏ କରୁଣ ହସ, ଆଖିରେ ଫୁଟି ଉଠିଲା–ମିନତିଭରା ହତାଶର କରୁଣ ଚାହାଣୀ-। ଇମିତି କେତେବେଳେ କଟିଲା, କାହାରି ପାଟିରେ ଭାଷା ନାହିଁ । ଆଖି ଆଶାର ଅତୀତ ଜୀବନର କଥାବାର୍ତ୍ତା । ତା’ପରେ ନିରୁ ଦେହର ସବୁ ବଳ ସଂଗ୍ରହ କରି ବଡ଼ କଷ୍ଟରେ ଥର ଥର ସ୍ୱରରେ କହିଲା–ଶରତ ଭାଇ ତୁମେ ଆସିଛ, ନା... ।

 

ରାତି ଶେଷ ପହର । କାଳି ଜହ୍ନ ପଡ଼ିଥାଏ । ଦଣ୍ଡେ ପହରକରେ ନିରୁକୁ ଦେଖିଯିବା ପାଇଁ ଜହ୍ନଟା ଝରକା ବାଟେ ଉଙ୍କି ମାରି କ’ଣ ଭାବି କେଜାଣି କୁଆଡ଼େ ପଳାଇ ଯାଉଥାଏ । ଲକ୍ଷେ ଜୁଳୁଜୁଳିଆ ପୋକ ରଜନୀରାଣ ଗନ୍ତାଘରୁ କ’ଣ ହଜାଇ ଆଲୁଅ ଜାଳି ଖୋଜୁଥାନ୍ତି । ପବନଟା ମନ ଦୁଃଖରେ କେଉଁ ଗଛ ଗହଳିରେ ନିଘଡ଼ ନିଦରେ ଶୋଇ ପଡ଼ିଥାଏ । ଗଛ ଗୁଡ଼ାକ କେଉଁଠି କଣ ଘଟିଲା ପରି ସଶଙ୍କିତ ହୋଇ ଠିଆ ହୋଇଥାନ୍ତି । ପାଖ ଦେବଦାରୁ ଗଛଟାରେ ପେଚାଟା ଦି’ଥର ବୋବାଇ କୁଆଡ଼େ ଉଡ଼ିଗଲା । ଖଣ୍ଡଗିରିର କେଉଁ ପାହାଡ଼ କରରୁ ଭେରଣ୍ଡାଟା ବୋବାଇ ବୋବାଇ କୁଆଡ଼େ ଚାଲିଗଲା । ଚାରିଆଡ଼େ ଭାରି ମାଡ଼ି ମାଡ଼ି ପଡୁଥାଏ । ଚାଳଘରେ ଗୋଟିଏ କଣରେ ଦୀପଟି ଜଳୁଥାଏ ଦିକ୍ ଦିକ୍ ହୋଇ ।

 

କେତେବେଳକେ ବାବାଜିଙ୍କର ଚେତା ଆସିଲା । ନିରୁର ମୁହକୁ ଭଲ କରି ଅନାଇଁଲେ–ଅଧରରେ ସେହି କରୁଣ ହସର ଚିହ୍ନ । ଆଖିରୁ ଦି’ଧାର ଲୁହ ଗଡ଼ି ଶୁଖି ଗଲାଣି । ବାବାଜି ତାର ଅଲରା ବାଳ ଗୁଡ଼ିକୁ ସଜାଡ଼ି ଦେଉ ଦେଉ ହଲାଇ ପକାଇ ଡାକିଲେ–ନିରୁ, ନିରୁ, ପାଣି ଦେବି, ତୁ ଭଲ ହୋଇଯିବୁ ଯେ–

 

କିଏ ଜାଣେ ନିରୁ ଯାଇ ସେ ପଥର କେତେ ଦୂରରେ ।

Image